ମାର୍ଚ୍ଚ ଆରମ୍ଭରୁ ଡରାଇଲା ଖରା◆ପାରଦ ଛୁଇଁଲା ୩୬ଡିଗ୍ରୀ◆ଖରାରେ ଶିଝୁଛି ରାୟଗଡା

ପ୍ରତିଫଳନ ମିଡ଼ିଆ

ମାର୍ଚ୍ଚ ୨ ତାରିଖ । ତାପମାତ୍ରା ୩୬ଡିଗ୍ରୀ । ରାୟଗଡ଼ାରେ ବଢ଼ିଲା ପାରଦ । ଖରାରେ ରାୟଗଡ଼ା ଶିଝୁଛି । ଫଗୁଣର ରଙ୍ଗରେ ଓ ବସନ୍ତର ମାଦକତାରେ ଏବେ  ପ୍ରକୃତି ପ୍ରାଣବନ୍ତ ହୋଇଉଠିଛି । ଗଛଲତାରେ ଫୁଲର ସମ୍ଭାର । ରାୟଗଡ଼ାର ପ୍ରକୃତି ବାହାର ଅତିଥିଙ୍କୁ ଆମନ୍ତ୍ରଣ କରିବାର ବେଳ । ଖୁବ ମନଲୋଭା ପରିବେଶ । ଏମିତିରେ ଏବେ ହଠାତ ବଢିଛି ତାପମାତ୍ରା । ଫଗୁଣ ଆରମ୍ଭରୁ ଡ଼ରାଉଛି ଖରା । ଧୀରେ ଧୀରେ ବଢୁଛି ପାରଦ । ରବିବାର ତାପମାତ୍ରା ରହିଛି ୩୬ଡିଗ୍ରୀ । ଦିନର ତାପମାତ୍ରା ସହ ରାତିରେ ହ୍ୟୁମିଡ଼ିଟି ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ବର୍ତ୍ତମାନ ଏଭଳି ପରିସ୍ଥିତି ହୋଇଥିବାବେଳେ ଆଗକୁ ପରିସ୍ଥିତି ଅସମ୍ଭାଳ ହୋଇପଡିବ । ଏବର୍ଷ ରେକର୍ଡ ପରିମାଣର ତାପମାତ୍ରା ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମାର୍ଚ୍ଚ ଆରମ୍ଭରୁ ଏତେ ଖରା ଏଠାରେ ଅନୁଭବ ହେଲାଣି । ମଧ୍ୟାହ୍ନରେ ରାସ୍ତା ଖାଁ ଖାଁ ହେଉଛି । ପିଚୁରୁ ଗରମ  ହାୱା ବାହାରୁଛି । ଝାଞ୍ଜି ବଢ଼ିବାରେ ଲାଗିଛି । ଗ୍ରାମାଞ୍ଚଳରେ ଜଳ ସଙ୍କଟ ଏବେଠାରୁ ଦେଖାଗଲାଣି । ଆଗକୁ ସ୍ଥିତି ଭୟଙ୍କର ହୋଇପାରେ । ରାୟଗଡାବାସୀଙ୍କ ପାଇଁ ଆଜିର ତାପମାତ୍ରା ଏକ ସର୍ତକ ଘଣ୍ଟି । ବଢିବା ତାପମାତ୍ରା ପ୍ରତି ନଜର ରଖି ନିଜର କାମ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅଯଥା ଖରାରେ ନ ବୁଲିବାକୁ ସର୍ତକ କରାଯାଉଛି ।

Spread the love