ପ୍ରତିଫଳନ ମିଡ଼ିଆ
ପ୍ରାକୃତିକ ପରିବେଶରେ ସୁଟିଂ କରିବାକୁ ଫିଲ୍ମ୍ ନିର୍ମାତାଙ୍କ ପ୍ରଥମ ପସନ୍ଦ ଏବେ ଅବିଭକ୍ତ କୋରାପୁଟ ଜିଲ୍ଲା । ଆସନ୍ତା ଦିନରେ ଫିଲ୍ମ୍ ଟୁରିଜମର ହବ ହେବ ଏଇ ମାଳଭୂମି। ଆଗାମୀ ଦିନରେ ଭାରତର ଟୁରିଜମ କ୍ଷେତ୍ରରେ ରାଜ୍ୟର ପ୍ରଥମ ପସନ୍ଦ ହେବ ଅବିଭକ୍ତ କୋରାପୁଟ ଜିଲ୍ଲା । ଏକଥା ଆମେ କହୁନୁ । ଧୀରେ ଧୀରେ ବଡ଼ ବଜେଟର ଫିଲ୍ମ ନିର୍ମାଣ କରୁଥିବା ଫିଲ୍ମ ନିର୍ଦ୍ଦେଶକଙ୍କ ପସନ୍ଦ ପାଲଟିଛି ଏହି ମାଳଭୂମି । ଏହା ହିଁ କହୁଛି ଅନେକ କଥା ।
ପହଞ୍ଚିଲେ ସୁପର ଷ୍ଟାର ମହେଶ ବାବୁ ଅଳ୍ପ ଦିନରେ ପହଞ୍ଚିବେ ପ୍ରିୟଙ୍କା ଚୋପ୍ରା
ପାହାଡ଼ ପର୍ବତ ଘେରା କୋରାପୁଟ ଜିଲ୍ଲା ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ମାନଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି। ଗତ ଦିନରେ କୋରାପୁଟରେ ତେଲୁଗୁ, ହିନ୍ଦୀ ସହ ଓଡ଼ିଆ ଫିଲ୍ମ ନିର୍ମାଣ ହେବା ଦେଖିବାକୁ ମିଳିଥିଲା। ଏବେ କୋରାପୁଟରେ ନିର୍ମିତ ହେବାକୁ ଯାଉଛି ଟଲିଉଡର ହାଇ ବଜେଟ୍ ଫିଲ୍ମ। ଟେବୁଲ୍ ମାଉଣ୍ଟେନ ତଳମାଳିରେ ଲାଗିଛି କ୍ୟାମ୍ପ ମାସେ ବ୍ୟାପି ହେବ ସୁଟିଂ। ଦକ୍ଷିଣ ଭାରତର ସୁପ୍ରସିଦ୍ଧ ଚଳଚିତ୍ର ନିର୍ମାତା ତଥା ନିର୍ଦେଶକ ଏସ ଏସ ରାଜାମୌଲି ଆଗାମୀ ଚଳଚ୍ଚିତ୍ର ପାଇଁ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ ଜିଲ୍ଲାକୁ ପସନ୍ଦ କରିଛନ୍ତି। ଏକ ହାଇ ବଜେଟ୍ ରେ ନିର୍ମିତ ହେବାକୁ ଯାଉଛି ଫିଲ୍ମ #SSMB29 । ଦକ୍ଷିଣ ଭାରତର ସୁପରଷ୍ଟାର ମହେଶ ବାବୁ ସହ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମୁଖ୍ୟ ଭୂମିକାରେ ରହିଛନ୍ତି। ଏହା ସହ ବଲିଉଡ୍ ଓ ଟଲିଉଡର ଆଗ ଧାଡିର କଳାକାର ଅଭିନୟ କରୁଥିବା ସୂଚନା ମିଳିଛି। କୋରାପୁଟ ଜିଲ୍ଲାର ତଳ ମାଳିରେ ଲାଗିଛି ବଡ଼ ଧରଣର କ୍ୟାମ୍ପ ଅଭିନେତା ମହେଶ ବାବୁ ସହ ବହୁ କଳାକାର ଏବେ ସୁଟିଂରେ ବ୍ୟସ୍ତ। ଚଳିତ ମାସ ୨୯ ତାରିଖ ପର୍ଯ୍ୟନ୍ତ ତଳ ମାଳିରେ ସୁଟିଂ ହେବ ଟଲିଉଡର ଏହି ହାଇ ବଜେଟ୍ ଫିଲ୍ମ। ପ୍ରଶାସନ ପକ୍ଷରୁ ମଧ୍ୟ ତଳ ମାଳିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆ ଯାଇଛି।

ଟେବୁଲ ମାଉଣ୍ଟେନ ତଳ ମାଳିରେ ଫିଲ୍ମ ସୁଟିଂ ନେଇ ଖୁସି ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା। ବଡ଼ ବଡ଼ ଦେଶରେ ଫିଲ୍ମ୍ ସୁଟିଂ ହେବା ଶୁଣିଥିଲୁ କୋରାପୁଟ ଜିଲ୍ଲାର ଏହି ବଣ ପାହାଡ଼ ଘେରା ମଧ୍ୟରେ ଫିଲ୍ମ୍ ସୁଟିଂ ହେବ କେବେ ଭାବି ନଥିଲୁ। ଟଲିଉଡ ଓ ବଲିଉଡ ପ୍ରଯୋଜକ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ପସନ୍ଦ କରୁଛନ୍ତି। ଅତୀତରେ ଅବିଭକ୍ତ କୋରାପୁଟର ସୌନ୍ଦର୍ଯ୍ୟ ଓ ଭୌଗୋଳିକ ପଟ୍ଟଚିତ୍ର ର ଆକର୍ଷଣ ରେ ଅନେକ ଓଡ଼ିଆ, ତାମିଲ, ମାଲାୟାଲମ, ତେଲୁଗୁ ଚଳଚ୍ଚିତ୍ର ସୁଟିଂ ହୋଇ ସୁପର ଡୁପର ହିଟ ହୋଇ ଭଲ ବ୍ୟବସାୟିକ ସଫଳତା ହାସଲ କରିଛି । ବହୁ ଖର୍ଚ୍ଚ କରି ବାହାରକୁ ଯାଇ ଦୃଶ୍ୟ।ଙ୍କନ କରିବା ଅପେକ୍ଷା ଏଇ ମାଳଭୂମିରେ ସୁଟିଂ କରିବା ଖୁବ ଭଲ ଓ ପ୍ରଭାବୀ ବୋଲି ଅନେକ ପ୍ରଯୋଜକ ଓ ନିର୍ଦ୍ଦେଶକ କହିଛନ୍ତି । ଫଳରେ ଆଗକୁ ଏହି ଧାରା ବଢିବ। ପର୍ଯ୍ୟଟନ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।