ପ୍ରତିଫଳନ ମିଡ଼ିଆ
ବେଦାନ୍ତକୁ ତାରା ଓ ପବିତ୍ରଙ୍କ ସମର୍ଥନ ! ସପ୍ତଗିରୀ ଓ କୃଷ୍ଣଙ୍କ ବିରୋଧ ! ରାମ କାଡାମ ନୀରବ !
କୋଡ଼ିଙ୍ଗାମାଳିରେ ବକ୍ସାଇଟ୍ ଖନନ ନେଇ ବିଭିନ୍ନ ସଙ୍ଗଠନ ଆନ୍ଦୋଳନ ଚଳାଇଛନ୍ତି। ବେଦାନ୍ତ ବେଧଡକ ଲୁଟି ଚାଲିଛି ଖଣି । କଂସାରିଗୁଡ଼ା ଠାରେ ପ୍ରସ୍ତାବିତ ଆଦିତ୍ୟ ଆଲୁମିନା ସ୍ଥାପନ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବେଦାନ୍ତ ଆଗାମୀ ଦିନରେ ଅଧିକ ପରିମାଣର ବକସାଇଟ୍ ଉତ୍ତୋଳନ କରିବାକୁ ଆବେଦନ କରିଛି । ବେଦାନ୍ତ ସେଥିରେ ସଫଳତା ପାଇଲେ ଆଦିତ୍ୟ ବିର୍ଲା କମ୍ପାନୀ ପାଇଁ ଆବଶ୍ୟକ ବକ୍ସାଇଟ ରହିବ ନାହିଁ । ଏଣୁ ଆଦିତ୍ୟ ବିର୍ଲା କମ୍ପାନୀ ପ୍ରତିଷ୍ଠା ନେଇ ଅନିଶ୍ଚିତତା ଦେଖାଦେଇଛି ।

ସେଭଳି କ୍ଷେତ୍ରରେ ଅତି କମ୍ ମୂଲ୍ୟରେ ବକ୍ସାଇଟ ନେଉଥୁବା ବେଦାନ୍ତ ସପକ୍ଷରେ ବିଜେପି ରହିଛି । ବିରୋଧି ଦଳରେ ଥିବା ବିଜେଡ଼ି ଗାନ୍ଧୀଙ୍କ ତିନି ମାଙ୍କଡଙ୍କ ମୁଦ୍ରାରେ ରହିଛି । ଓଡ଼ିଶାର ବଳ ବିଜୁ ଜନତା ଦଳର ସବୁ ନେତାଙ୍କ ନୀରବତା କୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ଏହି ବ୍ୟାପାରରେ ମୁଣ୍ଡ ଭର୍ତ୍ତି କରିବାକୁ ଆଗ୍ରହ ଦେଖାଉ ନାହାଁନ୍ତି ବିଜେଡ଼ି ନେତା। ଏହା କୋରାପୁଟ ମାଟିର ସମସ୍ୟା ନାହିଁ ବୋଲି ଭାବୁଛନ୍ତି ନା କଂପାନୀ ବିରୋଧରେ ସ୍ବର ଉତ୍ତୋଳନ ନ କରିବାକୁ ଦଳର ରାଜ୍ୟ ନେତୃବୃନ୍ଦ ହୁଇପ ଜାରି କରିଛନ୍ତି। ଏସଂପର୍କରେ ଲୋକଙ୍କ ନିକଟରେ ସ୍ଥାନୀୟ ନେତା ଓ ଖଣି ମନ୍ତ୍ରୀ ସ୍ପଷ୍ଟ ମତ ରଖିବା ଉଚିତ୍ ବୋଲି ବିଭିନ୍ନ ସଙ୍ଗଠନ ମତବ୍ୟକ୍ତ କରିଛନ୍ତି। ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି ଅଧିକା ଦରରେ ବକ୍ସାଇଟ କିଣିବାକୁ ସରକାରଙ୍କ ସହ ବୁଝାମଣା ଶେଷ କରିଥିବା କଂପାନୀ ଆନ୍ଧ୍ରର କଂପାନୀ ବୋଲି ବିରୋଧ କରୁଛନ୍ତି । କିନ୍ତୁ କମ୍ ଦରରେ କୋରାପୁଟର ଖଣିଜ ସଂପଦ ଲୁଟୁଥିବା ବେଦାନ୍ତ ବିରୋଧରେ ପଦୁଟିଏ ବି କହୁ ନାହାଁନ୍ତି । ମୌନେ ସମ୍ମତି ଲକ୍ଷଣ ନ୍ୟାୟରେ ଏତିକି ବୁଝିବାକୁ ପଡୁଛି ଯେ ବେଦାନ୍ତ ପ୍ରତି ବରିଷ୍ଠ ବିଧାୟକ ତାରା ବାହିନୀପତିଙ୍କ ବୋଧେ ସବୁଜ ସଙ୍କେତ ରହିଛି । ନଚେତ୍ ଅଭିଜ୍ଞ ରାଜନେତା ତାରାଙ୍କ ପାଟି ଏ ଯାଏଁ ଚୁପ୍ ନଥାନ୍ତା ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ସ୍ଥାନୀୟ ବିଧାୟକ ପବିତ୍ର ସାଉନ୍ତା ମଧ୍ୟ ବେଦାନ୍ତ ସପକ୍ଷରେ ନିଜର ରାଜନୈତିକ ଅଭିଯାନ ଜାରି ରଖିଛନ୍ତି । ସେ ବି ତାରାଙ୍କ ଆଭିମୁଖ୍ୟକୁ ଆପଣେଇଛନ୍ତି । ଖଣି ସମସ୍ୟା ଓ ଆନ୍ଦୋଳକାରୀମାନଙ୍କ ଅପୂର୍ବ ସମର୍ଥନ ପାଇବା ହେତୁ ବିଜେଡ଼ି ଓ ବିଜେପିକୁ ବାଜିମାତ୍ କରି ବିଜୟୀ ହୋଇଥିଲେ ପବିତ୍ର । କିନ୍ତୁ ନିର୍ବାଚନ ପରେ ପବିତ୍ରଙ୍କ ଭିନ୍ନ ଆଭିମୁଖ୍ୟ ଅଞ୍ଚଳବାସୀଙ୍କ ପାଇଁ ପୀଡ଼ାଦାୟକ ସାଜିଛି ।

ତେବେ ବିଳମ୍ବରେ ହେଉ ପଛେ ସ୍ଥାନୀୟ ଲୋକଙ୍କ ମନୋଭାବକୁ ପରକ୍ଷି ଛନ୍ତି ଓଡ଼ିଶାରୁ ଜିତିଥିବା ଏକ ମାତ୍ର କଂଗ୍ରେସ ସାଂସଦ ।ଏବେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ବେଦାନ୍ତ ବିରୋଧରେ ମୁହିଁ ଖୋଲିଛନ୍ତି । ବେଦାନ୍ତର ବେଆଇନ ଖଣି ଖନନକୁ ସେ ବିରୋଧ କରିଛନ୍ତି। ଏଥିସହ ଆଦିତ୍ୟ ଆଲୁମିନା ସ୍ଥାପନ ଦିଗରେ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିବାକୁ ସେ ଦାବି ଜଣେଇଛନ୍ତି । ବେଦାନ୍ତ କୁ ବିରୋଧ ଓ ଅଧିକ ମୂଲ୍ୟ ଦେଇ କିଣିବାକୁ ଟେଣ୍ଡର ପାଇଥିବା କମ୍ପାନୀ ସପକ୍ଷରେ ଜନମତ ସୃଷ୍ଟି କରୁଛନ୍ତି ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା କୃଷ୍ଣ ଚନ୍ଦ୍ର ସଗରିଆ। ସାଗରିଆଙ୍କ ମତ ହେଲା ଯିଏ ଅଧିକା ଅର୍ଥ ଦେଇ କଞ୍ଚାମାଲ କିଣିବ ତାକୁ ବକସାଇଟ ବିକ୍ରି କରିବା ଉଚିତ୍ । କମ ଦାମରେ କିଣି ଓଡ଼ିଶାର ଏବଂ କୋରାପୁଟର ରାଜସ୍ବ ହାନି କରୁଥିବା କଂପାନୀକୁ କାହିଁକି ସମର୍ଥନ କରାଯିବ ବୋଲି ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ବିଧାୟକ ଦଳର ନେତା ପଟାଙ୍ଗି ବିଧାୟକ ରାମ କାଡ଼ାମ ପରିବେଶର ସୁରକ୍ଷା ଆଦିବାସୀଙ୍କ ଜୀବନ ଜୀବିକାର ସୁରକ୍ଷା ନାମରେ ବାଲଦା ପାହାଡରୁ ବକ୍ସାଇଟ ଖନନକୁ ବିରୋଧ କରୁଛନ୍ତି । କିନ୍ତୁ ବେଦାନ୍ତ କୁ ନେଇ ପାଟି ଖୋଲୁ ନାହାଁନ୍ତି କଂଗ୍ରେସ ବିଧାୟକ ଦଳର ନେତା ପଟାଙ୍ଗି ବିଧାୟକ ରାମ ଚନ୍ଦ୍ର କାଡାମ। ଏହା ପଛର କାରଣ କଣ ଥାଇ ପାରେ ବୋଲି ସ୍ଥାନୀୟ ଜନ ସାଧାରଣ ପ୍ରଶ୍ନ ଉଠାଇଛନ୍ତି । କୋରାପୁଟ କଂଗ୍ରେସ ଦଳର ନେତାଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଆଭିମୁଖ୍ୟ ଦଳର ଏକତା ନ ଥିବା ଏବଂ କୌଣସି ଅଦୃଶ୍ୟ ବାହ୍ୟ ଚାପରେ କଂଗ୍ରେସ ନେତାମାନେ ସତରେ କବଳିତ କି ବୋଲି ଦଳୀୟ କର୍ମୀ ମହଲରେ ଆଲୋଚନା ହେଉଛି ।

ବିଜେପିର ସ୍ଥାନୀୟ ନେତା କୈଳାସ କୁଲେଶିକା ମଧ୍ୟ କଂଗ୍ରେସ ବିଧାୟକଙ୍କ ଭଳି ସମାନ ଆଭିମୁଖ୍ୟକୁ ଗ୍ରହଣ କରିଛନ୍ତି। ଆନ୍ଧ୍ର କଂପାନୀ ନାମରେ ସେ ବିରୋଧ କରୁଛନ୍ତି । କିନ୍ତୁ ବେଦାନ୍ତ ପ୍ରତି କୋହଳ ମନୋଭାବ ପୋଷଣ କରୁଛନ୍ତି । ଆନ୍ଧ୍ର କମ୍ପାନୀ ବକ୍ସାଇଟ ନେଇଗଲେ କଂସାରିଗୁଡ଼ା ଠାରେ ପ୍ରତିଷ୍ଠା ହେବାକୁ ଥିବା କମ୍ପାନୀର ଭବିଷ୍ୟତ ଅନ୍ଧାର ବୋଲି କହୁଛନ୍ତି।କିନ୍ତୁ ବେଦାନ୍ତ ଖଣି ଲୁଟି ନେଉଛି ସେଥି ପାଇଁ ନୀରବ ।
ତେବେ ଏଠି ପ୍ରଶ୍ନ ଉଠୁଛି ସମସ୍ତେ ବେଦାନ୍ତକୁ ଏତେ ଭଲ ପାଇବାର କାରଣ କଣ? କମ ଦରରେ ଖଣି ଲୁଟ କରିବା ପାଇଁ ବେଦାନ୍ତ କୁ ସମର୍ଥନ ଦେବାର ଅସଲ ଉଦ୍ଦେଶ୍ୟ କଣ ? କୋରାପୁଟର ନେତାମାନେ ବେଦାନ୍ତ ମୋହରେ ମୋହବିଷ୍ଟ କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନେତାଙ୍କ ଅଦେଖା ପ୍ରେମ କିନ୍ତୁ କୋରାପୁଟ ମାଟିର ସ୍ବାର୍ଥରେ ଗୁରୁତର ଆଘାତ ପହଞ୍ଚିଛି । ଯଦି ବିରୋଧ କରିବାର ଅଛି ସବୁ କମ୍ପାନୀକୁ କୋଡ଼ିଙ୍ଗାମାଳିରୁ ଖଣି ଖନନ ପାଇଁ ବିରୋଧ କରିବା ଉଚିତ୍ । ଦୈତ୍ୟ ଭୂମିକା ଛାଡ଼ି ବେଦାନ୍ତକୁ ହଁ ଅନ୍ୟକୁ ନା କରିବା ପଛରେ ମନ୍ଦ ଉଦ୍ଦେଶ୍ୟ ଜଳ ଜଳ ହୋଇ ଦିଶୁଛି ବୋଲି କୋରାପୁଟରୁ ରାଜଧାନୀ ପର୍ଯ୍ୟନ୍ତ ଚର୍ଚ୍ଚା ଚାଲିଛି । କୋଡ଼ିଙ୍ଗାମାଳିରୁ ବକ୍ସାଇଟ ଖନନକୁ ନେଇ ସବୁ ଦଳର ନେତାମାନେ କୋରାପୁଟ ସାଂସଦଙ୍କ ଭଳି ନିଜର ସ୍ପଷ୍ଟ ଆଭିମୁଖ୍ୟ ରଖିବାକୁ କୋଡିଙ୍ଗା ମାଳି ସୁରକ୍ଷା ମଞ୍ଚ ଓ ଅଞ୍ଚଳର ଲୋକେ ଦାବି କରିଛନ୍ତି । ତେବେ କୋରାପୁଟର ନେତାମାନଙ୍କ ଆଭିମୁଖ୍ୟ ଓ ମାନସିକତାକୁ ଦେଖିଲେ ସମସ୍ତେ ମାଟି ପ୍ରୀତି ଓ ଜନତାଙ୍କ ସ୍ବାର୍ଥ ଅପେକ୍ଷା ନିଜ ପାଇଁ ବ୍ୟସ୍ତ ବୋଲି ସ୍ପଷ୍ଟ ଜଣାପଡିଛି ! (କ୍ରମଶଃ)