ପ୍ରତିଫଳନ ମିଡ଼ିଆ
କମମୂଲ୍ୟରେ ବକ୍ସାଇଟ କିଣି ଲୁଟୁଛି ବେଦାନ୍ତ । ଅଧିକା ମୂଲ୍ୟରେ ବକ୍ସାଇଟ କ୍ରୟ କରିବା ପାଇଁ ଟେଣ୍ଡର ପାଇଛି ପାଓନୀୟର । ପାଓନୀୟର କମ୍ପାନୀକୁ ରୋକିବା ପାଇଁ ଚକ୍ରାନ୍ତ ଚଳାଇଛି ବେଦାନ୍ତ । ବେଦାନ୍ତ ର ଚକ୍ରାନ୍ତର ଚକ୍ରବ୍ୟୁହ ରେ ଛନ୍ଦି ହୋଇପଡିଛନ୍ତି ନେତା ଓ ଜନତା ? ବିପୁଳ କ୍ଷତି ସହୁଛି କୋରାପୁଟ ଜିଲ୍ଲା ଓ ଓଡ଼ିଶା ।
ଲକ୍ଷ୍ମୀପୁର କୋଡ଼ିଂଗାମାଳିରୁ ବକ୍ସାଇଟ ଉତ୍ତୋଳନ ନେଇ ଦୁଇ କମ୍ପାନୀଙ୍କ ଗୋଳକଧନ୍ଦା ଭିତରେ ପେଷି ହେଉଛନ୍ତି ନେତା ଓ ସ୍ଥାନୀୟ ଜନତା । ବେଦାନ୍ତ ଓ ପାଓନିଅର କଂପାନୀ ଭିତରେ ପ୍ରତିଯୋଗିତାରେ ମୋହରା ସାଜିଛନ୍ତି ନେତା ଓ ଜନତା । ବାସ୍ତବତା ଠାରୁ ଦୂରରେ ରହି ଆନ୍ଦୋଳନରେ ସାମିଲ ହେଉଥିବା ପରି ମନେ ହେଉଛି । ଯଦିଓ ବେଦାନ୍ତ ଆଲୁମିନା ଦ୍ବାରା କୋଡ଼ିଙ୍ଗାମାଳିରୁ ବକ୍ସାଇଟ ଉତ୍ତୋଳନ ଯୋଗୁଁ ସରକାର ହଜାର ହଜାର କୋଟି ରାଜସ୍ବ ହରାଉଛନ୍ତି । ବେଦାନ୍ତ ପ୍ରତି ସ୍ଥାନୀୟ ଅଂଚଳର କିଛି ନେତା ଓ ସଙ୍ଗଠନର ଓକିଲାତି ଆଉ ସରକାରଙ୍କ ନିରବ ସମର୍ଥନ କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ଚରମ ଅବହେଳା ବୋଲି ପ୍ରମାଣିତ ହେଉଛି । ବେଦାନ୍ତ ପାଇଁ ହଜାର ହଜାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛି ରାଜ୍ୟ ଓ କୋରାପୁଟ ଜିଲ୍ଲା ।
ବାସ୍ତବତା କଣ ହୋଇପାରେ । କାହିଁକି ଓ କାହା ପାଇଁ ଏ ବିରୋଧ ?
ବିରୋଧର ସ୍ବର କଣ ହେବା ଉଚିତ ? ଯେତେ ଅଧିକ ମୂଲ୍ୟରେ କିଣିଲେ ମଧ୍ୟ ପାଓନିଅର ଆନ୍ଧ୍ର କମ୍ପାନୀ।ଓଡିଶାର ଖଣିଜ ଦ୍ରବ୍ୟ ସେ ନେଇପାରିବନି । ଆନ୍ଧ୍ର କଂପାନୀ ଆସି ଏଠିକାର ଖଣିଜ ସମ୍ପଦକୁ ବାହାରେ ବିକି ପାରବନି ଭଳି ଅନେକ ଯୁକ୍ତିରେ ଲକ୍ଷ୍ମୀପୁରର କିଛି ସଙ୍ଗଠନ ଓ କୋରାପୁଟ ଜିଲ୍ଲାର କିଛି ରାଜନେତା ଏଭଳି ଆନ୍ଦୋଳନକୁ ଆରମ୍ଭ କରିଛନ୍ତି । କମ ମୂଲ୍ୟରେ ବେଦାନ୍ତ ଲୁଟି ନେଉଛି ସେଥିପାଇଁ ବିରୋଧୀଙ୍କ ଆପତୀ ନାହିଁ ! ତେବେ ଏଠି ପ୍ରଶ୍ନ ଉଠୁଛି କୋଡ଼ିଂଗାମାଳିରୁ ଏବେ ଯେଉଁ ବେଦାନ୍ତ କଂପାନୀ ଖଣି ଖନନ କରୁଛି ସେ କଣ ଓଡ଼ିଶାର ? ଓଡ଼ିଆ ପୁଅ କଣ ସେଇ କଂପାନୀକୁ ସ୍ଥାପନା ଓ ପରିଚାଳନା କରୁଛି ? ସେ ବି ଏକ ବାହାର କମ୍ପାନୀ । ବିହାରୀ ଲୋକ ଦ୍ଵାରା ପ୍ରତିଷ୍ଠିତ ମହାରାଷ୍ଟ୍ର କଂପାନୀ । ବହୁ କମ ମୁଲ୍ୟରେ ଏଠାକାର ଖଣି ଲୁଟିବାକୁ ସେ ଆସିଛି । ଏମିତି କିଛି ପ୍ରଶ୍ନ ଆନ୍ଦୋଳନକାରୀଙ୍କୁ ପଚାରିବା ଆରମ୍ଭ କରିଛନ୍ତି ଲୋକେ ।ଏମିତି ପ୍ରଶ୍ନରେ ଆନ୍ଦୋଳନକାରୀ ଥତମତ ହୋଇପଡୁଛନ୍ତି । ସ୍ପଷ୍ଟ ଉତ୍ତର ଦେଇ ପାରୁ ନାହାଁନ୍ତି । ଅପରପକ୍ଷେ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାଙ୍କ କହିବା ହେଲା ଖଣିଜ ସମ୍ପଦ ଖନନ କରି ପରିବେଶ ଧ୍ଵସଂ କରୁଥିବା ସବୁ କଂପାନୀ ଏକା ପ୍ରକାରର । ସ୍ଥାନୀୟ ଅଞ୍ଚଳର ବିକାଶ ନକରି ଏଠାକାର ମାଟି, ପାଣି ପବନକୁ ଧ୍ବଂସ କରିବା ସହ ଖଣିଜ ସମ୍ପଦ ଲୁଟ କରିବା ସବୁ କଂପାନୀର ଅସଲ ଉଦ୍ଦେଶ୍ୟ । କୋଡ଼ିଂଗାମାଳି ରୁ ଖଣି ଖନନ କରିବାକୁ ଚାହୁଁଥିବା ସବୁ କମ୍ପାନୀକୁ ସ୍ଥାନୀୟ ଲୋକେ ବିରୋଧ କରି ପରିବେଶକୁ ବଞ୍ଚାଇବା ଉଚିତ । ତାହା ନକରି ଜଣଙ୍କୁ ବିରୋଧ ଆଉ ଜଣଙ୍କୁ ସପକ୍ଷ କରିବା ପଛରେ କିଛି ରହସ୍ୟ ଓ ଅନ୍ୟ ଉଦ୍ଦେଶ୍ୟ ଥାଇପାରେ । ସ୍ଵାର୍ଥ ଥାଇ ଏଭଳି ଆନ୍ଦୋଳନ ହେବା ଉଚିତ ନୁହଁ ବୋଲି ବିଶୋଦାଗର କରିଛନ୍ତି ପରିବେଶବିତ୍ ସାମନ୍ତରା । ଜିଲ୍ଲାର ବିକାଶ ଓ ଅଞ୍ଚଳର ଲୋକଙ୍କ ସ୍ବାର୍ଥ ପାଇଁ ଅଧିକ ମୂଲ୍ୟରେ କିଣିଥିବା କମ୍ପାନୀକୁ ସୁଯୋଗ ଦେବା ସପକ୍ଷରେ ଯୁକ୍ତି ବାଡୁଛନ୍ତି କୋଡ଼ିଙ୍ଗା ମାଳି ସୁରକ୍ଷା ମଞ୍ଚର ନେତା ପ୍ରଦୀପ ବାଘ ଓ ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ । ତା ସହ କମ ମୂଲ୍ୟରେ ନଦେଇ ନୂଆ ଦର ଲାଗୁ କରି ବେଦାନ୍ତକୁ ବକ୍ସାଇଟ ଦେବାକୁ ସେମାନେ ଦାବୀ କରିଛନ୍ତି ।
ଆନ୍ଦୋଳନ କାହିଁକି ?
ଅସଲରେ ଲୋକେ ଏହି ଆନ୍ଦୋଳନ କରୁଥିବା ପରି ମନେ ହେଉନି । କିଛି ମୁଷ୍ଟିମେୟ ଲୋକଙ୍କ ଇଙ୍ଗିତରେ ଚାଲିଛି ଆନ୍ଦୋଳନ । ଆନ୍ଦୋଳନ ପଛରେ ବେଦାନ୍ତର ହୀନ ଉଦ୍ୟମ ଥିବା ମନେ ହେଉଛି । ବେଦାନ୍ତ ନିଜର କ୍ଷତିକୁ ବଞ୍ଚାଇବାକୁ ଏମିତି ଆନ୍ଦୋଳନକୁ ଜନ୍ମ ଦେଇଥିବା ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ଓ କୋଡିଙ୍ଗା ମାଳି ସୁରକ୍ଷା ମଞ୍ଚର ନେତା ପ୍ରଦୀପ ବାଘ ସମେତ ସ୍ଥାନୀୟ ଅଂଚଳର ସଚେତନଶିଳ ବ୍ୟକ୍ତି କହିଛନ୍ତି ।
ଅସଲ କଥା ହେଲା ବେଦାନ୍ତ ଏଠାରୁ ବହୁ କମ ଦରରେ ଖଣି ଖନନ କରି ଚାଲିଛି । ରାଜ୍ୟ ସରକାରଙ୍କ ସହ କମ ଦରରେ ଚୁକ୍ତି କରି ଖଣି ଉତ୍ତୋଳନ କରି ଚାଲିଛି । ୨୦୧୭ ମସିହାରୁ ପ୍ରଥମେ ଟନ ପିଛା ମାତ୍ର ଚାରି ଶହ ପଚାଶ ଟଙ୍କା ରେ ଆଉ ଏବେ ଏକ ହଜାର ଟଙ୍କାରେ ବକ୍ସାଇଟ ନେଉଛି ବେଦାନ୍ତ । ଏବେ ନୂଆ କମ୍ପାନୀ ଭାବେ ପାଓନିଅରକୁ ବି ଏଠାରୁ ଖଣି ଉତ୍ତୋଳନ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଟନ ପିଛା (୩୦୧୦ ଟଙ୍କା) ତିନି ହଜାର ଦଶ ଟଙ୍କାରେ କିଣିବାକୁ ଚୁକ୍ତି କରିଥିବା ସୂଚନା ମିଳିଛି । ବେଦାନ୍ତର ଦର ଠାରୁ ପାଓନିଅର ଟନ ପିଛା ଦରରେ ଆକାଶ ପାତାଳ ଫରକ ରହିଛି । ପାଓନିଅର ଏଠାରୁ ଥରେ ଖଣି ଖନନ ଆରମ୍ଭ କଲେ ବେଦାନ୍ତ ବି ସେଇ ସମାନ ଦରରେ ରାଜ୍ୟ ସରକାରଙ୍କୁ ଅର୍ଥ ଦେବାକୁ ପଡିବ । ମୂଲ୍ୟ ପରିବର୍ତ୍ତିତ ହେବ । ନୂତନ ମୂଲ୍ୟରେ ସମସ୍ତଙ୍କୁ ବକ୍ସାଇଟ କିଣିବାକୁ ପଡିବ । ଫଳରେ ବେଦାନ୍ତର ମୁନାଫାରେ ହଜାର ହଜାର କୋଟି ହ୍ରାସ ଘଟିବାର ନିଶ୍ଚିତ ସମ୍ଭାବନା ରହିଛି । କଂପାନୀର ଲାଭ କମି ଯିବାର ଭୟରେ ପାଓନିଅରକୁ ଏଠାରେ ସୁଯୋଗ ନ ଦେବାକୁ ବେଦାନ୍ତ ନୂଆ ଚାଲ ଚଲେଇଛି । କିଛି ଲୋକ ବେଦାନ୍ତର ଇଙ୍ଗିତରେ ଏହି ଆନ୍ଦୋଳନ ଚଲେଇଥିବା କୋଡିଙ୍ଗା ମାଳି ସୁରକ୍ଷା ମଂଚର ନେତା ଓ ପୂର୍ବତନ ବିଧାୟକ ଅଭିଯୋଗ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟଯେ
ଓଡ଼ିଶା ଖଣି ନିଗମ ର ନିୟମାନୁସାରେ ଖଣି ନିଗମ ଅଧୀନରେ ଥିବା ଖଣିରୁ ରାଜ୍ୟରେ ପ୍ଲାଣ୍ଟ ବସାଇଥିବା କମ୍ପାନୀକୁ ୮୦ ପ୍ରତିଶତ ଖଣିଜ ପଦାର୍ଥ ବିକ୍ରୟ କରିବ । ବଳକା ୨୦ ପ୍ରତିଶତ ଖଣିଜ ପଦାର୍ଥକୁ ଗ୍ଲୋବାଲ ଟେଣ୍ଡର ଜରିଆରେ ବିକ୍ରୟ କରିପାରିବ । ଗୋବଲ୍ ଟେଣ୍ଡର ରେ ଯିଏ ଅଧିକା ମୂଲ୍ୟ ରେ କିଣିବ ତାକୁ ହିଁ ବିକ୍ରୟ କରିବ । ଅଧିକ ଟଙ୍କା ମିଳିବା ଦ୍ୱାରା ରାଜ୍ୟର ଓ ଜିଲ୍ଲା ର ବିକାଶ ହେବ । ଏଇଠି ପ୍ରଶ୍ନ ଉଠୁଛି ଅଧିକ ମୂଲ୍ୟରେ କିଣୁଥିବା କମ୍ପାନୀକୁ ଖଣି ପରିବହନ କରିବାକୁ ଦିଆଯିବ ନାହିଁ ବୋଲି ବିରୋଧ କରୁଥିବା ବିରୋଧୀମାନେ ବିଚିତ୍ର ଯୁକ୍ତି ବାଢ଼ୁଛନ୍ତି । ଏହାଦ୍ଵାରା କମ ଦରରେ କିଣିଥୁବା ବେଦାନ୍ତ କମ୍ପାନୀର ସ୍ୱାର୍ଥ ରକ୍ଷା ପାଇଁ ବିରୋଧୀ ମାନେ ସୁରକ୍ଷା ଦେଉଛନ୍ତି ବୋଲି ଗୁରୁତର ଅଭିଯୋଗ ହେଉଛି ।

ମାଟି ଆଗ, ବାକି ସବୁ ପଛ !
ମାଟି ଓ ମାଟିର ମଣିଷଙ୍କ ପାଇଁ ବସ୍ତୁତଃ ଲଢେଇ କରିବା ଉଚିତ । କିନ୍ତୁ କୋଡ଼ିଂଗାମାଳି ଆନ୍ଦୋଳନରେ ଏହାର ବିପରୀତ ସ୍ଥିତି ଦେଖିବାକୁ ମିଳୁଛି । କମ ଦରରେ ବକ୍ସାଇଟ କିଣୁଥିବା କଂପାନୀ ଭଲ ଆଉ ଅଧିକ ଦାମରେ ବକ୍ସାଇଟ କିଣିବାକୁ ଯାଉଥିବା କମ୍ପାନୀ ଖରାପ । କେଉଁ ନିକିତିରେ ତଉଲଉଛନ୍ତି ମାଟି ପାଇଁ ପ୍ରତିଶ୍ରୁତିବଦ୍ଧ ଏଠାକାର ମଣିଷ ଓ ଆନ୍ଦୋଳନକାରୀ । ଅଧିକ ଦରରେ କିଣିଲେ ରାଜ୍ୟ ଅଧିକ ରାଜସ୍ବ ପାଇବ ଏବଂ ସ୍ଥାନୀୟ ଖଣିଜ ପାଣ୍ଠିକୁ ଅଧିକ ଅର୍ଥ ଉନ୍ନୟନ ପାଇଁ ଆସିବ । ସେହି ଅର୍ଥରେ କୋରାପୁଟର ବିକାଶ ହେବ । ଏହା ଅତି ସ୍ପଷ୍ଟ ଓ ସରଳ କଥା । ଏହି କଥାକୁ ବୁଝିବାରେ କୋଉଠି ବି କାହାରି ଅସୁବିଧା ନାହିଁ । ତା ସତ୍ବେ ସମସ୍ତଙ୍କୁ ଚକିତ କରୁଛି ଆନ୍ଧ୍ର କମ୍ପାନୀ ବିରୋଧୀ ଓ ବେଦାନ୍ତ ପ୍ରୀତି ଆନ୍ଦୋଳନ । ଆନ୍ଦୋଳନକାରୀ ଓ ମଙ୍ଗୁଆଳମାନେ ଏକଥା ଜାଣିଶୁଣି କିପରି ମାଟି ବିରୋଧୀ କାମରେ ଲାଗିପଡିଛନ୍ତି ବୋଲି ସାଧରଣରରେ ଚର୍ଚ୍ଚା ଜୋର ହେଉଛି । ଜିଲ୍ଲାରୁ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କୋଇଲା, ମାଙ୍ଗାନିଜ , ଲୁହା ପଥର ବହୁଳ ପରିମାଣରେ ବାହାର ରାଜ୍ୟକୁ ବର୍ଷ ବର୍ଷ ଧରି ରପ୍ତାନୀ କରାଯାଉଛି କିପରି ? ଏଭଳି ପ୍ରଶ୍ନର ଉତର ମାଗୁଛନ୍ତି ଜନତା । ଏମିତିକି ଆଗାମୀ ଦିନରେ ଏହାର ଠିକଣା ଜବାବ ଦିଆଯିବ ବୋଲି ଗାଁ ଗାଁରେ ଏବେଠାରୁ ଆଲୋଚନା ଆରମ୍ଭ କଲେଣି ସ୍ଥାନୀୟ ଲୋକେ ।
ଅସଲି କଥା
ବେଦାନ୍ତ ଆଲୁମିନା ଲକ୍ଷ୍ମୀପୁରସ୍ଥ କୋଡ଼ିଙ୍ଗାମାଳି ପର୍ବତରୁ ୨୪ (ଚବିଶି) ମିଲିୟନ ଟନ ବକ୍ସାଇଟ ଉତ୍ତୋଳନ କରି ସାରିଛି । ଏଥିଲାଗି ସମ୍ମତି ପତ୍ର ହାସଲ କରିଥିଲା । ଓଡିଶା ସରକାରଙ୍କ ଖଣି ନିଗମ ଜରିଆରେ ଏଠାରୁ ଖଣି ଉତ୍ତୋଳନ ଲାଗି ଅନୁମତି ପାଇଥିଲା । ଏହିକ୍ରମରେ ୨୦୧୭ ମସିହାରୁ ୮ ବର୍ଷ ଧରି ବେଦାନ୍ତ କୋଡ଼ିଙ୍ଗାମାଲିରୁ ବକ୍ସାଇଟ ଉତ୍ତୋଳନ କରି ଖଣିଜ ସମ୍ପଦକୁ ହରିଲୁଟ କରିଚାଲିଛି । ବହୁ କମ ମୂଲ୍ୟରେ ଏକଚାଟିଆ ଭାବେ ବକ୍ସାଇଟ ଉତ୍ତୋଳନ ହେତୁ ମନମୁଖୀ ହୋଇପଡିଛି ବେଦାନ୍ତ । ଆନ୍ତର୍ଜାତିୟ ବଜାର ଦର ଠାରୁ ଯଥେଷ୍ଟ କମ ଦରରେ କଂପାନୀ ବକ୍ସାଇଟ ଉତ୍ତୋଳନ କରୁଥିବାରୁ କଂପାନୀ ଭବିଷ୍ୟତ ମୁନାଫାରେ ହ୍ରାସ ଘଟିବା ନେଇ ବିବ୍ରତ ହୋଇପଡିଛି । ଅନ୍ୟ ଏକ କଂପାନୀ ସେହି ସମାନ ସ୍ଥାନରୁ ଟନ ପିଛା ୩ଗୁଣା ଅଧିକ ଦରରେ କିଣିବାକୁ ସରକାରଙ୍କ ସହ ବୁଝାମଣା ହୋଇଥିବାରୁ ବେଦାନ୍ତ ଏଠାରେ ରାଜନୀତି ଆରମ୍ଭ କରିଛି ! ହଜାର ହଜାର କୋଟି ଲୁଟି ନେଇଥିବା ବେଦାନ୍ତ ଆଗାମୀ ଦିନରେ ପୁଣି ଲୁଟିବାକୁ ଯୋଜନା କରୁଥିବା ବେଦାନ୍ତର ଅସଲି ମୁଖା ଖୋଲିଯିବା ପରେ ବକ୍ସାଇଟ ଖନନ ଉପରେ ପ୍ରଭାବ ଆଶଙ୍କାରେ ଅନ୍ୟ କମ୍ପାନୀକୁ ଏଠାରୁ ଉତ୍ତୋଳନ ନ କରେଇ ଦେବାକୁ ସ୍ଥାନୀୟ ଅଞ୍ଚଳର ଭାଇଚାରା ଓ ଏକତା ନଷ୍ଟ କରିବାକୁ ଉଦ୍ୟମ କରୁଥିବା ବହୁ ସଙ୍ଗଠନ ଅଭିଯୋଗ କରିଛନ୍ତି ।

ବେଦାନ୍ତକୁ ସମର୍ଥନ ମାଟି ଓ ମାଟିର ମଣିଷଙ୍କ ପାଇଁ ବିଶ୍ବାସ ଘାତକ !
ଅଧିକା ମୂଲ୍ୟରେ କିଣୁଥିବା ଏକ କଂପାନୀ ଖଣିଜ ପଦାର୍ଥ ପରିବହନ କଲେ ରାଜ୍ୟକୁ ବିପୁଳ ରାଜସ୍ବ ମିଳିବ । ଜିଲ୍ଲା ଖଣିଜ ପାଣ୍ଠିକୁ ଅଧିକ ଟଙ୍କା ଆସିବ। ଏହା ଦ୍ବାରା ଅଞ୍ଚଳର ସାମଗ୍ରୀକ ବିକାଶ ଅଧିକ ହୋଇପାରିବ । କୃଷି,ଉଦ୍ୟାନ କୃଷି,ଜଳସେଚନ, ବେକାରଙ୍କୁ କର୍ମ ନିଯୁକ୍ତିର ବହୁଳ ସୁଯୋଗ ରହିବ। ବିକାଶ ପାଇଁ ଦାବି କରୁଥିବା ବିରୋଧୀ ବିଜେଡ଼ି ଓ କଂଗ୍ରେସ ଦଳର ନେତାମାନେ ୨କମ୍ପାନୀକୁ ନେଇ ଭାଗ ଭାଗ ହୋଇଥିବାର ଦେଖିବାକୁ ମିଳୁଛି । ସ୍ଥାନୀୟ ବିଜେପି ଦଳର ନେତାମାନେ କମ ମୂଲ୍ୟରେ ଲୁଟୁଥିବା ବେଦାନ୍ତକୁ ସମର୍ଥନ କରୁଛନ୍ତି । ଶାସକ ଓ ବିରୋଧୀ ସବୁ ଦଳ ବେଦାନ୍ତ ର କି ? ସାଧାରଣ ଲୋକଙ୍କ ପାଇଁ କେହି ନୁହନ୍ତି ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି । ତଥାପି ରାଜ୍ୟ ସରକାରଙ୍କ ଏହି କ୍ଷେତ୍ରରେ ନୀରବତା ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି କରିଛି । ପ୍ରତି କଥାରେ ଓଡ଼ିଶା ସ୍ବାର୍ଥ ର କଥା କହି ତୁମ୍ବିତୋଫାନ କରୁଥିବା ବିରୋଧୀ ବିଜେଡ଼ି ଓ କଂଗ୍ରେସ ଦଳ ପକ୍ଷରୁ କୋଡିଙ୍ଗା ମାଳି ଘଟଣାରେ ପାଟି ଖୋଲୁନାହାନ୍ତି । ଏସବୁ ଦେଖି ଶୁଣି ନୀରବ ଦ୍ରଷ୍ଟା ସାଜିଥିବା ଦଳ ଗୁଡ଼ିକର ଆଭିମୁଖ୍ୟକୁ ନେଇ ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।
(କ୍ରମଶଃ)