(ପ୍ରତିଫଳନ ମିଡିଆ )
ଓଡିଶାର ସାଂଗଠନିକ କାର୍ଯ୍ୟ ତୁଲାଇବା ପାଇଁ ରାଜ୍ୟ BJP ପକ୍ଷରୁ ସାଙ୍ଗଠନିକ ନିର୍ବାଚନ ଅଧିକାରୀ ନିଯୁକ୍ତ କରାଯାଇଛି । ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି ।ସହ ନିର୍ବାଚନ ଅଧିକାରୀ ଭାବେ ୩ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ସୁକେଶି ଓରାମ, ଯତୀନ ମହାନ୍ତିଙ୍କୁ ସହ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି । ସଭ୍ୟ ସଂଗ୍ରହ ଅଭିଯାନ ସରିବାପରେ ଏବେ ନୂତନ କମିଟି ଗଠନ ପାଇଁ ପ୍ରକିୟା ଆରମ୍ଭ ହୋଇଛି । ଏଥିପାଇଁ ରାଜ୍ୟ ଠାରୁ ମଣ୍ଡଳର ସଭାପତି ହେବା ପାଇଁ ଦଳ ମଧ୍ୟରେ କସରତ ଆରମ୍ଭ ହୋଇଯାଇଛି । ଡାକରାପାଇ ଦିଲ୍ଲୀ ଯାଇଛନ୍ତି ସାଂସଦ ଷଡଙ୍ଗି ।
ଦିଲ୍ଲୀ କାର୍ୟ୍ୟାଳୟରେ ବିଜେପିର ସାଙ୍ଗଠନିକ ନିର୍ବାଚନ ବୈଠକରେ ସେ ଯୋଗ ଦେବେ। ଏହାସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବି ଦିଲ୍ଲୀ ଯାଇଛନ୍ତି । ରାଜ୍ୟ ସଙ୍ଗଠନର ନବକଳେବର ସମ୍ପର୍କରେ ବୈଠକରେ ଆଲୋଚନା ହେବ ।ପ୍ରତି ୩ ବର୍ଷର ଅବଧି ପୁରିଯାଇଛି। ବୁଥ, ମଣ୍ଡଳ, ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂତନ କମିଟି ଗଠନ ପାଇଁ କର୍ମକର୍ତା ନିର୍ବାଚନ ହେବ । ତେବେ ରାଜ୍ୟ ସଭାପତି ନେଇ ଯେଉଁ କଳ୍ପନାଜଳ୍ପନା ଚାଲିଛି ତାର ପୂର୍ଣ୍ଣଛେଦ ଟାଣିବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ । ସଂଘ ପକ୍ଷରୁ କ୍ଷେତ୍ର ସ୍ତର ରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ମତାମତ ସଂଗ୍ରହ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଦଳ ଏବେ କ୍ଷମତାରେ ଥିବାରୁ ରାଜ୍ୟ ସଭାପତିର ଭୂମିକା ଗୁରୁତ୍ବପୂର୍ଣ୍ଣ । ଏହି କ୍ଷମତାସମ୍ପପନ୍ନ ପଦବୀ ଲାଗି ଅନେକ ଆଗ୍ରହୀ । ସେଥିପାଇଁ ନିଜ ନିଜ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି । ଦଳର ବିଭିନ୍ନ ମୋର୍ଚ୍ଚା ର ମତାମତକୁ ମଧ୍ୟ ଗୁରୁତ୍ବ ଦିଆଯାଉଛି । ସାମଗ୍ରିକ ଭାବେ ସବୁ ସ୍ତରର ମତାମତକୁ ନେଇ ଦୃଢ଼ ନିଷ୍ପତି ହେବ । ରାଜ୍ୟରେ ଦଳର ସ୍ଥିତିକୁ ଆହୁରି ମଜବୁଜ କରିବା ସହ ଦଳକୁ ଅପରାଜେୟ ରଖିବା ଲାଗି ଏକ ବଳିଷ୍ଠ ନେତୃତ୍ବ ଉପରେ ଆସ୍ଥା ପ୍ରକଟ କରୁଛି । ଦଳ ଏମିତି ଏକ ଚେହେରାକୁ ସଭାପତି କରିବାକୁ ଚାହୁଁଛି ଯିଏ ଦଳ , ସରକାର ଓ ତୃଣମୂଳ ସ୍ତରର କର୍ମକର୍ତ୍ତାଙ୍କ ସହ ସମନ୍ବୟ ରକ୍ଷା କରି ଆଗକୁ ବଢ଼ିପାରିବାର କ୍ଷମତା ତାଙ୍କରି ନିକଟରେ ଥିବ । ଏଥିପାଇଁ ବର୍ତ୍ତମାନର ସଭାପତି ସମେତ କିଛି ପରାଜୟ ପ୍ରାର୍ଥୀ ଏବଂ କିଛି ଦଳୀୟ ପୁରୁଖା ସଙ୍ଗଠକଙ୍କ ନାମ ଚର୍ଚ୍ଚାର ପରିସରକୁ ଆସିଛି । ତେବେ ନିଷ୍ପତି ନେବ ସଂଘ । ସଂଘ ଯାହା ନାମ ସୁପାରିଶ କରିବ ତାକୁ ଦିଲ୍ଲୀ ମହଲରେ ସ୍ବୀକୃତି ମିଳିବ ବୋଲି ରାଜନୀତି ମହଲରେ ଆଲୋଚନା ହେଉଛି ।