(ପ୍ରତିଫଳନ ମିଡିଆ)
ନିଜ ମାଟିରେ ନିଜର ଭୋଟ ଦେବେ । ଭୋଟ ଦେବାକୁ ଆଉ ହନ୍ତସନ୍ତ ହେବେନି କୋଟିଆବାସୀ । ଗୁହାରୀ ଶୁଣିଛନ୍ତି ନିର୍ବାଚନ କମିଶନ । ନୂତନ ବୁଥ କରିବା ପାଇଁ ଓଡ଼ିଶାର ଦାବିକୁ ଗ୍ରହଣ କରିଛନ୍ତି । କୋରାପୁଟ ଜିଲ୍ଲାପାଳଙ୍କୁ କୋଟିଆର ତାଡ଼ିବାଲସାରେ ଏକ ନୂତନ ବୁଥ ଖୋଲିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଆଉ ଆମ କୋଟିଆ ଆମର ବୋଲି ପ୍ରକାରନ୍ତରେ ସ୍ବୀକୃତି ପ୍ରଦାନ କରିଛନ୍ତି ।
ଗତ ସାଧାରଣ ନିର୍ବାଚନରେ କୋଟିଆ ପଞ୍ଚାୟତର ନେରେଡିବାଲସା କିମ୍ବା ତାଡିବାଲସାରେ ଗୋଟିଏ ବୁଥ ପାଇଁ ହୋଇଥିବା ଆମ କୋଟିଆ ସଙ୍ଗଠନର ଦାବୀକୁ ନିର୍ବାଚନ ଆୟୋଗ ସ୍ଵୀକୃତି ଦେଇ ତାଡିବାଲସାରେ ଗୋଟିଏ ବୁଥ ଖୋଲିବା ପାଇଁ ଅନୁମତି ଦେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏହା ଓଡ଼ିଶାର ଏକ ନୈତିକ ବିଜୟ ବୋଲି କୁହାଯାଉଛି ।
ତାଡିବାଇସା ଗାଁ ହେରିଟେଜ ରୋଡ ଉପରେ ଥିବାରୁ ଓଡିଶାର ଭୋଟରମାନେ ଏଣିକି ସୁବିଧାରେ ଏହି ବୁଥରେ ଭୋଟ ଦେଇ ପାରିବେ ଏବଂ ଭୋଟ ହାରରେ ନିଶ୍ଚିତ ବୃଦ୍ଧି ଘଟିବ ! ଅତୀତରେ ଆନ୍ଧ୍ର ସରକାର ଏଠାରେ ଅସ୍ଥାୟୀ ମତଦାନ କେନ୍ଦ୍ର କରି ଓଡ଼ିଶାର ସ୍ବାଧୀନତାକୁ ହନନ କରିବାକୁ ଅପଚେଷ୍ଟା କରିଥିଲା । ନିର୍ବାଚନ ଆୟୋଗଙ୍କ ଅନୁମତି ପରେ ଆନ୍ଧ୍ରର ସବୁ ଯୋଜନା ଫସର ଫାଟିଲା ।
ନିର୍ବାଚନ ଆୟୋଗଙ୍କୁ ବୁଝାଇ ଏହି ଅନୁମୋଦନ ଆଣିପାରିଥିବାରୁ ଓଡିଶା ତଥା ଓଡିଆଙ୍କ ସରକାରଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି କୋଟିଆବାସୀ । ଏଣିକି ତାଡିବାଲସା ଗାଁରେ ବୁଥ ହେବ ଏବଂ ଏହି ବୁଥରେ ତାଡି ବାଲସା , ନେରେଡିବାଲସା , ଆର୍ଜୁବାଲସା , ଝିଙ୍କରବାଲସା ଆଦି ଗାଁର ଭୋଟରମାନେ ସୁବିଧାରେ ଭୋଟ ଦେଇ ପାରିବେ ।
ନିର୍ବାଚନ ଆୟୋଗ ଓଡ଼ିଶାର ଦାବୀକୁ ଗ୍ରହଣ କରି ବୁଥ ଖୋଲିବାକୁ ଆଦେଶ ଦେବା ଏକ ଶୁଭ ସଙ୍କେତ । କୋଟିଆ ଓଡ଼ିଶାର ହୋଇଥିବାବେଳେ ଆନ୍ଧ୍ର ବିଭିନ୍ନ ସମୟରେ ଏହି ଅଞ୍ଚଳ ଭିତରକୁ ପ୍ରବେଶ କରି ବିବାଦୀୟ କରିବାକୁ ଅପଚେଷ୍ଟା ଚଳାଇଛି । ଏଥିନେଇ ସର୍ବୋଚ୍ଚ ନ୍ୟାୟାଳୟରେ ବିବାଦର ବିଚାର ଚାଲିଛି । ଏଭଳି କ୍ଷେତ୍ରରେ ଓଡ଼ିଶାର ଦାବୀକୁ ଗ୍ରହଣ କରି ଆଦେଶ ଦେବା ଅର୍ଥ କୋଟିଆ ଓଡ଼ିଶାର ବୋଲି ସରକାରୀ ସ୍ତରରେ ଆଉ ଏକ ସ୍ବୀକୃତି ମିଳିବା । ଏହା ଆଗାମୀ ଦିନରେ ଏକ ବଳିଷ୍ଠ ପ୍ରମାଣ ହୋଇପାରିବ ଓଡିଶା ସରକାର ନିଜ ପକ୍ଷରେ ଯୁକ୍ତିବେଳେ ଏହାକୁ ଦର୍ଶାଇ ପାରିବେ ବୋଲି ଆମ କୋଟିଆ ସଂଗଠନର ଆବାହକ ତଥା ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କହିଛନ୍ତି ।ରାଜ୍ୟ ସରକାରଙ୍କ ଏଭଳି ଉଦ୍ୟମକୁ ସେ ପ୍ରଂଶସା କରିଛନ୍ତି । କୋଟିଆ ବାସୀ,କୋରାପୁଟ ଜିଲ୍ଲା ଓ ଓଡିଆଙ୍କ ପାଇଁ ଏହା ଏକ ଶୁଭ ସୂଚନା । ଆମ କୋଟିଆ ସଙ୍ଗଠନର ସଭାପତି ଗଦାଧର ପରିଡା ଏଥିପାଇଁ ରାଜ୍ୟ ସରକାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।