(ପ୍ରତିଫଳନ ମିଡିଆ)
ବଳ ହରାଉଛି ବିଜେଡି । ଦୁର୍ବଳ ହୋଇପଡୁଛନ୍ତି ନେତା । ବିଜେଡ଼ି ଏବେ ଆଉ ଓଡ଼ିଶାର ବଳ ହୋଇ ରହିନି କି ଲୋକଙ୍କ ଦଳ ହୋଇ ରହିନି । ବିଜେଡି ବରଂ ବୁଡି ଯାଉଥିବା ଦଳ ଭାବେ ଉଭା ହେବାକୁ ଯାଉଛି । ଏ କଥା ବିଜେଡ଼ି ନେତା ମାନଙ୍କ ବକ୍ତବ୍ୟ ରୁ ବାରି ହୋଇପଡିଛି । ଦୁର୍ନୀତିକୁ ନେଇ ଦିନେ ମନ୍ତ୍ରୀମଣ୍ଡଳରୁ ବିଦା ହୋଇଥିବା ପୂର୍ବତନ ମନ୍ତ୍ରୀ ମୋହଦୟା ବାହାପିଆ କଥା କହି ସାଧାରଣରେ କଟାକ୍ଷର ଶୀକାର ହେଲେ । ଏବେ ନିର୍ବାଚନ ହେଲେ ବିଜେଡି ୧୪୦ ଆସନ ଜିତିବ ବୋଲି କହୁଛନ୍ତି । ତେବେ ମାତ୍ର ୪ମାସରେ ନିର୍ବାଚନ ହେବ କାହିଁକି ? ପାଣି ବିନା ମାଛ ଯେପରି… କ୍ଷମତା ବିନା ବିଜେଡି ନେତା ସେପରି ବୋଲି ଲୋକେ ଚର୍ଚା କରୁଛନ୍ତି । ବିଜେଡ଼ି କ୍ଷମତାରୁ ଚାଲିଯାଇଛି ବୋଲି ବୋଧେ ତାଙ୍କ ଦଳର ବିଧାୟକ ମୋହଦୟା ଗ୍ରହଣ କରିପରୁନାହାଁନ୍ତି । କ୍ଷମତାର ମୋହରେ ଅନ୍ଧ ହୋଇଯାଇଛନ୍ତି । ନିଜକୁ ବିରୋଧୀ ଦଳରେ ରହିବାକୁ ପସନ୍ଦ କରୁ ନାହାଁନ୍ତି । ଭାଗ୍ୟ ଭଲ ନିଜ ଦଳର ଗୋଛି କଟା ରାଜନୀତି ଭିତରେ ମୋହଦୟା ହାରୁ ହାରୁ ଜିତି ଯାଇଛନ୍ତି । ହେଲେ କରିବେ କଣ ?ସରକାର ନିଜ ଦଳର ଆଉ ନାହିଁ।ଲୋକେ ପୂର୍ବ ପରି ପଚାରୁ ନାହାଁନ୍ତି । ଜିଲ୍ଲାରେ ଆଉ କଣ ଖାତିରି ଅଛି ? । ସେଥିପାଇଁ ତାଙ୍କ ମନ ଭାରି କଷ୍ଟ । ତାଙ୍କ ଭଳି ଏବେ ସବୁ ବିଜେଡି ନେତାଙ୍କ ଅବସ୍ଥା ଠିକ ଏମିତି । କ୍ଷମତାର ଲୋଭରେ ପାଗଳର ପ୍ରଳାପ କରୁଛନ୍ତି ।
ମାତ୍ର ଚାରି ମାସ କ୍ଷମତାକୁ ଛାଡି ରହି ପାରୁ ନାହାଁନ୍ତି । ଆହୁରି ଆଗକୁ ଅଛି । ବିଜେଡିର ଏକଛତ୍ରବାଦ ଶାସନର ଅସଲି ମୋହରାମାନେ କାବୁ ହୋଇ ରହି ପାରୁ ନାହାଁନ୍ତି । ନିଜର ପାପ ନିଜକୁ ଖାଉଛି । ଭିଜିଲାନ୍ସ ଜାଲର ଯେତିକି ଭୟ ବିଜେପି ସରକାରର ଆକ୍ରମଣାତ୍ମକ ସୁଶାସନ ତାଠାରୁ ଅଧିକ ଭୟ ସୃଷ୍ଟି କରିଛି । ସେମାନଙ୍କ ମଞ୍ଜ ଥରାଇ ଦେଉଛି ପ୍ରତିକ୍ଷଣ । ଅନେକ ନିଜକୁ ପ୍ରମାଦ ଗଣୁଛନ୍ତି । ଯେକୌଣସି ମୁହୂର୍ତ୍ତରେ ଖଣ୍ଡା ମୁଣ୍ଡରେ ଛିଡି ପଡିବାର ଆଶଙ୍କାରେ ବାଉଳି ହେଉଛନ୍ତି । ଗତ ଦିନର ଦୁର୍ନୀତି ବିଜେଡି ନେତାଙ୍କୁ ସ୍ଥାୟୀ ବସେଇ ଦେଉନି । ବିଜେପିର ସ୍ପଷ୍ଟ ନୀତି । ଯିଏ ଦୁର୍ନୀତି ଗ୍ରସ୍ତ ସେ ବଳେ କାବୁରେ ପଡିବ ଓ ଜେଲ ଯିବ ନିଶ୍ଚିତ । ସେଇକ୍ରମରେ ନୂଆ ସରକାର ଆସିବା ପରେ ଭିଜିଲାନ୍ସ ବହୁତ ସକ୍ରିୟ ହୋଇପଡିଛି । ବହୁ ପୁରୁଣା ମୂଷାକୁ ନିଜ ଯନ୍ତ୍ରାରେ ଧରିବାରେ ସଫଳ ହୋଇପାରିଛି । ଏଣେ ଭିଜିଲାନ୍ସ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁର୍ନୀତି ବିରୋଧରେ ଦୃଢୋକ୍ତି ଆହୁରି ସେମାନଙ୍କ ମଧ୍ୟରେ ଅଧିକ ଛନକା ପଶି ଯାଇଛି । ନିଜ ଭିତରେ ଥିବା ଅହେତୁକ ଭୟ ନିଜକୁ ମାରି ଗୋଡ଼ାଉଛି ।
ସବୁଠୁ ବଡ଼ କଥା ହେଲା କ୍ଷମତାର ବିଜେଡି ଓ ପରାଜୟ ପରର ବିଜେଡି ଭିତରେ ଆକାଶ ପାତାଳ ଫରକ । ମୂଳରୁ ଦଳରେ ଗଣତନ୍ତ୍ର ବୋଲି କିଛି ନଥିଲା । କିନ୍ତୁ ଶୃଙ୍ଖଳା ଟିକକ ଥିଲା। କ୍ଷମତା ଲୋଭରେ ନେତାମାନେ ଯାହା କିଛି ଆଗରୁ ମାନୁ ଥିଲେ । ଦଳ ହାରି ଗଲାପରେ ଏବେ ତାହା ଆଦୌ ନାହିଁ । ଆଗରେ ଦଳରୁ ବିଦା ହେବାର ଭୟରେ ଭିଡି ମୋକଚି ପାଟି ନ ଖୋଲି ଜଣେ ବ୍ୟକ୍ତିଙ୍କ ଦହଗଞ୍ଜକୁ ସହୁଥିଲେ । କ୍ଷମତାଚ୍ୟୁତ ପରେ ଏବେ ସମସ୍ତେ ନିଜର ଓ ଦଳର ଅପାରଗତା ସମ୍ପର୍କରେ ଖୋଲାଖୋଲି ଗପୁଛନ୍ତି । ପୂର୍ବ ପରି ଦଳର ସୁପ୍ରିମୋ ନିଦା ବିଷ୍ଣୁ ଭଳି ଚୁପ ଅଛନ୍ତି । ଦଳର ନେତା ମାନେ ପରସ୍ପର ମଧ୍ୟରେ ଆକ୍ଷେପ ,ଆରୋପ ପ୍ରତ୍ୟାରୋପ କରୁଛନ୍ତି।ମୌନେ ସମ୍ମତି ଲକ୍ଷଣ ଭଳି ନବୀନ ଦୁର୍ନୀତି ଓ ବିଶୃଙ୍ଖଳାକୁ ପ୍ରଶୟ ଦେଇଛନ୍ତି ଓ ଦେଉଛନ୍ତି ବୋଧେ । ଏପଟେ ଜଣେ ପରେ ଜଣେ ଦଳ ଛାଡି ଯାଉଛନ୍ତି । ଲାଗୁଛି ବିଜେଡିରେ ଦଳୀୟ ନେତୃତ୍ୱ ସଙ୍କଟ ଦେଖା ଯାଉଛି ।ଏବେ ନବୀନଙ୍କୁ ନେତା ଭାବେ ଦେଖିବାକୁ ଅନେକଙ୍କ ଆଦୋୖ ଇଚ୍ଛା ନାହିଁ । ନବୀନଙ୍କ ଉତ୍ତରାଧିକାରୀକୁ ଆଣିବାକୁ ଦଳର ଏକ ଗୋଷ୍ଠୀ ଆଗ୍ରହ ରଖୁଛନ୍ତି । ନୂଆ ଚେହେରାରେ ପୁଣି ବିଜେଡି କ୍ଷମତାକୁ ଫେରିବ ବୋଲି ସେମାନେ ମତ ରଖିଛନ୍ତି । କିଂନ୍ତୁ ଆଉ ଏକ ଗୋଷ୍ଠୀ ଏହାକୁ ନା ପସନ୍ଦ କରିଛନ୍ତି ।
ବିଜେଡି ପ୍ରତି ବିଜେଡି ନେତାଙ୍କ ବୈରାଗ୍ୟ ମନୋଭାବ ହିଁ ଦଳକୁ ସଙ୍କଟ ଆଡ଼କୁ ନେଉଛି । ଥୋକାଏ ଦଳରେ ନିଜର ଦବଦବା ଜାହିର ପାଇଁ ହୋଟେଲରେ ବିଚାର କରି ସୋସିଆଲ ମିଡିଆରେ ଫୋଟୋ ଛାଡ଼ୁଛନ୍ତି । କିଛି ନେତା ଦଳ ତ୍ୟାଗ କରି ସାରି ବିଜେପିରେ ମିଶି ଗଲେଣି । ଆଉ କିଛି ବିଜେଡିର ରହି ବିଜେଡି ବିରୋଧରେ ଖୋଲାଖୋଲି ଆଲୋଚନା କରୁଛନ୍ତି । ସେମାନଙ୍କୁ କାଉଣ୍ଟର ଏଟାକ କରୁଛନ୍ତି ଦଳର ମୁଖପାତ୍ର । ବିଜେଡି ସୁପ୍ରିମୋ ଭଳି ଦଳ ଛାଡି ଯିବାକୁ ପରାମର୍ଶ ଦେଉଛନ୍ତି । ଏଭଳି ଆରୋପ ପ୍ରତ୍ୟାରୋପ ଦଳକୁ ରସାତଳକୁ ଟାଣି ନେଉଛି । ବିଜେଡି ଶୃଙ୍ଖଳିତ ଦଳ ବୋଲି ଯେତେ କହିଲେ ବି ଓଡ଼ିଶାବାସୀ ନଜରରେ ଦଳର ଛବି ମଳିନ ହୋଇ ପଡ଼ିଲାଣି । ରାଜ୍ୟରେ କଂଗ୍ରେସ ଠାରୁ ଆହୁରି ଅଧିକ ବିଶୃଙ୍ଖଳିତ ଦଳ ଭାବେ ବିଜେଡି ନିଜର ପରିଚୟ ଇତି ମଧ୍ୟରେ ସୃଷ୍ଟି କରି ସାରିଲାଣି ।
ନିର୍ବାଚନରେ ଯେଉଁ କାରଣ ପାଇଁ ଦଳ ଧୂଳି ଚାଟିଲା ସେହି ସବୁ କାରଣଗୁଡିକ ଏବେ ବି ସକ୍ରିୟ ଅଛି ସେମିତି । ସେହି ଚେହେରା ମାନଙ୍କୁ ଦଳର ଅଧିକାଂଶ ନେତୃବୃନ୍ଦ ଚାହୁଁ ନାହାଁନ୍ତି । ସମୀକ୍ଷା ବୈଠକରେ ବି ବିଭିନ୍ନ ଜିଲ୍ଲାର ନେତୃବୃନ୍ଦ ଏ କଥା ଖୋଲାଖୋଲି ନବୀନଙ୍କୁ ଜଣେଇ ସାରିଛନ୍ତି । ତାପରେ ବି ଫଳ ଶୂନ୍ୟ ଥିବାରୁ ଦଳର କାର୍ଯ୍ୟକ୍ରମରେ ବି ଅଂଶ ଗ୍ରହଣ କରିବାକୁ ଆଗ୍ରହ ପ୍ରକଟ କରୁ ନାହାଁନ୍ତି ଅନେକ ନେତା । ଯାହାର ପ୍ରଭାବ ସଦସ୍ୟତା ଅଭିଯାନବେଳେ କ୍ଷେତ୍ର ସ୍ଥଳରେ ଦେଖିବାକୁ ମିଳିଥିଲା । ସବୁ ଜିଲ୍ଲା ଓ ବିଧାନସଭା କ୍ଷେତ୍ରରେ ବିବାଦ ଓ ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଁଚିଛି । ପରସ୍ପରକୁ ଦାୟୀ କରିବା ପ୍ରକ୍ରିୟା ଅବ୍ୟାହତ ରହିଛି । ଦଳ ପ୍ରତି ଆନୁଗତ୍ୟ ଅପେକ୍ଷା ନିଜର ଆତ୍ମ ବଢିମାକୁ ପ୍ରଦର୍ଶନ କରିବାକୁ ଲାଗିପଡିଛନ୍ତି । କର୍ମୀଙ୍କ ମତାମତକୁ ଗୌଣ କରି ନେତାମାନେ ନିଜ ନିଜ ଭିତରେ ଗୋହି ଖୋଳି ଚାଲିଛନ୍ତି । ରାଜ୍ୟର ଅନେକ ବିଜେଡି ସକ୍ରିୟ କର୍ମୀ ସେମିତିରେ ବିଜେପିରେ ସାମିଲ ହୋଇ କାମ ଆରମ୍ଭ କରି ସାରିଲେଣି । ଅନେକ ନେତା ସୁଯୋଗ ଅପେକ୍ଷାରେ ଅଛନ୍ତି । ଉପଯୁକ୍ତ ପାଣିପାଗ ଦେଖି ଗେରୁଆ ରଙ୍ଗରେ ରଙ୍ଗେଇ ହେବାକୁ ମନସ୍ଥ କରିଛନ୍ତି ।
ଅପ୍ରତ୍ୟାଶିତ ଭାବେ ବିଜେଡିର ଏଭଳି ଅବକ୍ଷୟ ରାଜନୈତିକ ପଣ୍ଡିତ ମାନଙ୍କୁ ଚକିତ କରିଛି । ସେମାନଙ୍କ ମତ ହେଲା ଦଳରେ ଯେହେତୁ ପ୍ରକୃତ କର୍ମୀ ନଥିଲେ । ଅଧିକାଂଶ କର୍ମୀ ବୋଲାଉଥିବା ବ୍ୟକ୍ତିଗଣ କଣ୍ଟ୍ରାକ୍ଟର, ବେପାରୀ ଓ ମଧ୍ୟସ୍ଥି ଥିଲେ । କ୍ଷମତା ପରିବର୍ତ୍ତନ ପରେ ସେମାନେ ବି ଦଳ ତ୍ୟାଗ କରି କ୍ଷମତା ପଛରେ ଏବେ ଗୋଡାଉଛନ୍ତି । ବିଜେପି ସେମାନଙ୍କୁ ଗ୍ରହଣ କରିବାକୁ ଆଗ୍ରହ ରଖୁନି । ସେମାନଙ୍କ ଅବସ୍ଥା ନା ଏକୂଳର ନା ସେକୂଳର ହୋଇ ଅଛି । ମାତ୍ର ଚାରିମାସରେ ବିଜେଡିର ଏଇ ସ୍ଥିତି ଆଗାମୀ ଦିନରେ ଭୟଙ୍କର ହେବ ବୋଲି ସେମାନେ ମତ ରଖୁଛନ୍ତି । ବିଜେଡି – ଏବେ ବୁଡି ଯାଉଥିବା ଦଳ ବୋଲି ସାଧାରଣରେ ଆଲୋଚନା ହେଉଛି ।