●ଡିସେମ୍ବର ୧୫ରେ ହେବ ରାୟଗଡ ସାହିତ୍ୟ ମହୋତ୍ସବ●କଥାକାର ତରୁଣକାନ୍ତି ମିଶ୍ର ପାଇବେ ରାୟଗଡ ସାହିତ୍ୟ ସମ୍ମାନ

(ପ୍ରତିଫଳନ ମିଡିଆ)
ରାଜ୍ୟ ସ୍ତରୀୟ ସାହିତ୍ୟ ଉତ୍ସବ ରାୟଗଡ ସାହିତ୍ୟ ମହୋତ୍ସବ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କମିଟିର ସଭାପତି ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆଗାମୀ ଡିସେମ୍ବର ୧୫ ତାରିଖରେ ଚଳିତବର୍ଷର ରାୟଗଡ ସାହିତ୍ୟ ମହୋତ୍ସବ ଆୟୋଜିତ ହେବା ନେଇ ସ୍ଥିର ହୋଇଥିଲା । ଗତବର୍ଷ ପରି ଚଳିତ ବର୍ଷ ବି ତିନୋଟି ଅଧିବେଶନରେ ଆୟୋଜିତ ହେବ ଏବଂ ଉଦଘାଟନୀ ସମାରୋହ ବ୍ୟତୀତ ଗଳ୍ପ ଓ କବିତା ଅଧିବେଶନ ହେବା ନେଇ ସମ୍ମତି ପ୍ରକଟ ପାଇଥିଲା । ସ୍ଥାନୀୟ ନିମନ୍ତ୍ରିତ ସାହିତ୍ୟିକମାନଙ୍କ ଦ୍ଵାରା ଗଳ୍ପ ଓ କବିତା ପଠନ କାର୍ଯ୍ୟକ୍ରମ ହେବ । ଚଳିତ ବର୍ଷ ରାୟଗଡ ସାହିତ୍ୟ ସମ୍ମାନ ପାଇବେ ବିଶିଷ୍ଟ କଥାକାର ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର । ଏହା ସାଧାରଣ ପରିଷଦ ବୈଠକରେ ସର୍ବସମ୍ମତି ନିଷ୍ପତି କ୍ରମେ ଗ୍ରହଣ କରାଯାଇଥିଲା । ଶ୍ରୀଯୁକ୍ତ ମିଶ୍ର ରାୟଗଡ ସାହିତ୍ୟ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିବା ସହ ରାୟଗଡ ସାହିତ୍ୟ ସମ୍ମାନ ଗ୍ରହଣ କରିବେ । ଏଥିସହ ଗଳ୍ପ ସୋପାନରେ ମୁଖ୍ୟ ଅତିଥି ଭାବେ ଡ଼ଃ ଜୟନ୍ତୀ ରଥ ଯୋଗ ଦେଇ ଓଡ଼ିଆ ଗଳ୍ପର ଇତିହାସ ଓ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ନିଜର ବକ୍ତବ୍ୟ ରଖିବେ । ବିଶିଷ୍ଟ କଥାକାର ଡ଼ଃ ପ୍ରଦୀପ କୁମାର ମିଶ୍ର ଓଡ଼ିଆ ଗପ ଉପରେ ନିଜର ଭିତ୍ତି ବକ୍ତବ୍ୟ ରଖିବେ । ସେହିପରି କବିତା ସୋପାନରେ ମୁଖ୍ୟ ଅତିଥି ଭାବେ ଡ଼ଃ କବିତା ବାରିକ ଯୋଗ ଦେବେ ଏବଂ ଡ଼ଃ କମଳାକୃଷ୍ଣ ତ୍ରିପାଠୀ କବିତା ଉପରେ ଭିତ୍ତିବକ୍ତବ୍ୟ ରଖିବେ । ଅନୁବାଦରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ ଆମ ମାଟିର ଗୌରବ ବଙ୍ଗାଳୀ ନନ୍ଦଙ୍କୁ ଉତ୍ସବରେ ସମ୍ମାନିତ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ଏହି ଅବସରରେ ସ୍ଥାନୀୟ ସାହିତ୍ୟିକଙ୍କ ରସାଳ ସୃଜନରେ ସମୃଦ୍ଧ ମହୋତ୍ସବର ମୁଖପତ୍ର ଶବ୍ଦରାଗ ପ୍ରକାଶନ ହେବ । ସମ୍ପାଦକ ସୁଶାନ୍ତ କୁମାର ନାୟକ ସ୍ଵାଗତ ଅଭିଭାଷଣ ସହ ଚଳିତ ସାହିତ୍ୟ ମହୋତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ । ଡ଼ଃ ମହାନ୍ତି ମହୋତ୍ସବର ସଫଳ ଆୟୋଜନ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ମହୋତ୍ସବର ଉପଦେଷ୍ଟା ଗୋପୀନାଥ ସାହୁ ଏବଂ କିର୍ତ୍ତୀ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମର ସଫଳତା ପାଇଁ ନିଜସ୍ଵ ବିଚାର ରଖିଥିଲେ । ସଂଗଠନ ସମ୍ପାଦକ ଡ଼ ଦ୍ବିତୀ ଚନ୍ଦ୍ର ସାହୁ ମହୋତ୍ସବର ସାମଗ୍ରିକ ରୂପରେଖ ଏବଂ ବିବିଧ କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଡ଼ ବିପିନ ବିହାରୀ ବିଶ୍ବାଳ, ଜଗଦୀଶ ଚନ୍ଦ୍ର ଦୋରା, କୋଷାଧ୍ୟକ୍ଷ ରବି ଶତପଥି, ଡ଼ଃ ପ୍ରସନ୍ନ କୁମାର ଗନ୍ତାୟତ, ବିନୋଦ ପାତ୍ର, ଲାବଣ୍ୟ ମୋହନ ପଟ୍ଟନାୟକ, ଅରୁଣ କୁମାର ପାଣିଗ୍ରାହୀ, ବିମଳ ଚାନ୍ଦ ପଟ୍ଟନାୟକ, ଶ୍ରୀଧର ପଟ୍ଟନାୟକ, ନିଳାଞ୍ଚଳ ମିଶ୍ର, ଶରତ ଚନ୍ଦ୍ର ରାଉତ, ଲୋକନାଥ ପଣ୍ଡା, ମଞ୍ଜୁଶ୍ରୀ ମୂଖାର୍ଜୀ, ତ୍ରିବେଣୀ ମିଶ୍ର, କଲ୍ୟାଣୀ ସାସମଲ, ସସ୍ମିତା କୁମାରୀ ଆଚାର୍ଯ୍ୟ, ସସ୍ମିତା ମିଶ୍ର, ମହାଶ୍ଵେତା ପାଣିଗ୍ରାହୀ, ପ୍ରଶାନ୍ତି ସାହୁ, ଅରୁଣ କୁମାର ଲେଙ୍କା ପ୍ରମୁଖ ଯୋଗଦେଇ ମହୋତ୍ସବର ସଫଳତା ନେଇ ନିଜ ନିଜର ପ୍ରସ୍ତାବ ରଖିଥିଲେ ।

Spread the love