(ପ୍ରତିଫଳନ ମିଡ଼ିଆ)
ଗୁଣି ସନ୍ଦେହରେ ଗୋଟିଏ ପରିବାରର ମାଆ ବାପା ଓ ଝିଅ ର ଟ୍ରିପଲ ମର୍ଡର ଘଟଣାରେ ରାୟଗଡା ଜିଲ୍ଲା ପୁଟାସିଂ ଥାନା କିତୁଙ୍ଗ ଗାଁ ର 9 ଜଣଙ୍କୁ ଫାଶି ଦଣ୍ଡାଦେଶ ଶୁଣା ଯାଇଥିଲା | ଫାଶି ଦଣ୍ଡାଦେଶ କୁ କୋହଳ କଲେ ହାଇକୋର୍ଟ ଙ୍କ ଖଣ୍ଡପୀଠ | ଦଣ୍ଡାଦେଶ କୋହଳ କରି ଆଜୀବନ କାରାବାସରେ ପରିଣତ କରିଛନ୍ତି।ଏବେ ଜେଲ ଦଣ୍ଡ ଭୋଗୁଥିବା ସଦସ୍ୟ ଓ ପରିବାର ଲୋକେ ଆଶ୍ୱସ୍ତ ହୋଇଥିବା କହିଛନ୍ତି | ଏଥିସହ ଜେଲ ରୁ କିପରି ମୁକୁଳିବେ ସେନେଇ ପ୍ରୟାସ କରାଯିବା ନେଇ କହିଛନ୍ତି |
ଫ୍ଲାସ ବେକ
ଆସିନ ଶବର ଓ ତାଙ୍କ ସ୍ତ୍ରୀ ଆମ୍ବେୟା ଶବର ଓ ଝିଅ ଆସୁନି ଶବରଙ୍କ ପରିବାରକୁ ଗୁଣି ସନ୍ଦେହ କରି ତାଗିଦ୍ କରିଥିଲେ ଗାଁ ଲୋକ।ଏତିକି ବେଳେ ଗାଁରେ ଜ୍ବର ଓ ଝାଡା ଭଳି ରୋଗରେ ପଡି କିଛି ଜଣଙ୍କ ଜୀବନ ମଧ୍ୟ ଚାଲିଗଲା । ସନ୍ଦେହ ଦୃଢ଼ୀଭୂତ ହୋଇଗଲା । ୨୦୧୬ ମସିହା ସେପ୍ଟେମ୍ବର ୯ ତାରିଖରେ ପରିବାରର ତିନି ଜଣଙ୍କୁ ଗୁଣି ସନ୍ଦେହରେ -ଗାଁର ଯୁବକମାନେ ଆଣିଥିଲେ । ପରେ ଏକ ଗୁହାଳରେ ବାନ୍ଧି ରଖିଥିଲେ । ସେଠାରେ ମାଆ ଓ ଝିଅଙ୍କ ସମ୍ବେଦନଶୀଳ ସ୍ଥାନରେ ବିଷ ପ୍ରୋୟଗ କରି ଜଘନ୍ୟ ଓ ବର୍ବରିତ ଭାବେ ଗାଁ ଠାରୁ କିଛି ଦୂର ପାହାଡ ନିକଟରେ ମାଟି ତଳେ ପୋତି ଦେଇଥିଲେ । କାଳେ ଏହି ଖବର ପ୍ରଘଟ ହେବ ଭାବି ପୁଣି ମାଟି ତଳୁ ବାହାର କରି ପୋଡି ଦେଇ ମାଟି ଘୋଡେଇ ଦେଇଥିଲେ ।
ପରେ ଏହି ଖବର ବାହାରକୁ ଆସିଥିଲା । ପୁଟାସିଂ ପୋଲିସ୍ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରି ( କେସ୍ ନମ୍ବର ୧୭-୨୦୧୬) ଗାଁର ୧୦ ଜଣଙ୍କୁ ଗିରଫ୍ କରିଥିଲା । ଆଉ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ମାଟି ତଳୁ ନମୁନା ସଂଗ୍ରହ କରିଥିଲା । ଏହି ମାମଲାରେ ଜଣେ ବାଳ ଅପରାଧି ସହ ୧୦ ଜଣଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରାଯାଇଥିଲା । ସେଥିରୁ ଜଣେ ବାଳ ଅପରାଧି କୁ ରାୟଗଡା ସ୍ଥାନାନ୍ତର କରି ୯ ଜଣଙ୍କୁ ଗୁଣପୁର ଅଣାଯାଇଥିଲା । ସେହି ଦିନଠାରୁ ସମସ୍ତ ୯ ଜଣ ଗୁଣପୁର ଉପ କାରାଗାରରେ ବିଚାର ଦିନ ବନ୍ଦି ଭାବେ ଜୀବନ ବିତାଉଥିଲେ । ଏହି ୯ ଜଣ ଙ୍କୁ ଗତ 2018 ମସିହା ଏପ୍ରିଲ 13 ତାରିଖରେ ଏଡିଜେ କୋର୍ଟରେ ଦୋଷି ସାବ୍ୟସ୍ତ ହୋଇଥିବା ଓ କୋଠର ଦଣ୍ଡ ବିଧାନ ସଦୃଶ୍ୟ ଫାଶି ଦଣ୍ଡାଦେଶ ଶୁଣାଇ ଥିଲେ ମାନ୍ୟବର ଏଡିଜେ ଡ.ଶୁଭେନ୍ଦୁ କୁମାର ପତି । ଫାଶି ଦଣ୍ଡାଦେଶ ପାଇଥିବା ୯ ଜଣ ଅଭିଯୁକ୍ତମାନେ ହେଲେ କିତୁଙ୍ଗ ଗାଁ ର ଡେଙ୍ଗୁନ ଶବର .ଡଲସ ଶବର, ଆଦନ୍ତ ଶବର ,ପଡନ୍ତୁ ଶବର, ମାଲାପୁ ଶବର, ଇରୁ ଶବର, ବୁବୁନା ଶବର, ଜାମାସୁ ଶବର ଓ ବସନ୍ତ ଶବର । ପରେ ଫାଶି ଦଣ୍ଡାଦେଶ ବିରୋଧ ରେ ହାଇକୋର୍ଟ ର ଦ୍ୱାରସ୍ଥ ହୋଇଥିଲେ ସମସ୍ତେ |ହାଇକୋର୍ଟ ପୁଣି ପୁନଃ ବିଚାର କରିବା ପାଇଁ ତଳ କୋର୍ଟ କୁ ମାମଲା ପଠାଇ ଥିଲେ | ପରବର୍ତ୍ତୀ ମୂହୁର୍ତ୍ତ ରେ ମାମଲାର ବିଚାରଣା କରି ରାୟ କାଏମ ରଖିଥିଲେ | ପୁଣି ଏହି ମାମଲା ହାଇକୋର୍ଟରେ ପହଞ୍ଚି ଥିଲା | ଏହି ମାମଲାର ବିଚାରଣା କରି ହାଇକୋର୍ଟ ଙ୍କ ଖଣ୍ଡପୀଠ ( ସଙ୍ଗମ ସାହୁ ଓ ଆର୍ କେ ପଟ୍ଟନାୟକ) ରାୟ ପ୍ରକାଶ କରିଛନ୍ତି | ଫାଶି ଦଣ୍ଡାଦେଶ କୁ କୋହଳ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି | ଏହାପରେ ୯ଟି ପରିବାର ଲୋକ ଆଶ୍ବସ୍ତି ଲାଭ କରିଛନ୍ତି ।