ବିକଳ୍ପ ପକ୍ଷରୁ ବାଲ୍ୟ ବିବାହ ନିରୋଧି ସଚେତନତା ଅଭିଯାନ

ରାୟଗଡ଼ା(ପ୍ରତିଫଳନ ମିଡ଼ିଆ)
ବିକଳ୍ପ ପକ୍ଷରୁ ରାୟଗଡା ବ୍ଲକ ଜପାଖାଲ ଗ୍ରାମରେ ବାଲ୍ୟ ଵିଵାହ ରୋକିବା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିକଳ୍ପର ସଭାପତି ଡ଼ ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତା ରେ ଗ୍ରାମରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିକଳ୍ପର ସମ୍ପାଦକ ଜଗଦୀଶ ଚନ୍ଦ୍ର ଦୋରା ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବାବେଳେ ଅଧ୍ୟକ୍ଷ ଡ଼ ମହାନ୍ତି ସଚେତନତା ଅଭାବରୁ ରାଜ୍ୟରେ ରାୟଗଡ଼ା ଜିଲ୍ଲାରେ ଅଧିକ ପରିମାଣରେ ବାଲ୍ୟ ବିବାହ ହେଉଥିବାରୁ ଆମ ସମାଜ ପାଇଁ ଚିନ୍ତାଜନକ ଓ ଏ ଦିଗରେ ସମସ୍ତେ ମିଳିମିଶି ବାଲ୍ୟ ବିବାହ ପ୍ରଥାକୁ ଦୂର କରିବାକୁ ପଡିବ ବୋଲି ଗୁରୁତ୍ବାରୋପ କରିଥିଲେ । ଶିକ୍ଷକ ତଥା ସାହିତ୍ୟିକ ଡ଼ ଦ୍ବିତୀଚନ୍ଦ୍ର ସାହୁ ବାଲ୍ୟ ବିବାହ ରୋକିବାକୁ ଆମ ଦେଶରେ ଥିବା ଆଇନ ବ୍ୟବସ୍ଥା , ବିବାହର ବୟସ ସୀମା ସହ ବାଲ୍ୟ ବିବାହ ନିରୋଧି ବିବିଧ ପଦକ୍ଷେପ ନେଇ ଗ୍ରାମବାସୀଙ୍କୁ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାବୁଲାଲ ଗନ୍ତାୟତ ବାଲ୍ୟ ବିବାହ ଦ୍ଵାରା ପରବର୍ତ୍ତୀ ସମୟରେ ହେଉଥିବା ଶାରୀରିକ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ଗ୍ରାମର ପିଲାଙ୍କୁ ଆନନ୍ଦମୟ ଶିକ୍ଷଣ କୌଶଳ ଜରିଆରେ ଶିକ୍ଷାଦାନ ପ୍ରଦାନ କରାଯାଇଥିଲା । ଗ୍ରାମର କିଶୋରକିଶୋରୀଙ୍କୁ ନେଇ ବାଲ୍ୟ ବିବାହ ବିରୋଧରେ ସଚେତନତା ମୂଳକ ଏକ ରାଲି ଗ୍ରାମ୍ୟ ପରିକ୍ରମା ସହ ଘର ଘର ବୁଲି ସଚେତନତା କରାଯାଇଥିଲା । ଆଗକୁ ବିକଳ୍ପ ପକ୍ଷରୁ ଏଭଳି ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିକଳ୍ପ ପରିବାରର ସଦସ୍ୟ ଡ: ବିନୋଦ କୁମାର ପାତ୍ର, ଡ:ଅର୍ଚ୍ଚନା ପଟ୍ଟନାୟକ,ବିରବବୁ, ମନ୍ମଥ ତୁଳ ଉପସ୍ଥିତ ଥିଲେ ଏବଂ ଏଥିରେ ଗାଁ ଲୋକେ ସହଯୋଗ କରିଥିଲେ ।

Oplus_131106

Spread the love