ରାୟଗଡାର ଇଡିଲି

ସକାଳ ହେଲେ ଲୋଡା କିଛି ହାଲକାଫୁଲକା ଖାନା । ସେଥିପାଇଁ ଅଫିସ ଯିବା ପୂର୍ବରୁ ସୁଆଦିଆ ଜଳଖିଆ ମିଳିଗଲେ ମନ ତୃପ୍ତି ଓ ପେଟ ଭର୍ତ୍ତି । ତେଣିକି ଦ୍ୱିପହର ଯାଏ ଚିନ୍ତା ନାହିଁ । ହେଲେ ଜଳଖିଆ ଭିତରେ ଇଡିଲିର ସ୍ଥାନ କିନ୍ତୁ ସ୍ୱତନ୍ତ୍ର । ତାହା ପୁଣି ରାୟଗଡର ଇଡିଲି । ଯିଏ ଖାଇଛି ସେ ତାର ସ୍ୱାଦକୁ ଭୁଲି ପାରିବନି । ଏକାଧିକ ଚଟଣି ଓ ସାମ୍ବର ସହ ତୁଳା ପରି ମୁଲାୟମ ଇଡିଲିର ନିଆରା ସ୍ୱାଦ ଆଉ ଆପଣ କେଉଁଠି ପାଇବେ ନାହିଁ । ରାୟଗଡର ଇଡିଲିକୁ ନେଇ ପ୍ରତିଫଳନର ସ୍ୱତନ୍ତ୍ର ପ୍ରସ୍ତୁତି –

ରାୟଗଡ ଆସିଛନ୍ତି ଆଉ ସକାଳୁଆ ସମୟ ହୋଇଛି ତାହା ହେଲେ ନିଶ୍ଚୟ ଇଡ଼ଲି (ଏଣ୍ଡୁରି) ଖାଇବାକୁ ଭୁଲିବେ ନାହିଁ । ଆପଣ ସହର ପାଇଁ ନୂଆ ହୋଇଛନ୍ତି । ତଥାପି ଅଜାଣତରେ ଆପଣ ଜଳଖିଆ ପାଇଁ ବରାଦ କରିଛନ୍ତି । ତେବେ ପ୍ୟାକେଟ ଖୋଲିବେ ପାଇବେ ଇଡିଲି । ରାୟଗଡର ଇଡିଲିର ରହିଛି ନିଆରା ସ୍ୱାଦ । ହାତକୁ ଯେମିତି ନରମ ,ପାଟିକୁ ସେମିତି ସ୍ୱାଦ । ବିରି ଓ ସୁଜିର ମିଶ୍ରଣରେ ତିଆରି ହେଉଥିବା କଥା ସମସ୍ତେ ଜାଣିଥିଲେ ହେଁ ଅନୁପାତ ଜନିତ କାରଣରୁ ରାୟଗଡର ଇଡିଲିର ରହିଛି ଅଦ୍ଭୁତ ସ୍ଵାଦ । ଏଠାକାର ଇଡିଲିରେ ବି ପ୍ରକାର ଭେଦ ରହିଛି । ବିଭିନ୍ନ ଆକାରର ଇଡିଲିକୁ ଦେଖିପାରିବେ ଏଠି । ଆଉ ନିଜ ପସନ୍ଦର ଖାଇପାରିବେ ।

Oplus_131072

ଭିନ୍ନ ଭିନ୍ନ ଇଡ଼ଲି

 ସାଧାରଣତଃ ଇଡିଲି ଗୋଲ ଓ ଚେପଟା ହୋଇଥିବାବେଳେ ଏଠାରେ ଗ୍ଲାସ ଇଡିଲି ଓ କୁଡୁମ ଭଳି ବଡ ଗୋଲ ଓ ଚେପଟା ଆକାରର ଇଡିଲି ପାଇବେ । ଛୋଟ ଛୋଟ ଗ୍ଲାସ ଭିତରେ ଇଡିଲି ବଟା ଦେଇ ଗ୍ଲାସ ଇଡିଲି ପ୍ରସ୍ତୁତ କରାଯାଉଥିବା ବେଳେ ବଡ ହାଣ୍ଡିର ମୁହଁରେ କପଡା ଲଗାଇ ତାଦେହରେ ଇଡିଲି ବଟା ଦେଇ ପ୍ରସ୍ତୁତ ହୁଏ କୁଡୁମ । କୁଡୁମ  ଓ ଗ୍ଲାସ ଭଳି ଆକାର ଇଡିଲି ଓଡିଶାର ଅନ୍ୟ କୌଣସି ଅଂଚଳରେ ଦେଖିବାକୁ ମିଳେନି । ଗୋଟିଏ କୁଡୁମ ଖାଇଲେ ପେଟ ଭର୍ତ୍ତି ହୋଇଯାଏ । ସେହିପରି କଡେଇରେ ପ୍ରସ୍ତୁତ ହୁଏ ପୋଡା ଇଡ଼ଲି ।  ଏହାକୁ ମଧ୍ୟ ଉତାପା ବୋଲି ମଧ୍ୟ କୁହାଯାଏ । କୁଡୁମ ଭଳି ଟିକେ ଆକାରରେ ବଡ଼ ହୋଇଥିଲେ ମଧ୍ୟ ସ୍ଵାଦ ଖୁବ ଚମତ୍କାର । ଖାଇବା ଲୋକ ହିଁ ଅନୁଭବ କରିପାରିବ । ଓଡ଼ିଆ ଘର ପୋଡ଼ ପିଠା ଭଳି ପୋଡା ଇଡ଼ଲି ପ୍ରସ୍ତୁତ କରାଯାଇଥାଏ । ଇଡିଲିରେ ବିଭିନ୍ନ ଉପାଦାନ ପକାଇ ଅଲଗା ଅଲଗା ଇଡିଲି ବି ପ୍ରସ୍ତୁତ କରାଯାଉଛି ।

ଭିନ୍ନ ଭିନ୍ନ ଚଟଣି

ରାୟଗଡ ଇଡିଲିର ସ୍ୱାତନ୍ତ୍ର୍ୟର ଆଉ ଏକ କାରଣ ହେଲା ଏହାସହ ପରିବେଷିତ ବହୁ ପ୍ରକାରର ଚଟଣୀ । କେଉଁ କେଉଁ ଚଟଣି ସହ ଇଡ଼ଲି ଖାଇବେ !  ଇଡିଲି ସହ ପିଆଜ ଚଟଣି ,ବୁଟଡାଲି ଚଟଣି ,ବାଦାମ ଚଟଣି ,ନଡିଆ ଚଟଣି, ରାଶି ଚଟଣି, ଟମାଟ ଚଟଣି , ମସଲା ଚଟଣି ,ଧନିଆ ପତ୍ର ଚଟଣି , ପୋଦିନା ଚଟଣି ଭଳି ଏକାଧିକ ଚଟଣି ସହ ଏକ ବାଉଲରେ ଗରମ ସୁଆଦିଆ ସମ୍ବର ପରଶାଯାଏ । ନରମ ଇଡିଲିକୁ ଏସବୁ ଚଟଣିର ସ୍ୱାଦ ଯିଏ ଥରେ ଖାଇଛି ସେ ବାରମ୍ବାର ରାୟଗଡର ଇଡିଲିକୁ ଖାଇବାକୁ ମନ ବଳାଇବ । ସାଧାରଣତଃ ଇଡ଼ଲି ସହ ମୁଦା ଚଟଣି ଓ ପାଣିଆ ଚଟଣି , ସମ୍ବର, ଉଲି(ପିଆଜ) ଚଟଣି ଆପଣଙ୍କୁ ମିଳିଯିବ ।

Oplus_131072

ପଲ୍ଲୀ ଠାରୁ ରାଜଧାନୀ

ଏଠାକାର ସାଧାରଣ ଲୋକଟି ପ୍ରଥମେ ଇଡ଼ଲି ଖାଇବେ ହିଁ ଖାଇବେ । ତା ପରେ ଯାହା ଅଲଗା ଅଲଗା ଖାଇବାକୁ ବରାଦ କରିବେ । ଏହାର ସ୍ଵାଦ କେବଳ ପଲ୍ଲୀ ଭିତରେ ସୀମିତ ନୁହଁ । ସମୟକ୍ରମେ ରାୟଗଡର ଇଡିଲିର ସ୍ୱାଦ ରାଜଧାନୀବାସୀଙ୍କ ମନ ମୋହିପାରିଛି । ବିଭିନ୍ନ ସମୟରେ ରାୟଗଡକୁ ସରକାରୀ କିମ୍ବା ବେସରକାରୀ କାର୍ଯ୍ୟରେ ଆସୁଥିବା ରାଜଧାନୀବାସୀ ସକାଳ ହେଲେ ରାୟଗଡ ଇଡିଲିକୁ ଖୋଜନ୍ତି । ଇଡିଲିର ଚାହିଦା ବୃଦ୍ଧି ପାଇଥିବାରୁ ସହରସାରା ହୋଟେଲ ମେନ୍ୟୁରେ ଇଡିଲିର ସ୍ଥାନ ପ୍ରଥମ । ତେବେ କେବଳ ହୋଟେଲ କାହିଁକି ସହରର ସବୁ ଗଳିରେ ରାସ୍ତା ଉପରେ ଥିବା ଉଠାଦୋକାନୀମାନେ ସକାଳ ହେଲେ ଇଡିଲିର ପସରା ଖୋଲିଥାନ୍ତି । ଜଣେ ଜଣେ ଉଠା ଦୋକାନୀ ଦିନକୁ ଦୁଇ ହଜାର ରୁ ପାଞ୍ଚ ହଜାର ପର୍ଯ୍ୟନ୍ତ ବ୍ୟବସାୟ କରିଥାନ୍ତି । 

Oplus_131072

ଇଡ଼ଲିକୁ ନେଇ ଦୋକାନୀଙ୍କ ମତ

ରାତିରୁ ପାଣିରେ ଭିଜାଯାଇଥିବା ବିରିକୁ ବଡି ଭୋରରୁ ଉଠି ବଟାଯାଏ । ସେଥିରେ ଆବଶ୍ୟକ ଅନୁସାରେ ସୁଜି /ଇଡିଲି ସୁଜି ମିଶାଇ ମିଶ୍ରଣ ପ୍ରସ୍ତୁତ କରାଯାଏ । ଏହି ମିଶ୍ରଣକୁ ବାମ୍ଫ ଦିଆ ପାତ୍ରରେ ବସାଇ ପ୍ରସ୍ତୁତ କରିବାକୁ ହୁଏ । ଇଡିଲିଠାରୁ ଚଟଣି ପ୍ରସ୍ତୁତରେ ଖୁବ ସର୍ତକତା ଅବଲମ୍ବନ କରିବାକୁ ପଡେ ବୋଲି କହନ୍ତି ହୋଟେଲ ମାଲିକ ଉମାଶଙ୍କର ରାଓ । ଲୋକଙ୍କ ରୁଚିକୁ ଦେଖି ଭିନ୍ନ ଭିନ୍ନ ଚଟଣି ପ୍ରସ୍ତୁତ କରାଯାଏ । ତେବେ ବୁଟ /ରାଶି ଚଟଣି କିମ୍ବା ବାଦାମ ଚଟଣି ସହ ପିଆଜ ଚଟଣି ,ଇଡିଲି ସହ ଖାଇବା ଏଠାରେ ବାଧ୍ୟତାମୂଳକ । ଏହା ବ୍ୟତୀତ ଧନିଆ ପତ୍ର ,ପୋଦିନା ପତ୍ର ,ଟମାଟ ଭଳି ଚଟଣି ମଧ୍ୟ ପ୍ରସ୍ତୁତ କରାଯାଏ । ରାୟଗଡର ଇଡିଲିର ଚାହିଦା ରହିଥିବା ସେ କହିଛନ୍ତି । ସକାଳର ଜଳଖିଆରେ ଇଡିଲି ଏବଂ ଦୋସା ଅଧିକାଂଶ ଲୋକଙ୍କ ଖୁବ ପସନ୍ଦ ବୋଲି ଉମା କହନ୍ତି ।

ଏତେ ସବୁ ଜାଣିଲା ପରେ ଇଡିଲି ଖାଇବାକୁ ନିଶ୍ଚିତ ମନ ହେଉଥିବ । ରାୟଗଡାର ପର୍ଯ୍ୟଟନ ସମ୍ଭାରକୁ ବୁଲି ଦେଖିବା ପାଇଁ ଥରେ ଆସନ୍ତୁ ଏବଂ ଇଡ଼ଲିର ସ୍ଵାଦକୁ ଅନୁଭବ କରନ୍ତୁ ।

Spread the love