ମହେନ୍ଦ୍ରତନୟାର ପ୍ରଖର ସ୍ରୋତ ଅତିକ୍ରମ କରି ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ, ଗଞ୍ଜାମ ପ୍ରଶାସନର ସମୟୋଚିତ ପଦକ୍ଷେପକୁ ଲୋକେ କଲେ ପ୍ରଶଂସା

ବ୍ରହ୍ମପୁର (ପ୍ରତିଫଳନ ମିଡ଼ିଆ )

ବନ୍ୟାଜଳ ଯୋଗୁଁ ବିଚ୍ଛିନ୍ନ ହୋଇପଡ଼ିଥିବା ଦୂରବର୍ତ୍ତୀ ଜାମୁଗଣ୍ଡା ଗ୍ରାମରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଓଡ୍ରାଫ୍‌ ଦଳର ସାହସିକ ଓ ତ୍ୱରିତ ପ୍ରୟାସରେ ସୁରକ୍ଷିତ ଭାବେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।ପାତ୍ରପୁର ବ୍ଲକ୍‌ ଅନ୍ତର୍ଗତ ବୁରାତାଲ ଗ୍ରାମପଞ୍ଚାୟତର ଜାମୁଗଣ୍ଡା ଗ୍ରାମ ମହେନ୍ଦ୍ରତନୟା ନଦୀର ପ୍ରବଳ ବନ୍ୟାଜଳ ଯୋଗୁଁ ବିଚ୍ଛିନ୍ନ ହୋଇପଡ଼ିଥିଲା । ଏହି ସମୟରେ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ ବେଦନା ହେବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ପହଞ୍ଚାଇବା ଜରୁରୀ ହୋଇପଡ଼ିଥିଲା । ସୂଚନା ପାଇ ଓଡ୍ରାଫ୍‌ ଦଳ ତତ୍କ୍ଷଣାତ୍‌ ପହଞ୍ଚି ମହେନ୍ଦ୍ରତନୟା ନଦୀର ପ୍ରଖର ସ୍ରୋତ ମଧ୍ୟରେ ଅତ୍ୟନ୍ତ ସତର୍କତାର ସହ ଗର୍ଭବତୀଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ପାତ୍ରପୁର ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଲାଇଫ ଜ୍ୟାକେଟ ପିନ୍ଧାଇ ଇଂଜିନ ବୋଟରେ ପ୍ରଖର ଜଳ ସ୍ରୋତରେ ସୁରକ୍ଷିତ ଭାବେ ନଦୀ ପାର କରାଯାଇଥିଲା ।

ଓଡ୍ରାଫ୍‌ ଦଳର ଏହି ତ୍ୱରିତ, ସାହସିକ ଓ ମାନବିକ ପଦକ୍ଷେପ ଯୋଗୁଁ ଜଣେ ମା’ ଓ ତାଙ୍କ ଗର୍ଭସ୍ଥ ଶିଶୁଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ମିଳିପାରିଛି । ଗଞ୍ଜାମ ଜିଲ୍ଲାପ୍ରଶାସନର ସମୟୋଚିତ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରିଛି ଏବଂ ଗର୍ଭବତୀ ମହିଳା ସହ ଆଗତ କୁନି ଛୁଆର ଜୀବନକୁ ମଧ୍ୟ ବଞ୍ଚେଇବା ସମ୍ଭବ ହୋଇପାରିଛି। ଲୋକେ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।

Spread the love