(ପ୍ରତିଫଳନ ମିଡିଆ)
ଦୁଇ ଦିନ ପରେ ଦଶହରା ପାଳିଥାନ୍ତେ । ସେଥିପାଇଁ ଚାଲିଥିଲା ପ୍ରସ୍ତୁତି । ସମସ୍ତଙ୍କ ମନରେ ଥିଲା ଉତ୍ସାହ । କିନ୍ତୁ ପାର୍ବଣ ସମୟରେ ଘଟିଗଲା ଅଘଟଣ ।ଚାଲିଗଲା ଜୀବନ । ଆତ୍ମହତ୍ୟା କଲା କଏଦୀ । ଏଥିନେଇ କାରାଗାରରେ ଶୋକାକୂଳ ପରିବେଶ ବେଶ ସୃଷ୍ଟି ହୋଇଛି ।
କୋରାପୁଟ ମଣ୍ଡଳ କାରାଗାରରେ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଥିବା ଜଣେ କଏଦୀ ବେକରେ ପୁରୁଣା ବିଦ୍ୟୁତ ତାର ଦେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ କଏଦୀ ଜଣକ ହେଉଛନ୍ତି ନାଙ୍ଗା ମାଡ଼ି। ବୟସ ୭୯ବର୍ଷ। ତାଙ୍କ ଘର ମାଲକାନଗିରୀ ଜିଲ୍ଲାରେ। ସେ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ କୋରାପୁଟ ମଣ୍ଡଳ କାରାଗାରରେ ସଜା ଭୋଗୁଥୁଲେ । ଜେଲ ପରିସରରେ ଥିବା ଅବ୍ୟବହୃତ ୱାର୍ଡ ମଧ୍ୟକୁ ଯାଇ ସେଠାରେ ଥିବା ଭଙ୍ଗା ଦୁଲାମ କାଠରେ ପୁରୁଣା ବିଦ୍ୟୁତ ତାର ବେକରେ ଦେଇ ଝୁଲି ଆତ୍ମହତ୍ୟା କରିଥିଲେ ନାଙ୍ଗା। ଏନଇେ ମଣ୍ଡଳକାରାଗାର ପକ୍ଷରୁ କୋରାପୁଟ ଟାଉନଥାନାକୁ ସୂଚନା ଦେଇଥିଲେ। ଟାଉନଥାନାରେ ଏକ ଅପମୃତ ମାମଲା ରୁଜୁ କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବକୁ ବାହାରକୁ ଆଣି ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ନିଆଯାଇଥିଲା। ସେଠାରେ ମରଶରୀରକୁ ବ୍ୟବଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରିଥିବା ଏସଡିପିଓ ଡ.ଶ୍ରାବଣୀ ନାୟକ ସୂଚନା ଦେଇଛନ୍ତି। ଗୋଟିଏ ପଟେ ମଣ୍ଡଳକାରାଗାରରେ ଦୂର୍ଗାପୂଜା ପାଇଁ ଉତ୍ସବ ମୁଖର ଥିବା ବେଳେ ଏଭଳି ଘଟଣାକୁ ସହଜରେ କେହି ଗ୍ରହଣ କରି ପାରୁନାହାନ୍ତି।