ସ୍ୱଚ୍ଛ ସହର ଅଭିଯାନ: ବାୟୋ-ମାଇନିଂ ମାଧ୍ୟମରେ ହଟିବ ପୁରୁଣା ବର୍ଜ୍ୟବସ୍ତୁ, ବଦଳିବ ମଝିଘରିଆଣୀ ମନ୍ଦିର ଅଞ୍ଚଳର ଚିତ୍ର !

ପ୍ରତିଫଳନ ମିଡ଼ିଆ

ରାୟଗଡ଼ ସହରକୁ ସ୍ୱଚ୍ଛ ରଖିବା ଓ ପରିବେଶର ସୁରକ୍ଷା ପାଇଁ ପୌର ପରିଷଦ ପକ୍ଷରୁ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ମା’ ମଝିଘରିଆଣୀ ମନ୍ଦିର ନିକଟସ୍ଥ ପୁରୁଣା ଡମ୍ପିଂ ୟାର୍ଡରେ ବର୍ଷ ବର୍ଷ ଧରି ଠୁଳ କରା ଯାଇଥିବା ଲିଗାସି ବର୍ଜ୍ୟବସ୍ତୁର ବାୟୋ-ମାଇନିଂ କାର୍ଯ୍ୟ ଆରମ୍ଭ କରାଯାଇଛି।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାୟୋ-ମାଇନିଂ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ରାୟଗଡ଼ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ।

ଝନେଶ୍ୱର୍ ଇଞ୍ଜିନିୟରିଂ ପ୍ରାଇଭେଟ୍ ଲିମିଟେଡ୍‌ ନାମକ ଘୋରେଇ ସଂସ୍ଥା ଏହି କାର୍ଯ୍ୟଟି କରିବ ।ପ୍ରାୟ ୬୦ ହଜାର ମେଟ୍ରିକ ଟନ୍‌ ପୁରୁଣା ଆବର୍ଜନାକୁ ବୈଜ୍ଞାନିକ ପଦ୍ଧତିରେ ପୃଥକୀକରଣ, ପୁନଃଚକ୍ରଣ ଓ ନିଷ୍କାସନ କରାଯିବ।ଏହି କାର୍ଯ୍ୟକୁ ୪ରୁ ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସମ୍ପୃକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ବାୟୋ-ମାଇନିଂରୁ ବାହାରୁଥିବା ଆର୍‌ଡିଏଫ୍‌କୁ ସିମେଣ୍ଟ କାରଖାନାକୁ ପଠାଯିବା ସହ ଅନ୍ୟ ଅବଶିଷ୍ଟକୁ ଖାଲୁଆ ଅଞ୍ଚଳର ଭୂମି ପୂରଣ କାର୍ଯ୍ୟରେ ବ୍ୟବହାର କରାଯିବବୋଲି ପୌର ସଂସ୍ଥା ପକ୍ଷରୁ କୁହାଯାଇଛି ।

ପୁରୁଣା ଡମ୍ପିଂ ୟାର୍ଡ ସମ୍ପୂର୍ଣ୍ଣ ଆବର୍ଜନାମୁକ୍ତ ହେବା ପରେ ଏହାକୁ ପୁନଃ ବ୍ୟବହାରଯୋଗ୍ୟ କରାଯିବ। ଭବିଷ୍ୟତରେ ଏହି ସ୍ଥାନକୁ ମା’ ମଝିଘରିଆଣୀ ମନ୍ଦିରର ସୌନ୍ଦର୍ଯ୍ୟବର୍ଦ୍ଧନ ପାଇଁ ବ୍ୟବହାର କରାଯିବ।ରାୟଗଡା ସହରରୁ ବର୍ଷ ବର୍ଷର ଆବର୍ଜନା ହଟିବ, ବଦଳିବ ଡମ୍ପିଂ ୟାର୍ଡର ଚିତ୍ର; ଆହୁରି ସ୍ୱଚ୍ଛ, ସୁନ୍ଦର ଓ ପରିବେଶ ଅନୁକୂଳ ହେବ ମା’ ମଝିଘରିଆଣୀ ମନ୍ଦିର ଅଞ୍ଚଳ ବୋଲି ପୌର ନିର୍ବାହୀ ଅଧିକାରୀ କହିଛନ୍ତି ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସହର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅକ୍ଷୟ କୁମାର ଖେମୁଣ୍ଡୁ,ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ,ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ପୌରାଧ୍ୟକ୍ଷ ପି. ମହେଶ ପଟ୍ଟନାୟକ, ପୌର ନିର୍ବାହୀ ଅଧିକାରୀ କୁଳଦୀପ କୁମାର, ସମସ୍ତ ପାରିଷଦ ଓ ପୌର କର୍ମଚାରୀ ଉପସ୍ଥିତ ଥିଲେ।

Spread the love