କବିତାର ମର୍ଯ୍ୟାଦା ଫେରାଇବାକୁ ସାଧନା ଓ ସୃଜନଶୀଳତାର ଆହ୍ୱାନ

ଉତ୍କଳ ସାହିତ୍ୟ ସମାଜର ୧୨୪ତମ ବାର୍ଷିକ ସମାବର୍ତ୍ତନରେ ଜମିଲା ରାଜ୍ୟସ୍ତରୀୟ କବି ସମ୍ମିଳନୀ

ପ୍ରତିଫଳନ ମିଡ଼ିଆ, କଟକ


କବିତା କେବଳ ଶବ୍ଦର ସମାହାର ନୁହେଁ; ଏହା ହୃଦୟର ଅନୁଭବ, ଚେତନାର ଅଭିବ୍ୟକ୍ତି ଓ ସମାଜର ଦର୍ପଣ। କିନ୍ତୁ ସମକାଳୀନ କବିତାରେ କାବ୍ୟିକ ମୂଲ୍ୟବୋଧ, ଭାବଗାମ୍ଭୀର୍ଯ୍ୟ ଓ ସୃଜନଶୀଳତାର ଅଭାବ ଯୋଗୁଁ ପାଠକଙ୍କ ମଧ୍ୟରେ କବିତା ପ୍ରତି ଆଦର ଓ ଆକର୍ଷଣ କମିବାରେ ଲାଗିଛି। କବିତାର ହୃତଗୌରବକୁ ପୁନର୍ବାର ଫେରାଇ ଆଣିବାକୁ ହେଲେ କବିମାନଙ୍କୁ ଅଧିକ ଅଧ୍ୟୟନ, ମନନ, ଚିନ୍ତନ ଓ ସୃଜନ ସାଧନାରେ ବ୍ରତୀ ହେବାକୁ ପଡ଼ିବ ବୋଲି —ଉତ୍କଳ ସାହିତ୍ୟ ସମାଜର ରାଜ୍ୟସ୍ତରୀୟ କବି ସମ୍ମିଳନୀରେ ଏଭଳି ଆହ୍ୱାନ ଶୁଣିବାକୁ ମିଳିଛି।

ଉତ୍କଳ ସାହିତ୍ୟ ସମାଜର ଦୁଇଦିନିଆ ୧୨୪ତମ ବାର୍ଷିକ ସମାବର୍ତ୍ତନ ଉତ୍ସବର ଦ୍ୱିତୀୟ ଦିବସ ପୂର୍ବାହ୍ନରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓଡ଼ିଆ ସାହିତ୍ୟର ଏକ ମନୋଜ୍ଞ ସାରସ୍ୱତ ଆସରରେ ପରିଣତ ହୋଇଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ କବିଙ୍କ ଉପସ୍ଥିତି ଓ ସ୍ୱରଚିତ କବିତାର ଆବୃତ୍ତିରେ ଭବନର ପରିବେଶ ହୋଇଉଠିଥିଲା ଛନ୍ଦମୟ ଓ ଭାବମୟ।

ଅନୁଷ୍ଠାନର ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ବିଶିଷ୍ଟ କବି ଖଗେଶ୍ୱର ମହତାବ ମୁଖ୍ୟ ଅତିଥି ଏବଂ ‘ପଞ୍ଚବଟୀ’ ସାହିତ୍ୟ ପତ୍ରିକାର ସମ୍ପାଦକ ସୁଶାନ୍ତ କୁମାର ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।

କବିତାର ସୃଜନଶୀଳତା ଓ ମାନକୁ ନେଇ ଆଲୋଚନା କରି ଅତିଥିମାନେ କହିଥିଲେ, କବିତା ତାହାର ଶବ୍ଦବିନ୍ୟାସରେ ନୁହେଁ, ଭାବର ଗଭୀରତା ଓ ଚିନ୍ତନର ମୌଳିକତାରେ ମହତ୍ତର ହୁଏ। ସମୟ, ସମାଜ ଓ ମଣିଷର ଅନ୍ତର୍ଦ୍ୱନ୍ଦ୍ୱକୁ ନିଜ ସୃଜନରେ ପ୍ରତିଫଳିତ କରିବା ସହ ପାଠକଙ୍କ ହୃଦୟକୁ ସ୍ପର୍ଶ କରିପାରୁଥିବା କବିତା ସୃଷ୍ଟି କରିବା ଆଜିର କବିଙ୍କ ପାଇଁ ବଡ଼ ଆହ୍ୱାନ ବୋଲି ସେମାନେ ମତ ଦେଇଥିଲେ।

କବି ଗୀତାଶ୍ରୀ ପ୍ରିୟମ୍ବଦାସୁଚେତା ନନ୍ଦ କବିତା ସଂଯୋଜନା କରି ସମ୍ମିଳନୀକୁ ଆହୁରି ସରସ ଓ ସୁରମ୍ୟ କରିଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ରାଜୀବ କୁମାର ଷଡ଼ଙ୍ଗୀ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ସାରସ୍ୱତ ଏହି ମହୋତ୍ସବର ସୁଚାରୁ ପରିଚାଳନାରେ ପାଠାଗାର ସମ୍ପାଦକ ବ୍ରହ୍ମାନନ୍ଦ ମହାନ୍ତି, କାର୍ଯ୍ୟନିର୍ବାହିକା ସମିତି ସଦସ୍ୟ ଶିବାଶିଷ କରଗୀତାଞ୍ଜଳି ପୃଷ୍ଟି ସହଯୋଗ କରିଥିଲେ। କାର୍ଯ୍ୟନିର୍ବାହିକା ସମିତି ସଦସ୍ୟ ରାଜକିଶୋର ସ୍ୱାଇଁ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବାବେଳେ ମୀରା ବେଉରା ଧନ୍ୟବାଦ ଅର୍ପଣ କରିଥିଲେ।

ପରେ ଆରମ୍ଭ ହୋଇଥିଲା କବିତାର ରଙ୍ଗାରଙ୍ଗ ଆସର। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ କବି ନିଜ ନିଜ ସ୍ୱରଚିତ କବିତା ଆବୃତ୍ତି କରିଥିଲେ। କେଉଁଠି ପ୍ରେମର ମୃଦୁ ଅନୁରଣନ, କେଉଁଠି ସମାଜର ଯନ୍ତ୍ରଣାର ପ୍ରତିଛବି, ଆଉ କେଉଁଠି ମଣିଷ ଓ ମାଟିର ଅତୁଟ ସମ୍ପର୍କ—ବିଭିନ୍ନ ଭାବ ଓ ଅନୁଭବରେ ସମୃଦ୍ଧ କବିତାରେ ମୁଖରିତ ହୋଇଥିଲା ସାରସ୍ୱତ ମଞ୍ଚ।

ଏହି ସମ୍ମିଳନୀ କେବଳ କବିମାନଙ୍କର ଏକ ସମାବେଶ ନଥିଲା; ଏହା ଥିଲା ଓଡ଼ିଆ କବିତାର ପରମ୍ପରା, ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଏକ ଗଭୀର ସାରସ୍ୱତ ସଂଳାପ। କବିତାର ଶକ୍ତିକୁ ଅଧିକ ଶାଣିତ କରିବା, ଭାଷାକୁ ଅଧିକ ଋଦ୍ଧିମନ୍ତ କରିବା ଏବଂ ଓଡ଼ିଆ ସାହିତ୍ୟର ଗୌରବମୟ ଧାରାକୁ ଆଗକୁ ନେବାର ଦୃଢ଼ ସଂକଳ୍ପ ସହ ଏହି କବି ସମ୍ମିଳନୀର ପରିସମାପ୍ତି ଘଟିଥିଲା।

Spread the love