ରାୟଗଡ଼ରେ ସ୍ୱାୟତ୍ତ ଶାସନ ଦିବସ: ବିକଶିତ ସହର ଗଠନ, ସେବାକୁ ଗୁରୁତ୍ୱ ପାଇଁ ସଂକଳ୍ପ

ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଓ ପ୍ରତିଭାଙ୍କୁ ସମ୍ମାନ ପ୍ରଦାନ

ପ୍ରତିଫଳନ ମିଡ଼ିଆ

ରାୟଗଡ଼ା:ସହରର ବିକାଶ ଓ ନାଗରିକ ସେବାର ପ୍ରଗତିର ସଂକଳ୍ପକୁ ଆହୁରି ଦୃଢ଼ କରିବାର ଆହ୍ୱାନ ସହ ରାୟଗଡ଼ ପୌରପରିଷଦ ପରିସରରେ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି ସ୍ୱାୟତ୍ତ ଶାସନ ଦିବସ–୨୦୨୬।ସ୍ୱାୟତ୍ତ ଶାସନ ଦିବସ କେବଳ ଏକ ଉତ୍ସବ ନୁହେଁ, ଏହା ନଗରବାସୀଙ୍କ ପ୍ରତି ଜନପ୍ରତିନିଧି ଓ ପ୍ରଶାସନର ଦାୟିତ୍ୱବୋଧକୁ ପୁନଃସ୍ମରଣ କରାଇବାର ଏକ ଅବସର ବୋଲି ପୌର ନିର୍ବାହୀ ଅଧିକାରୀ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି ଭାବନାକୁ ଆଧାର କରି ରାୟଗଡ଼ ପୌରପରିଷଦ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ବର୍ଣ୍ଣାଢ଼୍ୟ ସମାରୋହ।କାର୍ଯ୍ୟକ୍ରମରେ ରାୟଗଡ ବିଧାୟକ ଶ୍ରୀ କାଡ୍ରାକା ଆପାଲା ସ୍ୱାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାୟଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ରନାଥ କଅଁର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ପୌରପରିଷଦର ପୌରାଧ୍ୟକ୍ଷ, କାଉନସିଲରବୃନ୍ଦ, ପୌର କର୍ମଚାରୀ ଓ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ସମାରୋହଟି ପାଇଥିଲା ଏକ ଭିନ୍ନ ମାହୋଲ।ଏହି ଅବସରରେ ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହର ସିଧାସଳଖ ପ୍ରସାରଣ ଏଲ୍‌ଇଡି ସ୍କ୍ରିନ୍‌ ମାଧ୍ୟମରେ ରାୟଗଡ଼ରେ ପ୍ରଦର୍ଶିତ ହୋଇଥିଲା। ଏହାକୁ ନେଇ ଉପସ୍ଥିତ ନାଗରିକଙ୍କ ମଧ୍ୟରେ ଦେଖାଦେଇଥିଲା ଉତ୍ସାହ ଓ ଆଗ୍ରହ।ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)–୨.୦ ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ସହ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଉତ୍ସବର ମାହୋଲକୁ ଆହୁରି ରଙ୍ଗିନ କରିଥିଲା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ।ସହରର ସାମଗ୍ରିକ ବିକାଶ, ପରିମଳ ବ୍ୟବସ୍ଥାର ସୁଦୃଢ଼ୀକରଣ, ଜଳଯୋଗାଣର ସୁବ୍ୟବସ୍ଥା ଏବଂ ନାଗରିକଙ୍କୁ ଉନ୍ନତମାନର ମୌଳିକ ସେବା ପ୍ରଦାନ—ଏସବୁ ଦିଗରେ ପୌରପରିଷଦ ନିରନ୍ତର ପ୍ରୟାସରତ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।ବିକାଶର ପଥରେ ଆହୁରି ଏକ ପାଦ ଆଗକୁ ଯିବାକୁ ଲକ୍ଷ ରଖି,ନାଗରିକ ସେବାକୁ ଆହୁରି ଲୋକାଭିମୁଖୀ କରିବାର ସଂକଳ୍ପ ନେଇ ରାୟଗଡ଼ ପୌରପରିଷଦ ପାଳନ କରିଛି ସ୍ୱାୟତ୍ତ ଶାସନ ଦିବସ।

Spread the love