କାଶ୍ମୀର ଅନନ୍ତନାଗରେ ଇନୋଭା ଗାଡ଼ିରେ ପଡିଲା ପଥର , ଓଡ଼ିଆ ପର୍ଯ୍ୟଟକ ଗଞ୍ଜାମ ଜିଲ୍ଲା ଗୋପାଳପୁର ନାରାୟଣପୁର ଗ୍ରାମର ପୂର୍ବତନ ସରପଞ୍ଚ ହିମାଂଶୁଙ୍କ ମୃତ୍ୟୁ , ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ବ୍ରହ୍ମପୁର ( ପ୍ରତିଫଳନ ମିଡ଼ିଆ )

ଜାମ୍ମୁ କାଶ୍ମୀର ଅନନ୍ତନାଗରେ ଇନୋଭା ଗାଡ଼ି ଉପରେ ପଥର ପଡିବାରୁ ଓଡ଼ିଆ ପର୍ଯ୍ୟଟକ ମୃତ୍ୟୁ ବରଣ କରିଛନ୍ତି । ଗଞ୍ଜାମ ଜିଲ୍ଲା ଗୋପାଳପୁର ନାରାୟଣପୁର ଗ୍ରାମର ପୂର୍ବତନ ସରପଞ୍ଚ ହିମାଂଶୁଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।ଅନନ୍ତନାଗ ଜିଲ୍ଲାର ବମଜୁ ମଟାନରେ ବୁଧବାର ଏକ ଇନୋଭା ଗାଡ଼ିରେ ଏକ ଭାରୀ ପଥର ପଡିବା ଫଳରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଆଜି କେପି ରୋଡର ବମ୍ଜୁ ମାଟାନରେ ଏହି ଘଟଣା ଘଟିଥିଲା ।​​ ବମ୍ଜୁ ନିକଟସ୍ଥ ଏକ ପାହାଡ଼ରୁ ହଠାତ୍ ଏକ ଭାରି ପଥର ତଳକୁ ଖସି ପଡ଼ିଥିଲା । ପଟ୍ଟନ ବାରାମୁଲ୍ଲାର ବାସିନ୍ଦା ଆରିଫ୍ ଦିଲାୱର ଖାନଙ୍କ ଦ୍ୱାରା ଚାଳିତ ଗାଡ଼ିଟି ପହଲଗାମରୁ ଅନନ୍ତନାଗ ଅଭିମୁଖେ ଛଅ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିଲା । ଏହି ଘଟଣାରେ ଗଞ୍ଜାମ ଜିଲ୍ଲାର ୫୫ ବର୍ଷୀୟ ଆର. ହିମାଂଶୁ ପ୍ରସାଦ ରାଓ ନାମକ ଜଣେ ପର୍ଯ୍ୟଟକ ଶିକାର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଜିଏମସି ଅନନ୍ତନାଗକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।

ଘଟଣାରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ତୁରନ୍ତ ହସ୍ତକ୍ଷେପ କରିଥିଲେ । ମୃତଦେହର ବ୍ୟବଚ୍ଛେଦ, ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଏବଂ ବିମାନ ଯୋଗେ ଓଡ଼ିଶା ଫେରାଇ ଆଣିବା ନିମନ୍ତେ ଜମ୍ମୁ-କଶ୍ମୀର ପ୍ରଶାସନ ଓ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ରେସିଡେଣ୍ଟ କମିଶନରଙ୍କ ସହ ଯୋଗାଯୋଗ କରି ସମସ୍ତ ବ୍ୟବସ୍ଥା କରିଥିଲେ । ସାଙ୍ଗରେ ଥିବା ଅନ୍ୟ ସହପାଠୀ ଓ ପର୍ଯ୍ୟଟକମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଏବଂ ସହାୟତା ପାଇଁ ସାଂସଦ ପ୍ରଦୀପ ପାଣିଗ୍ରାହୀ ସରକାରଙ୍କୁ ଅନୁରୋଧ କରିଛନ୍ତି । ଗତ ୦୨ ସେପ୍ଟେମ୍ବର ୨୦୨୬ ତାରିଖ ଦିନ ଗଞ୍ଜାମରୁ ଯାଇଥିବା ପର୍ଯ୍ୟଟକ ଦଳ ପହଲଗାମରୁ ଅନନ୍ତନାଗ ଅଭିମୁଖେ ଏକ ଇନୋଭା ଗାଡ଼ି (ନଂ JK01AT-8081) ରେ ଗସ୍ତ କରୁଥିବା ସମୟରେ, ମାଟନ (ହିମାୟୁନ ମୁଜାମ୍ମିଲ ମଡେଲ ପୋଲିସ ଷ୍ଟେସନ ଅଧୀନ) ବୁମଜୁ ଶ୍ରାଇନ୍ ନିକଟରେ ହଠାତ୍ ପାହାଡ଼ରୁ ଏକ ବିଶାଳ ପଥର ଖସି ଗାଡ଼ି ଉପରେ ପଡ଼ିଥିଲା । ଏହି ଦୁର୍ଘଟଣାରେ ଶ୍ରୀ ରାଓ ଗୁରୁତର ମୁଣ୍ଡାଘାତ ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ ସ୍ଥାନୀୟ ଗଭର୍ଣ୍ଣମେଣ୍ଟ ମେଡିକାଲ କଲେଜ (GMC) ଅନନ୍ତନାଗରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଦୁଃଖଦ ଖବର ପାଇବା ପରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Spread the love