ଜେଏନ୍‌ୟୁ ପ୍ରଫେସର ତଥା କଂଗ୍ରେସ ସାଂସଦଙ୍କ ଯୌନ କେଳେଙ୍କାରୀ,ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବହିସ୍କୃତ !

କଂଗ୍ରେସର ନୀରବତାକୁ ନେଇ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ପ୍ରଶ୍ନ !

ରାହୁଳ ଗାନ୍ଧୀ ଓ ପ୍ରଫେସର ବିମଲ ଅକୋଇଜାମଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା.

ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ ): ଜେଏନ୍‌ୟୁର ପ୍ରଫେସର ତଥା ମଣିପୁରର କଂଗ୍ରେସ ସାଂସଦ ଆଙ୍ଗୋମଚା ବିମଲ ଅକୋଇଜାମଙ୍କ ବିରୋଧରେ ଜେ ଏନ ୟୁ ର ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବିଶ୍ୱବିଦ୍ୟାଳୟର ଶୃଙ୍ଖଳାଗତ କମିଟି ପକ୍ଷରୁ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।କାର୍ଯ୍ୟାନୁଷ୍ଠାନରେ ଜେଏନୟୁ ପ୍ରଫେସର ତଥା କଂଗ୍ରେସ ନେତା ଆଙ୍ଗୋମଚା ବିମଲ ଅକୋଇଜାମଙ୍କୁ ଚାକିରିରୁ ବହିସ୍କୃତ କରାଯାଇଛି। ବହିସ୍କୃତ ହେବା ଘଟଣାକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି। ଏହି ପ୍ରସଙ୍ଗରେ କଂଗ୍ରେସ ନେତୃତ୍ୱର ନୀରବତା ଆଭିମୁଖ୍ୟକୁ ପ୍ରଶ୍ନ କରି ବିଜେପି ମହିଳା ମୋର୍ଚ୍ଚା ଶନିବାର ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ କରିଛି। ଏଥିସହ ରାହୁଲ ଗାନ୍ଧୀ ଓ ଅକୋଇଜାମଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ବିଜେପି ମିଡିଆ ସେଲ୍‌ ପକ୍ଷରୁ ଜାରି ପ୍ରେସ୍‌ ବିବୃତିରେ ଏହି ସୂଚନା ଦିଆଯାଇଛି।

ପ୍ରେସ୍‌ ବିବୃତିରେ ମହିଳା ସୁରକ୍ଷା ଓ ନାରୀ ସଶକ୍ତୀକରଣ ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଯାଇଛି। ଏହି ମାମଲାରେ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ୱର ନୀରବତାକୁ ବିରୋଧ କରି ମୋର୍ଚ୍ଚା ପକ୍ଷରୁ ନାରାବାଜି କରାଯାଇଥିବା ଉଲ୍ଲେଖ ରହିଛି।

ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ହୋଇଥିବା ଏହି ବିକ୍ଷୋଭରେ ରାଜ୍ୟ ସାଧାରଣ ସମ୍ପାଦିକା ପ୍ରବୀଣା ଭଞ୍ଜଦେଓ, ଉପସଭାନେତ୍ରୀ ଅନୁଜାନନ୍ଦ ବିଶ୍ୱାଳ ଓ ସାବିତ୍ରୀ ରାଉତଙ୍କ ସମେତ ବହୁ ମହିଳା ନେତ୍ରୀ ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ବୋଲି ବିଜେପି ମିଡିଆ ସେଲ୍‌ ପକ୍ଷରୁ ପ୍ରେସ୍‌ ବିବୃତିରେ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, ଛାତ୍ରୀଙ୍କ ଅଭିଯୋଗ ଉପରେ ଜବାହର ଲାଲ ନେହୁରୁ ବିଶ୍ୱବିଦ୍ୟାଳୟ ର ଆଭ୍ୟନ୍ତରୀଣ କମିଟିର ତଦନ୍ତ ପରେ କଂଗ୍ରେସ ସାଂସଦ ତଥା ପ୍ରଫେସର ଅକୋଇଜାମଙ୍କୁ ବିଶ୍ୱବିଦ୍ୟାଳୟ ସେବାରୁ ବହିଷ୍କାର କରାଯାଇଥିବା ନେଇ ଅକ୍ଟୋବର ୯ରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। ।

Spread the love