ଗାମୁଛା ହେଲା କାଳ! ପାୱାର ଟିଲରରେ ଫସି ଚାଷୀଙ୍କ ମର୍ମନ୍ତୁଦ ମୃତ୍ୟୁ
ପ୍ରତିଫଳନ ମିଡ଼ିଆ
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର କର୍ତ୍ତାଲାବା ଗ୍ରାମରେ ଘଟିଛି ଛାତିଥରା ଅଘଟଣ, ଚାଷଜମିରେ ଚାଷ କଲାବେଳେ ପାୱାର ଟିଲରରେ ଗଲା ଜୀବନ।
ଚାଷଜମିରେ ପାୱାର ଟିଲର ମେସିନ୍ରେ ଚାଷ କରୁଥିବା ବେଳେ ଘଟିଲା ଅଭାବନୀୟ ଦୁର୍ଘଟଣା। ଚାଷ କରିବା ସମୟରେ ଅସାବଧାନତା ଯୋଗୁଁ ପିନ୍ଦି ଥିବା ଗାମୁଛା ଟି ପୱାର ଟିଲାର ମେସିନ୍ରେ ଲାଗିଯାଇଥିଲା। ଗାମୁଛା ବାହାର କରିବା ବେଳେ ଭାରସାମ୍ୟ ହରାଇବାରୁ ମେସିନ ମଧ୍ୟରେ ଗୋଡ଼ ଓ ମୁଣ୍ଡ ପଶିଯିବାରୁ ଜଣେ ଚାଷୀଙ୍କ ମର୍ମନ୍ତୁଦ ମୃତ୍ୟୁ ଘଟିଛି। ଏଭଳି ହୃଦୟବିଦାରକ ଘଟଣା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତର କର୍ତ୍ତାଲାବା ଗ୍ରାମରେ ଘଟିଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଗଭୀର ଶୋକ ଓ ଚାଞ୍ଚଲ୍ୟ ଖେଳିଯାଇଛି।
ମୃତ ଚାଷୀଙ୍କ ନାମ ପାଣ୍ଡୁ କଡ୍ରି। ବହୁ ସ୍ବପ୍ନ ରଖି ଜମି ଚାଷ କରିବା ପାଇଁ କିଣିଥିଲେ ନୂଆ ପାୱାର ଟିଲର।23 ତାରିଖ ସୋମବାରଦିନ ପାୱାର ଟିଲର ରେ ନିଜ ଚାଷଜମିରେ ସେ ଚାଷ କରୁଥିଲେ। ଅସାବଧାନତା ଵଶତ ପିନ୍ଧିଥିବା ଗାମୁଛା ଟି ମେସିନ ମଧ୍ୟରେ ଲାଗିଯାଇଥିଲା. ଗାମୁଛା କୁ ବାହାର କରିବାକୁ ଉଦ୍ୟମ କରିବା ବେଳେ ଗାମୁଛା ସହ ତାଙ୍କ ଗୋଡ଼ଟିକୁ ମେସିନ୍ ଟାଣି ନେଇଯାଇଥିଲା। ଗୋଡ଼କୁ ମୁକ୍ତ କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ମୁଣ୍ଡ ମଧ୍ୟ ମେସିନ୍ ମଧ୍ୟକୁ ଫସିଯାଇଥିଲା। ଫଳରେ ଅତ୍ୟନ୍ତ ମର୍ମନ୍ତୁଦ ଭାବେ ଚାଷୀ ଟିର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣାର ଭୟାବହତା ଦେଖି ନିକଟସ୍ଥ ଗ୍ରାମବାସୀ ଓ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଦୁର୍ଘଟଣାର ମେସିନ କବଳରୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା।ଚାଷ ଜମିରେ ମେସିନ ମଧ୍ୟରେ ମୃତଦେହ ପଡ଼ିରହିଥିବା ଦୃଶ୍ୟ ଦେଖି ଗ୍ରାମବାସୀଙ୍କ ମଧ୍ୟରେଗଭୀର ଶୋକର ଛାୟା ଖେଳିଯାଇଥିଲା।
କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ୍ ଙ୍କ ନିର୍ଦେଶ ଅନୁଯାୟୀ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ତହସିଲର ରାଜସ୍ୱ ନିରୀକ୍ଷକଙ୍କୁ ଘଟଣା ର ତଦନ୍ତ ପାଇଁ ପଠାଇଥିଲେ ଓ ପଟ୍ଟାଙ୍ଗି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
ନୂଆ ଯନ୍ତ୍ରପାତିରେ ଚାଷ କରିବା ସମୟରେ ସାମାନ୍ୟ ଅସାବଧାନତା କେତେ ଭୟଙ୍କର ରୂପ ନେଇପାରେ, ଏହି ଦୁଃଖଦ ଘଟଣା ତାହାର ଏକ ମର୍ମସ୍ପର୍ଶୀ ଉଦାହରଣ।

