ରାୟଗଡ଼ା ରେଳ ଡିଭିଜନ ମାଲ ପରିବହନରେ ଉଲ୍ଲେଖନୀୟ ସଫଳତା 🔹ମାଲ ବୋଝେଇରେ ୧୩.୪୫% ଏବଂ ରେକ୍ ଲୋଡିଂରେ ୧୧.୩୨% ଘଟିଛି ଅଭିବୃଦ୍ଧି

ରାୟଗଡା (ପ୍ରତିଫଳନ ମିଡ଼ିଆ)

ରେଳ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି ପୂର୍ବତଟ ରେଳପଥ ର ରାୟଗଡ଼ା ରେଳ ଡିଭିଜନ। ୨୦୨୬ ଜୁଲାଇ ମାସରେ ପଣ୍ୟ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଗତ ବର୍ଷର ସମାନ ଅବଧି ତୁଳନାରେ ପଣ୍ୟ ଲୋଡିଂ ଏବଂ ରେକ୍ ଲୋଡିଂ ଉଭୟ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟାଇ ରେକର୍ଡ କରିଛି ।

୨୦୨୬ ବର୍ଷର ଜୁଲାଇ ମାସରେ ରାୟଗଡ଼ା ରେଳ ଡିଭିଜନ ପକ୍ଷରୁ ମୋଟ ୭୮୭ଟି ରେକ୍ ଲୋଡିଂ କରାଯାଇଥିବା ବେଳେ, ୨୦୨୫ ଜୁଲାଇରେ ଏହି ସଂଖ୍ୟା ୭୦୭ଟି ଥିଲା। ଏହା ଦ୍ୱାରା ୮୦ଟି ରେକ୍ ତଥା ୧୧.୩୨% ପୂର୍ବବର୍ଷ ତୁଳନାରେ ବୃଦ୍ଧି ହୋଇଛି। ସେହିପରି ପଣ୍ୟ ବୋଝେଇ ୨.୭୫ ନିୟୁତ ଟନ୍ (MT) ରୁ ବୃଦ୍ଧି ପାଇ ୩.୧୨ ନିୟୁତ ଟନ୍ ରେ ପହଞ୍ଚିଛି, ଯାହା ୦.୩୭ ମିଲିୟନ୍ ଟନ୍ (୧୩.୪୫%) ବୃଦ୍ଧିକୁ ପ୍ରତିଫଳିତ କରୁଛି।

ରେଳ ଡିଭିଜନ ପକ୍ଷରୁ ମୁଖ୍ୟତଃ ଲୌହପଥର ପରିବହନ ଜାରି ରହିଛି। ଜୁଲାଇ ୨୦୨୬ରେ ଲୌହପଥର ବୋଝେଇ ୨.୨୮ ନିୟୁତ ଟନ୍ ରେ ପହଞ୍ଚିଥିବା ବେଳେ, ଗତ ବର୍ଷର ସମାନ ଅବଧି ତୁଳନାରେ ୦.୪୦ ନିୟୁତ ଟନ୍ ତଥା ୨୧.୩% ବୃଦ୍ଧି ଘଟିଛି। ବକ୍ସାଇଟ୍ ଲୋଡିଂ ମଧ୍ୟ ୦.୧୭ ନିୟୁତ ଟନକୁ ବୃଦ୍ଧି ପାଇ ୦.୧୯ ନିୟୁତ ଟନ ରେ ପହଞ୍ଚିଛି, ଯାହା ୧୧.୮% ଅଭିବୃଦ୍ଧିକୁ ସୂଚିତ କରୁଛି।

ପଣ୍ୟ ପରିବହନରେ ସଫଳତା ସହିତ ରାୟଗଡ଼ା ରେଳ ଡିଭିଜନ ଜୁଲାଇ ମାସରେ ୨୦ଟି ଟ୍ରେନ୍-ଅନ୍-ଡିମାଣ୍ଡ (TOD) ସ୍ୱତନ୍ତ୍ର କୋଚିଂ ଟ୍ରେନ୍ ସଫଳତାର ସହ ପରିଚାଳନା କରିଛି। ଏହା ଯାତ୍ରୀ ସୁବିଧା ବୃଦ୍ଧି ସହିତ ପରିଚାଳନା ଦକ୍ଷତାକୁ ମଧ୍ୟ ସୁଦୃଢ଼ କରିଛି।

ଏହା ବ୍ୟତୀତ ରେଳ ମଣ୍ଡଳ ପକ୍ଷରୁ କାମଲୁର (KMLR)–ଭାନ୍ସି (BHNS) ମଧ୍ୟରେ ୧୨.୪୨୮ କିଲୋମିଟର ଏବଂ ବାଇଗୁଡ଼ା (BGUA)–କାକିରିଗୁମା (KKGM) ମଧ୍ୟରେ ୧୨.୩୮୫ କିଲୋମିଟର ରେଳ ସେକ୍ସନରେ ଗୁରୁତ୍ୱପୂର୍ଣ୍ଣ ନନ୍-ଇଣ୍ଟରଲକିଂ (NI) କାର୍ଯ୍ୟ ସଫଳତାର ସହ ସମ୍ପନ୍ନ କରାଯାଇଛି। ଏହା ରେଳ ଭିତ୍ତିଭୂମିର ସୁଦୃଢ଼ୀକରଣ ସହ ଭବିଷ୍ୟତରେ ଅଧିକ କ୍ଷମତା ବୃଦ୍ଧି ପାଇଁ ଏକ ନୂତନ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।

ଏହି ଉଲ୍ଲେଖନୀୟ ସଫଳତା ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ନିଷ୍ଠାପୂର୍ଣ୍ଣ ପ୍ରୟାସ, ପଣ୍ୟ ପରିବହନ ଗ୍ରାହକଙ୍କ ସହ ଫଳପ୍ରଦ ସମନ୍ୱୟ ଏବଂ କାର୍ଯ୍ୟ ପରିଚାଳନାରେ ନିରନ୍ତର ଉତ୍କର୍ଷତା ପ୍ରତି ଗୁରୁତ୍ୱ ଦେବାର ପ୍ରତିଫଳନ ଅଟେ।

ରାୟଗଡ଼ା ରେଳ ଡିଭିଜନ ପ୍ରବନ୍ଧକ (ଡିଆରଏମ) ଶ୍ରୀ ଅମିତାଭ ସିଂଘଲ ଏହି ଉଲ୍ଲେଖନୀୟ ସଫଳତା ପାଇଁ ରେଳ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମାଲ ପରିବହନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ପାଇଁ ସେମାନଙ୍କର ନିଷ୍ଠା ଓ କଠିନ ପରିଶ୍ରମକୁ ପ୍ରଶଂସା କରିବା ସହ ଏହି ଅଭିବୃଦ୍ଧିର ଧାରାକୁ ଆଗାମୀ ଦିନରେ ମଧ୍ୟ ବଜାୟ ରଖି ଡିଭିଜନର କାର୍ଯ୍ୟ ପରିଚାଳନା ଦକ୍ଷତା ଏବଂ ଗ୍ରାହକ ସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି ।

Spread the love