ଓମଫେଡ଼ର ବନ୍ୟା ପ୍ରଭାବିତ ଅଂଚଳରେ ଗୋଖାଦ୍ୟ ବଣ୍ଟନ • ଗତ ୪ ଦିନରେ ବାଣ୍ଟିଛି ୫୦୪ ମେଟ୍ରିକ୍ ଟନ୍ ଗୋଖାଦ୍ୟ • ୧୦୦୦ ମେଟ୍ରିକ୍ ଟନରୁଅଧିକ ଗୋଖାଦ୍ୟ ବାଣ୍ଟିବ

 ଭୁବନେଶ୍ୱର ( ପ୍ରତିଫଳନ ମିଡ଼ିଆ )

ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା। ବନ୍ୟା ବିତ୍ପାତରେ ବେଘର ଅନେକ ଲୋକ ।  ପାଣିରେ ଉବୁଟୁବୁ ଅନେକ ଗାଁ। ମଣିଷଙ୍କ ଅବସ୍ଥା ସାଙ୍ଘାତିକ । ଏଭଳି ସ୍ଥିତିରେ ପଶୁ ସମ୍ପଦଙ୍କ କଥା ପଚାରେ କିଏ । ପରିସ୍ଥିତିକୁ ବୁଝି ସହଯୋଗର ହାତ ବଢ଼େଇଛି ଓମଫେଡ଼ । ଓମଫେଡ଼ ପକ୍ଷରୁ ବନ୍ୟାଞ୍ଚଳରେ ବ୍ୟାପକ ଗୋଖାଦ୍ୟ ବଣ୍ଟନ କରାଯାଉଛି ।

ସଂପ୍ରତି ରାଜ୍ୟର ବିଭିନ୍ନ ଜିଲ୍ଲାରେ ହୋଇଥିବା ବର୍ଷା ଜନିତ ପ୍ରଳୟଙ୍କରୀ ବନ୍ୟାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ହଜାର ହଜାର ଗାଈଗୋରୁଙ୍କୁ ସ୍ଥାନାନ୍ତର କରାଯାଇଛି । ସବୁଆଡେ ଜଳାର୍ଣ୍ଣବ ହୋଇଯାଇଥିବାରୁ ଗୃହପାଳିତ ପଶୁ ଖାସ୍ କରି ଗୋଖାଦ୍ୟ ଯୋଗାଇ ଦେବା ପାଇଁ ରାଜ୍ୟସରକାର ତଥା ବିଭାଗୀୟ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓମଫେଡ଼କୁ ନିର୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦେଶ ପାଇବା ପରେ ଓମଫେଡ଼ ଯୁଦ୍ଧକାଳୀନ ଭିତ୍ତିରେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା ଆଦି ଜିଲ୍ଲାକୁ ଗୋଖାଦ୍ୟ ଯୋଗାଇ ଦିଆଯାଇଛି । ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ଜିଲ୍ଲାକୁ ଗୋଖାଦ୍ୟ ପଠାଇ ଦିଆଯାଉଅଛି । ବନ୍ୟା ପ୍ରଭାବିତ ଅଂଚଳରେ ଯେପରି କୌଣସି ଗାଈଗୋରୁ ଉପବାସରେ ନ ରୁହନ୍ତି, ସେଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଓମଫେଡ଼ ଦିନ ରାତି ଏକ କରି ଗୋଖାଦ୍ୟ ଉତ୍ପାଦନ କରୁଅଛି । 

31 ତାରିଖ ସଂଧ୍ୟାସୁଦ୍ଧା ବାଲେଶ୍ୱର ଜିଲ୍ଲାକୁ 108 ମେଟ୍ରିକ ଟନ୍ ଗୋଖାଦ୍ୟ ଦିଆଯାଇଥିବା ବେଳେ ଭଦ୍ରକ ଜିଲ୍ଲାକୁ ସର୍ବାଧିକ 202.95 ମେଟ୍ରିକ୍ ଟନ୍, ଜଗତସିଂହପୁରକୁ 2.75 ମେଟ୍ରିକ୍ ଟନ୍, ଯାଜପୁର ଜିଲ୍ଲାକୁ 160 ମେଟ୍ରିକ୍ ଟନ୍, କେନ୍ଦ୍ରାପଡାକୁ 6.10 ମେଟ୍ରିକ୍ ଟନ୍, କେନ୍ଦୁଝରକୁ 25 ମେଟ୍ରିକ୍ ଟନ୍ ଗୋଖାଦ୍ୟ ପ୍ରଦାନ କରାଯାଇଛି । ଗତ 28 ତାରିଖରେ ବିଭିନ୍ନ ଜିଲ୍ଲାକୁ 11.950 ମେଟ୍ରିକ୍ ଟନ୍ ଗୋଖାଦ୍ୟ ଦିଆଯାଇଥିବା ବେଳେ 29 ତାରିଖ ଦିନ 108 ମେଟ୍ରିକ୍ ଟନ୍, 30 ତାରିଖ ଦିନ 203.750 ମେଟ୍ରିକ୍ ଟନ୍ ଏବଂ 31 ତାରିଖ ଦିନ ସଂଧ୍ୟାସୁଦ୍ଧା 181.100 ମେଟ୍ରିକ୍ ଟନ୍ ଗୋଖାଦ୍ୟ ଏପରି ମୋଟ 504.80 ମେଟ୍ରିକ୍ ଟନ୍ ଗୋଖାଦ୍ୟ ବିଭିନ୍ନ ଜିଲ୍ଲାରେ ବଣ୍ଟନ କରାଯାଇଛି । 

ଯାଜପୁର ଜିଲ୍ଲାର କୋରେଇ, ବିଞ୍ଝାରପୁର, ଦଶରଥପୁର; ବାଲେଶ୍ୱର ଜିଲ୍ଲାର ରେମୁଣା, ବାହାନଗା, ନୀଳଗିରି; ଭଦ୍ରକ ଜିଲ୍ଲାର ଧାମନଗର, ଚାନ୍ଦବାଲି, ତିହିଡି, ଭଣ୍ଡାରୀପୋଖରୀ, ଆରେଡି; କେନ୍ଦ୍ରାପଡା ଜିଲ୍ଲାର ରାଜକନିକା; କେନ୍ଦୁଝର ଜିଲ୍ଲାର ହାଟଡିହି, ଆନନ୍ଦପୁର ଏବଂ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଆଦି ଅଂଚଳରେ ପ୍ରଚୁର ପରିମାଣର ଗୋଖାଦ୍ୟ ବଣ୍ଟନ କରାଯାଉଛି । ଆଗାମୀ ଦିନରେ ଆହୁରି 537 ମେଟ୍ରିକ୍ ଟନରୁ ଅଧିକ ଗୋଖାଦ୍ୟ ବଣ୍ଟନ କରାଯିବ ବୋଲି କହିଛନ୍ତି ଓମ୍ଫେଡ୍ ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ । ଓମଫେଡ଼ର ଏହି ମହତ କାର୍ଯ୍ୟକୁ ବନ୍ୟା ପ୍ରଭାବିତ ଅଞ୍ଚଳ ଲୋକେ ଖୁବ ପ୍ରଶଂସା କରିଛନ୍ତି।

Spread the love