ପ୍ରତିଫଳନ ମିଡ଼ିଆ
ଓଡ଼ିଶାରୁ ମହାରାଷ୍ଟ୍ର ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଯାତ୍ରୀଙ୍କ ବଢ଼ୁଥିବା ଚାହିଦାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ପୁରୀରୁ –ସୋଲାପୁର ମଧ୍ୟରେ ଏକ ସ୍ପେଶାଲ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବାକୁ ଘୋଷଣା କରାଯାଇଛି।
ପୂର୍ବତଟ ରେଳପଥର ସୂଚନା ଅନୁଯାୟୀ, ୦୮୪୪୫ ପୁରୀ–ସୋଲାପୁର ସ୍ପେଶାଲ୍ ଏକ୍ସପ୍ରେସ୍ ଆସନ୍ତା ୭ ଅଗଷ୍ଟ ଶୁକ୍ରବାର ରାତି ୧୧ଟା ୪୫ ମିନିଟ୍ରେ ପୁରୀରୁ ଯାତ୍ରା ଆରମ୍ଭ କରି ୯ ଅଗଷ୍ଟ ରବିବାର ପ୍ରଭାତ ୪ଟା ୧୫ ମିନିଟ୍ରେ ସୋଲାପୁର ଜଙ୍କସନ୍ରେ ପହଞ୍ଚିବ।
ଏହି ସ୍ପେଶାଲ୍ ଟ୍ରେନ୍ ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ବିଜୟନଗରମ୍, ଦୁଭ୍ୱାଡା, ବିଜୟୱାଡା, ଗୁଣ୍ଟୁର, ନାଲଗୋଣ୍ଡା, ସିକନ୍ଦରାବାଦ, ୱାଡି ଏବଂ କଲବୁରଗି ଷ୍ଟେସନରେ ରହଣି କରିବ। ଫଳରେ ଏହି ସମସ୍ତ ଅଞ୍ଚଳକୁ ଯାତ୍ରା କରୁଥିବା ଯାତ୍ରୀମାନେ ସିଧାସଳଖ ରେଳ ସେବାର ସୁବିଧା ପାଇବେ।
ଟ୍ରେନ୍ରେ ମୋଟ ୨୨ଟି ବଗି ରହିଛି। ସେଥିରେ ୧୩ଟି ସ୍ଲିପର୍ କୋଚ୍, ୭ଟି ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍ ଏବଂ ୨ଟି ଲଗେଜ୍-ସହ-ଦିବ୍ୟାଙ୍ଗଙ୍କ ପାଇଁ ଅନୁକୂଳ କୋଚ୍ ସାମିଲ ରହିଛି।
ଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ NTES କିମ୍ବା ରେଳବାଇର ଅଧିକୃତ ୱେବସାଇଟ୍ରେ ଟ୍ରେନ୍ର ସର୍ବଶେଷ ସମୟସୂଚୀ ଯାଞ୍ଚ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି।

