ରାୟଗଡ଼ା ପ୍ରଶାସନର ଉଦ୍ୟମ‘ଆମ ରାସ୍ତା’ ଯୋଜନାକୁ ଏମସିଏଲ୍‌ର ୧୦.୨୯ କୋଟି ସହାୟତା

ବିରଳ ଜନଜାତି ବାସ କରୁଥୁବା ଦୁର୍ଗମ ଅଞ୍ଚଳରେ ନିର୍ମାଣ ହେବ ୧୦.୩୦ କିମି ସବୁ ଦିନିଆ ପକ୍କା ସଡ଼କ, ୫୬୪ ଜଣ ହେବେ ଲାଭାନ୍ୱିତ.

ପ୍ରତିଫଳନ ମିଡ଼ିଆ

ରାୟଗଡ଼ା ଜିଲ୍ଲାର ଦୁର୍ଗମ ପିଭିଟିଜି (PVTG) ଅଞ୍ଚଳରେ ନିର୍ମାଣ ହେବ ସବୁଦିନିଆ ପକ୍କା ରାସ୍ତା। ପକ୍କା ସଡ଼କ ସଂଯୋଗ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନର ‘ଆମ ରାସ୍ତା–୨୦୨୫–୨୬’ ଯୋଜନାକୁ ବଡ଼ ସଫଳତା ମିଳିଛି। ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍) ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱ (CSR) ପାଣ୍ଠିରୁ ମୁନିଗୁଡ଼ା ବ୍ଲକର ଗ୍ରାମୀଣ ସଡ଼କ ନିର୍ମାଣ ପାଇଁ ₹୧୦.୨୯ କୋଟି ଆର୍ଥିକ ସହାୟତା ପ୍ରଦାନ କରିବ। ଏଥିପାଇଁ

ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ଏମସିଏଲ୍‌ ମଧ୍ୟରେ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି

ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଏମସିଏଲ୍‌ର ସିଏସଆର ଜେନେରାଲ ମ୍ୟାନେଜର ଜ୍ୟୋତିର୍ମୟ ସିହ୍ନା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ପ୍ରକଳ୍ପ ଅଧୀନରେ ମୁନିଗୁଡ଼ା ବ୍ଲକର ୮ଟି ସଡ଼କ ନିର୍ମାଣ କରାଯିବ। ଏଥିରେ ୧୦.୩୦ କିଲୋମିଟର ପକ୍କା ସଡ଼କ, ୨୪ଟି କଲଭର୍ଟ ଏବଂ ୨,୯୮୦ ମିଟର ଡ୍ରେନ୍ ନିର୍ମାଣ ହେବ। ଏହାଦ୍ୱାରା ଶିରିପଦର ଓ ମୁନଖୋଲ ଗ୍ରାମପଞ୍ଚାୟତର ରକସରପାଡ଼ି, ରକାଟା, ସୁତାନଗୁଣି, ଗରଟା, ମଣ୍ଡା, ତ୍ରାହାଲି, ସରଗିପାଇ ସମେତ ବିଭିନ୍ନ ଗ୍ରାମର ୫୬୪ ଜଣ ପିଭିଟିଜି ଜନସାଧାରଣ ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ।

ଜିଲ୍ଲା ପ୍ରଶାସନର ଏହି ଯୋଜନା ମାଧ୍ୟମରେ ବିଷମକଟକ, ଗୁଣପୁର, କଲ୍ୟାଣସିଂହପୁର ଓ ମୁନିଗୁଡ଼ା ବ୍ଲକର ଦୁର୍ଗମ ପିଭିଟିଜି ବସତିଗୁଡ଼ିକୁ ମୁଖ୍ୟ ସଡ଼କ ସହ ସଂଯୋଗ କରାଯିବାକୁ ଲକ୍ଷ ରଖାଯାଇଛି । ଫଳରେ ସ୍ୱାସ୍ଥ୍ୟସେବା, ଶିକ୍ଷା, ଆମ୍ବୁଲାନ୍ସ ଚଳାଚଳ, ବଜାର ସଂଯୋଗ, ପିଏମ୍–ଜନମନ ଆବାସ ନିର୍ମାଣ ଓ ଅନ୍ୟାନ୍ୟ ସରକାରୀ ସେବା ପହଞ୍ଚାଇବା ସହଜ ହେବ।

ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରିଥିବା ମୋଟ ୪୫ଟି ସଡ଼କ ପ୍ରକଳ୍ପ ପାଇଁ ପ୍ରାୟ ₹୫୬.୩୪ କୋଟି ବ୍ୟୟ ଆକଳନ କରାଯାଇଥିବା ବେଳେ, ମୁନିଗୁଡ଼ା ବ୍ଲକର ପ୍ରକଳ୍ପଗୁଡ଼ିକ ପାଇଁ ପ୍ରଥମ ପର୍ଯ୍ୟାୟରେ ଏମସିଏଲ୍‌ର ₹୧୦.୨୯ କୋଟିର ସିଏସଆର ସହାୟତା ଦୁର୍ଗମ ଅଞ୍ଚଳର ଭିତ୍ତିଭୂମି ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଜିଲ୍ଲା ପ୍ରଶାସନ ଆଶା ପ୍ରକଟ କରିଛି।

Spread the love