କୋଟିଆ ବିବାଦ : ଜିତିଲା ଓଡିଶାର ଅସ୍ମିତା , ହାରିଲା ଆନ୍ଧ୍ରର ଔଦ୍ଧତ୍ୟ
ପଛଘୁଞ୍ଛା ଦେଲା ଆନ୍ଧ୍ର, ସାର୍କୀରେ କରିବ ବୁଥ
ଢେମସା ନାଚି ବିଜୟ ଉତ୍ସବ ପାଳିଲେ ଏକତ୍ର ସବୁ ଦଳର ନେତା
କୋରାପୁଟ (ପ୍ରତିଫଳନ ମିଡ଼ିଆ )
ଜିତିଲା ଓଡ଼ିଆ ଅସ୍ମିତା। ହାରିଲା ଆନ୍ଧ୍ରର ଔଦ୍ଧତ୍ୟ। ନିର୍ବାଚନ ନାମରେ ଆନ୍ଧ୍ର ପକ୍ଷରୁ ଗତ କିଛି ଦିନ ଧରି କୋଟିଆ ଅଞ୍ଚଳରେ ଦାଦାଗିରି ଚଳେଇଥିଲା। ଆନ୍ଧ୍ରର ଚାଉଳ ଗାଡିକୁ ଅଟକେଇଲେ ଓଡିଶା ପୋଲିସ। ପରେ ଆନ୍ଧ୍ର ପୋଲିସକୁ ଭିତରକୁ ପୁରେଇ ଦେଲେନି ଓଡିଶା ପୋଲିସ। ଶେଷରେ ପୋଲିଂ ପାର୍ଟିକୁ ପୁରେଇ ଦେଲେନି ଓଡିଶା ଅଧିକାରୀ, ପୋଲିସ ଓ ବିଭିନ୍ନ ଦଳର ନେତୃବୃନ୍ଦ। ଆଉ ଆନ୍ଧ୍ର ବାଧ୍ୟ ହୋଇ ପଛଘୁଞ୍ଚା ଦେଲା। ନିଜ ଇଲକାରେ ବୁଥ କରିବାକୁ ନିଷ୍ପତି ନେଲା ଆନ୍ଧ୍ର। ଆଉ ‘ଗୋ ବ୍ୟାକ୍’ ନାରାରେ କମ୍ପିଲା ବିବାଦୀୟ କୋଟିଆର ନେରେଡିୱାଲସା ସୀମାନ୍ତ। ଆନ୍ଧ୍ରର ନିଷ୍ପତି ପରେ ସର୍ବ ଦଳୀୟ ନେତା କୋରାପୁଟିଆ ଗୀତରେ ଢେମସା ନାଚି ବିଜୟ ଉତ୍ସବ କରିଥିଲେ।

କୋଟିଆ ପାଇଁ ଏକାଠି ହେଲେ ବିଜେଡି, କଂଗ୍ରେସ ଓ ବିଜେପିର ନେତା ଏବଂ କର୍ମୀ। ‘ଆଗ ମାଟି, ପରେ ପାର୍ଟି’ ନାରା ଦେଇ ଦିନତମାମ ସୀମାନ୍ତରେ ଡେରା ପକାଇଲେ। ଏହାରି ଭିତରେ ବୁଥ୍କୁ ନେଇ ଆସିଛି ବଡ଼ ଖବର। ମିଳିଥିବା ସୂଚନା ଅନୁସାରେ ଆନ୍ଧ୍ର ପ୍ରଶାସନ ଓଡ଼ିଶା ସୀମା ଭିତରେ ବୁଥ୍ ସ୍ଥାପନରୁ ପଛକୁ ହଟିଛି। ଏବେ ଆନ୍ଧ୍ର ପ୍ରଦେଶର ସାର୍କିରେ ହେବ ମତଦାନ କେନ୍ଦ୍ର।

ଗୋଟିଏ ପଟେ ସର୍ବଦଳୀୟ ନେତା ଓ କର୍ମୀଙ୍କ ‘ଗୋ ବ୍ୟାକ୍’ ନାରା। ଅନ୍ୟପଟେ ଉଭୟ ରାଜ୍ୟର ପୋଲିସ ଛାଉଣୀ। ଆଜି ନେରେଡିୱାଲସା ସୀମାନ୍ତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଓଡ଼ିଶା ସୀମା ଭିତରେ ଆନ୍ଧ୍ରର ବୁଥ୍ ସ୍ଥାପନକୁ ବିରୋଧ କରି ତିନି ଦଳର ନେତା ଓ କର୍ମୀ ଦିନତମାମ ସୀମାନ୍ତରେ ରହିଥିଲେ। ଏବେ ଆନ୍ଧ୍ର ପ୍ରଦେଶର ସାର୍କିରେ ବୁଥ୍ ହେବ ବୋଲି ସୂଚନା ମିଳିଛି।
ନେରେଡିୱାଲସା ସୀମାନ୍ତରେ ଆଜି ଏକାଠି ହୋଇଥିଲେ ତିନି ଦଳର ନେତା ଓ କର୍ମୀ। ଓଡ଼ିଶା ସୀମା ଭିତରେ ଆନ୍ଧ୍ରର ବୁଥ୍ ସ୍ଥାପନକୁ ସେମାନେ ଦିନତମାମ ବିରୋଧ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଓଡିଶା ପୁଲିସ, ପ୍ରଶାସନର ଦୃଢ଼ ପଦକ୍ଷେପ ଓ କୋରାପୁଟ ଜିଲ୍ଲାର ସମସ୍ତ ଦଳର ନେତା କର୍ମୀଙ୍କ ସଂଗଠିତ ପ୍ରତିବାଦ ଫଳରେ ପ୍ରଥମ କରି ସୀମାରୁ ହଟିବାକୁ ବାଧ୍ୟ୍ୟ ହୋଇଛି ଆନ୍ଧ୍ର। ଏହା ଓଡିଶା ପାଇଁ ପ୍ରାଥମିକ ବିଜୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ବୁଥ ସ୍ଥାନାନ୍ତର କଥା କହିଛନ୍ତି ପାର୍ବତୀପୁରମ ମାନ୍ୟମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବୈଶାଳୀ ନାଥ।ଏଣେ ସମ୍ମିଳିତ ଉଦ୍ୟମ ଫଳରେ ସଫଳତା ମିଳିଲା ବୋଲି କହିଛନ୍ତି କୋରାପୁଟ ଉପଜିଲ୍ଲାପାଳ।
