Oplus_16908288
Oplus_16908288
ମାନବାଧିକାର କର୍ମୀ ଅନୁପ କୁମାର ପାତ୍ରଙ୍କ ଅଭିଯୋଗ ପରେ ତତ୍ପରତା; ନଭେମ୍ବର ୫ର ନିର୍ବାଚନକୁ ନେଇ ବଢ଼ିଲା ଚର୍ଚ୍ଚା
ପ୍ରତିଫଳନ ମିଡ଼ିଆ
କୋରାପୁଟ ଜିଲ୍ଲା କୋଟିଆରେ ନିର୍ବାଚନ ପରିଚାଳନାକୁ ନେଇ ଉଠିଥିବା ବିବାଦରେ ହସ୍ତକ୍ଷେପ କରିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ ଆୟୋଗ। ମାନବାଧିକାର କର୍ମୀ ତଥା ଆଇନଜୀବୀ ଅନୁପ କୁମାର ପାତ୍ରଙ୍କ ଲିଖିତ ଅଭିଯୋଗ ପରେ ଆୟୋଗ ପାର୍ବତୀପୁରମ୍ ମାନ୍ୟମ ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ କରି ତୁରନ୍ତ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତା ନଭେମ୍ବର ୫ରେ କୋଟିଆ ଗ୍ରାମପଞ୍ଚାୟତ ଅଞ୍ଚଳରେ ଆନ୍ଧ୍ର ପକ୍ଷରୁ ପ୍ରସ୍ତାବିତ ସ୍ଥାନୀୟ ନିକାୟ ନିର୍ବାଚନକୁ ନେଇ ଶ୍ରୀ ପାତ୍ର ଆୟୋଗଙ୍କ ନିକଟରେ ଆପତ୍ତି ଉଠାଇଥିଲେ। କୋଟିଆ ଓଡ଼ିଶାର ଅଧିସୂଚିତ ପଞ୍ଚମ ଅନୁସୂଚୀଭୁକ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ ଆନ୍ଧ୍ରର ନିର୍ବାଚନ ପରିଚାଳନା ଓ ପ୍ରଶାସନିକ ଅଧିକାରର ଆଇନଗତ ଆଧାର ଯାଞ୍ଚ କରିବାକୁ ସେ ଦାବି କରିଥିଲେ।
ଏହାକୁ ଆଧାର କରି ନଭେମ୍ବର ୩ ତାରିଖରେ ଆୟୋଗ ପତ୍ର ସଂଖ୍ୟା ୧୫୦୦/SEC-B2/2026 ଜାରି କରିଛନ୍ତି। ଏଥିରେ ଜିଲ୍ଲାପାଳଙ୍କୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ, ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଏବଂ ସମ୍ପୂର୍ଣ୍ଣ ତଥ୍ୟଭିତ୍ତିକ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ କୁହାଯାଇଛି।
ଓଡ଼ିଶା-ଆନ୍ଧ୍ର ସୀମା ବିବାଦର ଏକ ସମ୍ବେଦନଶୀଳ କେନ୍ଦ୍ର ଭାବେ ପରିଚିତ କୋଟିଆରେ ଏହି ଘଟଣା ନୂଆ ଆଇନଗତ ଓ ପ୍ରଶାସନିକ ଚର୍ଚ୍ଚା ସୃଷ୍ଟି କରିଛି। ଏବେ ଆୟୋଗଙ୍କ ନିକଟକୁ ଜିଲ୍ଲା ପ୍ରଶାସନର ରିପୋର୍ଟ ଏବଂ ପରବର୍ତ୍ତୀ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର।
