ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ )
ଓଡ଼ିଶାର ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ବର୍ତ୍ତମାନର ଆଣ୍ଟି-ନକ୍ସଲ ଅପରେସନ୍ସ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କୁ ଚଳିତ ବର୍ଷର ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯିବ। ସ୍ୱାଧୀନତା ଦିବସ ଅବସରରେ ଏହି ସମ୍ମାନ ତାଙ୍କୁ ପ୍ରଦାନ କରାଯିବ ।
୧୯୯୪ ବ୍ୟାଚ୍ର ଓଡ଼ିଶା କ୍ୟାଡର୍ର ଆଇପିଏସ୍ ଅଧିକାରୀ ଶ୍ରୀ ପଣ୍ଡା ପ୍ରାୟ ତିନି ଦଶନ୍ଧିର ପୁଲିସ ସେବାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବିରେ ଦାୟିତ୍ୱ ତୁଲାଇଛନ୍ତି। ରାୟଗଡ଼ା, ରାଉରକେଲା, ବାଲେଶ୍ୱର, ପୁରୀ ଓ ବରଗଡ଼ ଭଳି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଭାବେ ସେ ଦାୟିତ୍ୱ ନେଇଥିଲେ। ଅପରାଧ ଦମନ ଓ ଆଇନଶୃଙ୍ଖଳା ରକ୍ଷା କ୍ଷେତ୍ରରେ ତାଙ୍କ କଠୋର ଓ ଦକ୍ଷ ପଦକ୍ଷେପ ତାଙ୍କୁ ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ ପରିଚିତ କରିଛି।ପୋଲିସ ବିଭାଗରେ ଆଧୁନିକୀ କରଣ ଓ ଉନ୍ନତ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ପ୍ରମୁଖ ଭୂମିକା ରହିଛି।
ନକ୍ସଲ ଦମନ ଅଭିଯାନରେ ମଧ୍ୟ ଶ୍ରୀ ପଣ୍ଡାଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। କୋରାପୁଟସ୍ଥିତ ଦକ୍ଷିଣ-ପଶ୍ଚିମ ରେଞ୍ଜର ଉପମହାନିରୀକ୍ଷକ ଭାବେ କାର୍ଯ୍ୟ କରିବା ସହ ସେ ସ୍ୱତନ୍ତ୍ର ଗୁଇନ୍ଦା ଶାଖାର ପ୍ରତିଷ୍ଠାତା ଉପମହାନିରୀକ୍ଷକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ଗୁଇନ୍ଦା ସୂଚନା ଆଧାରିତ ଅଭିଯାନ ମାଧ୍ୟମରେ ନକ୍ସଲ ନେଟୱର୍କକୁ ଦୁର୍ବଳ କରିବାରେ ତାଙ୍କ ନେତୃତ୍ୱ ଉଲ୍ଲେଖନୀୟ ଥିଲା।

ବର୍ତ୍ତମାନ ନକ୍ସଲ ଦମନ ଅଭିଯାନର ମହାନିର୍ଦ୍ଦେଶକ ଭାବେ ସେ ଓଡ଼ିଶାକୁ ନକ୍ସଲମୁକ୍ତ କରିବା ଦିଗରେ ଚାଲିଥିବା ଅଭିଯାନର ନେତୃତ୍ୱ ନେଇଛନ୍ତି। ସମନ୍ୱିତ ଅଭିଯାନ, ଗୁଇନ୍ଦା ସୂଚନାର ସଫଳ ବ୍ୟବହାର ଏବଂ ନିରନ୍ତର ନିରୀକ୍ଷଣ ଫଳରେ ରାଜ୍ୟରେ ନକ୍ସଲ କାର୍ଯ୍ୟକଳାପ ଉପରେ ଦୃଢ଼ ନିୟନ୍ତ୍ରଣ ଆଣିବାରେ ସଫଳତା ମିଳିଛି।
ଆଇନ ଶୃଙ୍ଖଳା ଓ ମାଓ ଦମନ କ୍ଷେତ୍ର ବ୍ୟତୀତ, ପୋଲିସ ପ୍ରଶାସନିକ ସଂସ୍କାର କ୍ଷେତ୍ରରେ ଓ ଭିତିଭୂମିର ଉନ୍ନତି ଆଣିବାରେ ମଧ୍ୟ ଶ୍ରୀ ପଣ୍ଡାଙ୍କ ଅବଦାନ ରହିଛି। ରାଜ୍ୟ ପରିବହନ ନିଗମରେ ଡିଜିଟାଲ୍ ବ୍ୟବସ୍ଥାର ପ୍ରଚଳନ, ଓଡ଼ିଶା ପୁଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ୍ର କାର୍ଯ୍ୟକୁ ଆଧୁନିକୀକରଣ ଏବଂ ଅପରାଧ ତଦନ୍ତରେ ପ୍ରଯୁକ୍ତିର ବ୍ୟବହାର ଭଳି କ୍ଷେତ୍ରରେ ସେ ଗୁରୁତ୍ୱ ଦେଇ ଉଲ୍ଲେଖନୀୟ ବିକାଶ ଆଣିଛନ୍ତି ।
ପୁରୀ ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ପରିଚାଳନାରେ ମଧ୍ୟ ତାଙ୍କ ଦକ୍ଷତାର ପରିଚୟ ମିଳିଛି । ଭୁବନେଶ୍ୱର-କଟକ ପୁଲିସ କମିଶନର ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି । ଦୀର୍ଘ ପୁଲିସ ସେବା ଜୀବନରେ ଶ୍ରୀ ପଣ୍ଡା ଏକାଧିକ ଡିଜିପି ଡିସ୍କ, ଅନ୍ତରିକ ସୁରକ୍ଷା ପଦକ ଏବଂ ପୁଲିସ ପଦକ ଭଳି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଜଣେ କଠୋର ଓ ଦକ୍ଷ ପୁଲିସ ଅଧିକାରୀ ସହିତ ପ୍ରଯୁକ୍ତିଭିତ୍ତିକ ଆଧୁନିକ ପୁଲିସ ବ୍ୟବସ୍ଥାର ପ୍ରବର୍ତ୍ତକ ଭାବେ ସଞ୍ଜୀବ ପଣ୍ଡାଙ୍କୁ ଏହି ରାଷ୍ଟ୍ରପତି ପଦକ ପ୍ରଦାନ ଓଡ଼ିଶା ପୁଲିସ ପାଇଁ ସମ୍ମାନ ଓ ଗୌରବର ବିଷୟ ହୋଇଛି ।

