ରାୟଗଡା ( ପ୍ରତିଫଳନ ମିଡ଼ିଆ )
ରାୟଗଡାରେ ଆଦାନୀ ଗ୍ରୁପର ମୁଖ୍ୟ । ରାୟଗଡା ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନାକୁ ବିଶ୍ୱର ପ୍ରମୁଖ ଶିଳ୍ପ ସଂସ୍ଥା ଆଦାନୀ ଗ୍ରୁପର ମାଲିକ ଆଜି ହେଲିକପ୍ଟର ଯୋଗେ ଆସିଥିଲେ I ପ୍ରଥମେ ହେଲିକେପ୍ଟର ଯୋଗେ ପ୍ରସ୍ତାବିତ ଖଣି ଅଞ୍ଚଳକୁ ଏରିଆଲ ସର୍ଭେ କରିଥିବା ଜଣା ପଡିଛି। ଇମ୍ଫା କାରଖାନା ପରିସରରେ ପ୍ରାୟ ୧ ଘଣ୍ଟା ଧରି ବୈଠକ ହୋଇଥିଲା I ଏହି ବୈଠକରେ ଆଦାନୀ କମ୍ପାନୀର ମୁଖ୍ୟ ଗୌତମ ଆଦାନୀ ଓ ତାଙ୍କ ପୁଅ କରନ ଆଦାନୀ ଓ ଅଦାନୀ କମ୍ପାନୀର ଅଧିକାରୀ ମାନେ ଯୋଗଦେଇଥିଲେ।
ଆଦାନୀ ଗ୍ରୁପକୁ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ବାଳଦା ବକ୍ସାଇଟ ଖଣି ମିଳିଥିବା ବେଳେ ରାୟଗଡା ଜିଲ୍ଲାର କାଶୀପୁର ରେ ମଧ୍ୟ ବକ୍ସାଇଟ ଖଣି ମିଳିଛି ଓ ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟ କାର୍ଯ୍ୟ ପାଇଁ କମ୍ପାନୀ ପକ୍ଷରୁ କୋରାପୁଟ ଓ ରାୟଗଡାରେ କଳିଙ୍ଗ ଆଲୁମିନିଅମ ଲିମିଟେଡ଼ ନାମରେ ଅଫିସ ମଧ୍ୟ ଖୋଲାଛନ୍ତି I ରାୟଗଡା ଠାରେ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରଥମେ କୋଲନରା ବ୍ଲକରେ ପାଖାପାଖି ୧୭୦୦ ଏକର ଜମି ଦେଖାଯାଇଥିଲା I କିନ୍ତୁ ସେଠାରେ ସରକାରୀ ଜମିଠୁ ବେସରକାରୀ ଜମିରେ ପରିମାଣ ଅଧିକା ଥିବାରୁ ବିସ୍ଥାପନ ପକ୍ରିୟାରେ ଅସୁବିଧା ହେବା ଆଶଙ୍କା ପ୍ରକାଶ କରି ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇ ପାରି ନଥିଲା। ବିଶ୍ୱର ପ୍ରମୁଖ ଶିଳ୍ପ ସଂସ୍ଥା ଆଦାନୀ ଗୃପର ମୁଖ୍ୟ ରାୟଗଡା ଜିଲ୍ଲାକୁ ଆସିବା ଏବେ ଚର୍ଚ୍ଚାର ଖୋରାକ ଯୋଗାଇବା ସହ ନାନା ପ୍ରକାର କଳ୍ପନାଜଳ୍ପନା ପ୍ରକାଶ ପାଇଛି I କେନ୍ଦ୍ର ସରକାର ଓ ରାଜ୍ୟ ସରକାର ରାୟଗଡା ଜିଲ୍ଲାକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଜିଲ୍ଲାର ରେଳପଥ, ସଡ଼କ ପଥ ସମେତ ଭିତିଭୂମିର ବିକାଶ ପାଇଁ ଉଦ୍ୟମ ଜାରି ରଖିଛନ୍ତି।ଏଠାରେ ଉଲ୍ଲେଖ ଯୋଗ୍ୟଯେ ପ୍ରସ୍ତାବିତ ଗୋପାଳପୁର – ରାୟଗଡା ରେଳପଥ ଓ ରାୟଗଡା ବ୍ରହ୍ମପୁର -ଗୋପାଳପୁର ବନ୍ଦରକୁ ସଂଯୋଗ କରିବା ପାଇଁ ଚାରି ଲାଇନ ବିଶିଷ୍ଟ ସଡ଼କପଥ ନିର୍ମାଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।ଚାରି ଲାଇନ ରାସ୍ତା ନିର୍ମାଣ କାର୍ଯ୍ୟ ଆଦାନୀ ଗ୍ରୁପ ଅଫ କମ୍ପାନୀ ଦ୍ୱାରା ହେବବୋଲି ସୂଚନା ମିଳିଛି । କମ୍ପାନୀ ପକ୍ଷରୁ ଆଗକୁ ରାୟଗଡା ଅଞ୍ଚଳରେ ବିପୁଳ ପୁଞ୍ଜି ନିବେଶ କରିବାକୁ ଯାଉଥିବାବେଳେ କମ୍ପାନୀ ମୁଖ୍ୟଙ୍କ ଏହି ଗସ୍ତ ବେଶ ତାପ୍ତର୍ଯ୍ୟପୂର୍ଣ୍ଣ ମନେ କରାଯାଉଛି। ଗସ୍ତକୁ ଲକ୍ଷ କରି କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା I ଗସ୍ତବେଳେ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଏସ ପି ରାଜ ପ୍ରସାଦ ପ୍ରମୁଖ ଉପସ୍ଥିତ ରହିଥିଲେ। ଗୌତମ ଆଦାନୀଙ୍କ ସହ ଆଲୋଚନା କରିଥିଲେ। ଗୌତମ ଆଦାନୀଙ୍କ ସହ କଣ ଆଲୋଚନା କରିଥିଲେ ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇନାହିଁ। ଆଦାନୀ କମ୍ପାନୀର ମୁଖ୍ୟଙ୍କ ରାୟଗଡା ଗସ୍ତ ନେଇ ସାଧାରଣରେ ଚର୍ଚ୍ଚା ଯୋର ଧରିଛି।

