ବଡ଼ନାଳ ଡ୍ୟାମ୍କୁ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶ କରିବାକୁ ଯୋଜନା
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ପରିଦର୍ଶନ, ଅଧିକାରୀଙ୍କ ସହ ଆଲୋଚନା
ପଦ୍ମପୁର ( ପ୍ରତିଫଳନ ମିଡ଼ିଆ )
ରାୟଗଡ଼ା ଜିଲ୍ଲାର ପର୍ଯ୍ୟଟନ ସମ୍ଭାବନାକୁ ନୂଆ ଦିଗ ଦେବା ସହ ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶକୁ ଗତିଶୀଳ କରିବା ଲକ୍ଷ୍ୟରେ ପଦ୍ମପୁର ବ୍ଲକ୍ସ୍ଥିତ ବଡ଼ନାଳ ଡ୍ୟାମ୍କୁ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ନେଇ ଆଲୋଚନା ହୋଇଛି। ରାୟଗଡ଼ା ଜିଲ୍ଲା ଗସ୍ତ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ନାଳ ଡ୍ୟାମ୍ ପରିଦର୍ଶନ କରି ଏହାର ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ସମ୍ପର୍କରେ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଏହି ଆଲୋଚନା କାଳରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଉପସ୍ଥିତ ଥିଲେ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବଡ଼ନାଳ ଜଳଭଣ୍ଡାରକୁ ଯଦି ଯୋଜନାବଦ୍ଧ ଭାବେ ବିକଶିତ କରାଯାଏ ତେବେ ଏହା ରାୟଗଡ଼ା ଜିଲ୍ଲାର ଏକ ପ୍ରମୁଖ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଚିତି ହାସଲ କରିପାରିବ। ଏଥିପାଇଁ ଜଳଭଣ୍ଡାରର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ, ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ସୁବିଧା, ଯାତାୟାତ ବ୍ୟବସ୍ଥା ଏବଂ ପରିବେଶ ସୁରକ୍ଷା ଭଳି ଦିଗଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି। ଏଦିଗରେ ଉପମୁଖ୍ୟମନ୍ତ୍ରୀ ଆଗ୍ରହ ପ୍ରକଟ କରିଛନ୍ତି। ବଡନାଳର ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇଥିଲେ ଶ୍ରୀମତି ପରିଡା।

ବଡ଼ନାଳ କେବଳ ଏକ ଜଳଭଣ୍ଡାର ନୁହେଁ, ବରଂ ଏହା ରାୟଗଡ଼ା ଜିଲ୍ଲାର କୃଷି ଅର୍ଥନୀତି ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ମଧ୍ୟମ ଜଳସେଚନ ପ୍ରକଳ୍ପ। କେନ୍ଦ୍ରୀୟ ଜଳ ଆୟୋଗରେ ପ୍ରକାଶିତ ତଥ୍ୟ ଅନୁସାରେ ଏହି ପ୍ରକଳ୍ପ ବଂଶଧାରା ଅବବାହିକାର ଜଳସମ୍ପଦକୁ ଉପଯୋଗ କରିବା ଉଦ୍ଦେଶ୍ୟରେ ନିର୍ମିତ ହୋଇଥିଲା । ୧୯୯୨ ମସିହାରେ ନିର୍ମିତ ଏହି ମାଟିବନ୍ଧର ଲମ୍ବ ପ୍ରାୟ ୩୨୫ ମିଟର ଓ ଉଚ୍ଚତା ୪୮ ମିଟର। ଜଳଭଣ୍ଡାରର ସର୍ବୋଚ୍ଚ ନିର୍ଦ୍ଧାରିତ ଜଳସ୍ତରରେ ମୋଟ ଜଳଧାରଣ କ୍ଷମତା ପ୍ରାୟ ୭୫.୬୪ ନିୟୁତ ଘନମିଟର। ଏହି ପ୍ରକଳ୍ପର ମୋଟ ଜଳସେଚନ ଅଧୀନ ଅଞ୍ଚଳ ପ୍ରାୟ ୧୩,୦୬୦ ହେକ୍ଟର ହୋଇଥିବା ବେଳେ ଚାଷ ପାଇଁ ନିର୍ଦ୍ଧାରିତ ଜଳସେଚନ କ୍ଷେତ୍ରଫଳ ୯,୮୦୦ ହେକ୍ଟର। ଏହା ୫୧ଟି ଗ୍ରାମର କୃଷି କାର୍ଯ୍ୟକୁ ସହାୟତା କରିବା ପାଇଁ ପରିକଳ୍ପିତ। ଗୁଣପୁର, ଗୁଡ଼ାରୀ, ପଦ୍ମପୁର ଅଞ୍ଚଳର ଧାନ ଚାଷ ସହ ମାଣ୍ଡିଆ, ଡାଲିଜାତୀୟ ଫସଲ, ତୈଳବୀଜ ଓ ପନିପରିବା ଚାଷ ପାଇଁ ମଧ୍ୟ ଏହି ପ୍ରକଳ୍ପର ଗୁରୁତ୍ୱ ରହିଛି।

ବଡ଼ନାଳ ଡ୍ୟାମ୍ର ପ୍ରାକୃତିକ ପରିବେଶକୁ ଉପଯୋଗ କରି ପର୍ଯ୍ୟଟନର ବିକାଶ କରାଗଲେ ଏହା କେବଳ ଜିଲ୍ଲାର ପର୍ଯ୍ୟଟନ ମାନଚିତ୍ରକୁ ସମୃଦ୍ଧ କରିବ ନାହିଁ। ବରଂ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ରୋଜଗାର ଓ ଛୋଟ ବ୍ୟବସାୟର ସୁଯୋଗ ମଧ୍ୟ ସୃଷ୍ଟି କରିପାରିବ। ପର୍ଯ୍ୟଟକଙ୍କ ପାଇଁ ବସିବା ସ୍ଥାନ, ଦର୍ଶନୀୟ ସ୍ଥାନର ବିକାଶ, ପାନୀୟ ଜଳ, ପରିମଳ ଓ ପାର୍କିଂ ଭଳି ମୌଳିକ ସୁବିଧା ସହିତ ପରିବେଶର ସୁରକ୍ଷାକୁ ପ୍ରାଥମିକତା ଦେବା ଆବଶ୍ୟକ।ଏଦିଗରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ଆଦିବାସୀ ଅଞ୍ଚଳରେ ପର୍ଯ୍ୟଟନକୁ ଶିଳ୍ପ ଭାବେ ଗଢି ତୋଳିବାକୁ ବିଜେପି ସରକାର ଗୁରୁତ୍ୱ ଦେଉଥିବା ଶ୍ରୀମତି ପରିଡା କହିଛନ୍ତି।

ତେବେ ପର୍ଯ୍ୟଟନ ବିକାଶ ସହିତ ଡ୍ୟାମ୍ର ମୂଳ ଉଦ୍ଦେଶ୍ୟ ଜଳସେଚନ ଓ ଜଳସମ୍ପଦ ପରିଚାଳନାକୁ ମଧ୍ୟ ସମାନ ଗୁରୁତ୍ୱ ଦେବାକୁ ପଡ଼ିବ। ଉପମୁଖ୍ୟମନ୍ତ୍ରୀଙ୍କ ଏହି ପରିଦର୍ଶନ ପରେ ବଡ଼ନାଳକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ନେଇ ଆଶା ଉଜ୍ଜଳ ହୋଇଛି। ଏହି ଗସ୍ତବେଳେ ରାୟଗଡା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିଦ୍ୟାଧର ଶବର ଉପସ୍ଥିତ ଥିଲେ।
