ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ରାୟଗଡ଼ାରେ ଲଗାଣ ବର୍ଷା
ତଳିଆ ଅଞ୍ଚଳ ଉପରେ ପ୍ରଶାସନର କଡ଼ା ନଜର, ରାସ୍ତାରେ ଉପୁଡ଼ି ପଡ଼ିଛି ଗଛ
ରାୟଗଡ଼ା ( ପ୍ରତିଫଳନ ମିଡ଼ିଆ )
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ରାୟଗଡ଼ା ଜିଲ୍ଲାରେ ପାଗ ଅସ୍ୱାଭାବିକ ରହିଛି। ଗତକାଲିଠାରୁ ଜାରି ରହିଥିବା ବର୍ଷା ଲ୍ୟାଣ୍ଡଫଲ୍ ପରେ ମଧ୍ୟ ଥମିବାର ନାଁ ନେଉନାହିଁ। ବର୍ଷା ଓ ପବନ ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି। ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ସହ ଜନଜୀବନର ସୁରକ୍ଷା ପାଇଁ ପ୍ରଶାସନ ତତ୍ପର ହୋଇଉଠିଛି।

ବାତ୍ୟା ପରିସ୍ଥିତି ଉପରେ ନଜର ରଖିବା ସହ ଜିଲ୍ଲାରେ ପ୍ରଶାସନିକ ତତ୍ପରତା ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ଠାରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ବରିଷ୍ଠ ପ୍ରଶାସକ ସୁଦର୍ଶନ ଚକ୍ରବର୍ତ୍ତୀ ରାୟଗଡ଼ାରେ ରହି ଘନ ଘନ ବୈଠକ କରୁଛନ୍ତି। ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡ଼ା ଆଜି ପଦ୍ମପୁର ଗସ୍ତ କରି ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଛନ୍ତି। ତାଙ୍କ ସହ ବରିଷ୍ଠ ପ୍ରଶାସକ ଶ୍ରୀ ଚକ୍ରବର୍ତ୍ତୀ ଓ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ମଧ୍ୟ ଉପସ୍ଥିତ ଥିଲେ। ବିଶେଷକରି ତଳିଆ ଅଞ୍ଚଳର ସ୍ଥିତି ଉପରେ ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି।

ବାତ୍ୟାର ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବା ଖବର ମିଳିଛି। ରାୟଗଡ଼ା ବ୍ଲକ୍ର ପେରୀଗାଁ ବିଦ୍ୟାଳୟ ଉପରେ ଗଛ ପଡ଼ିଥିବା ବେଳେ ଡଙ୍ଗାଶିଲ ନିକଟସ୍ଥ ରତାଗୁଡ଼ା, ମୁନିଗୁଡ଼ା ବ୍ଲକ୍ର କୁନ୍ତାବାଡ଼ି ଗ୍ରାମ, ଚନ୍ଦ୍ରପୁରର କିରିମା, କୋଲନରା ବ୍ଲକର କୈଳାସପୁର, ଟିକିରି–କାଶୀପୁର ମୁଖ୍ୟ ରାସ୍ତା ଏବଂ ରାମନାଗୁଡ଼ା ନିକଟସ୍ଥ ଜାତୀୟ ରାଜପଥରେ ମଧ୍ୟ ଗଛ ପଡ଼ିଥିବା ସୂଚନା ମିଳିଛି। ଫଳରେ କେତେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଏଭଳି ପରିସ୍ଥିତିରେ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଗଛ ସଫା କରିବାରେ ନିୟୋଜିତ ହୋଇଛନ୍ତି। ବାତ୍ୟାଜନିତ ଯେକୌଣସି ପରିସ୍ଥିତିର ମୁକାବିଲା ଓ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି।
ବର୍ଷା ଜାରି ରହିଥିବାରୁ ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆଗାମୀ ସମୟରେ ପାଣିପାଗର ସ୍ଥିତି ଓ କ୍ଷୟକ୍ଷତି ଉପରେ ପ୍ରଶାସନର ନଜର ରହିଛି।
