ଭାରତର ଡିଜିଟାଲ୍ ଆର୍ଥିକ ସୁରକ୍ଷାକୁ ନୂଆ ଶକ୍ତି • ଭୁବନେଶ୍ୱରରେ RBIର ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଉଦ୍ଘାଟିତ
ଦେଶର ଆର୍ଥିକ ବ୍ୟବସ୍ଥାକୁ ସାଇବର ଆକ୍ରମଣରୁ ସୁରକ୍ଷା ଦେବା ଉପରେ ମୋଦୀଙ୍କ ଗୁରୁତ୍ୱ
ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ )
ଭାରତର ଡିଜିଟାଲ୍ ଆର୍ଥିକ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ, ଦକ୍ଷ ଓ ଭରସାଯୋଗ୍ୟ କରିବା ଦିଗରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଭୁବନେଶ୍ୱରରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ନବନିର୍ମିତ ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦ୍ଘାଟନ କରିଛନ୍ତି। ଏହି ଦୁଇଟି ଅତ୍ୟାଧୁନିକ ପ୍ରତିଷ୍ଠାନ ଦେଶର ଆର୍ଥିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଡିଜିଟାଲ୍ ବ୍ୟାଙ୍କିଂ ବ୍ୟବସ୍ଥାର ସୁରକ୍ଷା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଧୁନିକ ଯୁଗରେ ଯୁଦ୍ଧ କେବଳ ଅସ୍ତ୍ରଶସ୍ତ୍ରରେ ଲଢ଼ାଯାଉନାହିଁ । ଦେଶର ଅର୍ଥନୀତି ଉପରେ ଆକ୍ରମଣ କରି ମଧ୍ୟ ଏକ ରାଷ୍ଟ୍ରକୁ ଦୁର୍ବଳ କରାଯାଇପାରେ । ଭାରତ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ହେଉଥିବାବେଳେ ଏହାର ବ୍ୟାଙ୍କିଂ ବ୍ୟବସ୍ଥାକୁ ସାଇବର ଅପରାଧୀ ଓ ସାଇବର ଆତଙ୍କବାଦୀଙ୍କ ଆକ୍ରମଣରୁ ସୁରକ୍ଷା ଦେବା ଅତ୍ୟନ୍ତ ଜରୁରୀ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ସ୍ଥାପିତ ନୂତନ ଡାଟା ସେଣ୍ଟର ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଚାରିଟି ଅତ୍ୟାଧୁନିକ ଡାଟା ସେଣ୍ଟରରେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ତଥ୍ୟର ସୁରକ୍ଷା
RBIର ଏହି ଡାଟା ସେଣ୍ଟରରେ ଚାରିଟି ଅତ୍ୟାଧୁନିକ ଡାଟା ସେଣ୍ଟର ୟୁନିଟ୍ ରହିଛି । ଏଠାରେ ଦେଶର ଗୁରୁତ୍ୱପୂର୍ଣ୍ଣ ଅର୍ଥ ପ୍ରଦାନ ଓ ନିଷ୍ପତ୍ତିକରଣ ବ୍ୟବସ୍ଥା ସମେତ ବିଭିନ୍ନ ମୁଖ୍ୟ ଡିଜିଟାଲ୍ ସେବା ପରିଚାଳିତ ହେବ । ଏହି କେନ୍ଦ୍ର ଅତ୍ୟନ୍ତ ଉଚ୍ଚମାନର Tier IV ପ୍ରମାଣପତ୍ର ହାସଲ କରିଛି, ଯାହା ଡାଟା ସେଣ୍ଟରର କାର୍ଯ୍ୟକ୍ଷମତା ଓ ନିରନ୍ତର ସେବା ପ୍ରଦାନ କ୍ଷମତାର ଏକ ଆନ୍ତର୍ଜାତିକ ମାନଦଣ୍ଡ । ଏହି ଭିତ୍ତିଭୂମି RBIର ତଥ୍ୟ ପରିଚାଳନା, ଜରୁରୀ ଡିଜିଟାଲ୍ ସେବାର ନିରନ୍ତରତା ଏବଂ ଆର୍ଥିକ କାରବାରର ନିରାପତ୍ତାକୁ ସୁଦୃଢ଼ କରିବ। ଫଳରେ ଡିଜିଟାଲ୍ ଆର୍ଥିକ ସେବାର ଦକ୍ଷତା, ବିଶ୍ୱସନୀୟତା ଓ ପହଞ୍ଚ ବୃଦ୍ଧି ପାଇବାର ଆଶା ରହିଛି ।

ସାଇବର ସୁରକ୍ଷା, କୃତ୍ରିମ ବୁଦ୍ଧିମତ୍ତା ଓ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଉପରେ ଗୁରୁତ୍ୱ
ନୂତନ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ବ୍ୟାଙ୍କିଂ, ଆର୍ଥିକ ସେବା ଓ ବୀମା କ୍ଷେତ୍ରରେ ଦକ୍ଷ ମାନବସମ୍ବଳ ଗଠନ, ଗବେଷଣା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରଶିକ୍ଷଣକୁ ଗୁରୁତ୍ୱ ଦେବ। କୃତ୍ରିମ ବୁଦ୍ଧିମତ୍ତା (AI), କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଓ ଅନ୍ୟାନ୍ୟ ଉଦୀୟମାନ ପ୍ରଯୁକ୍ତି ଏହାର ପ୍ରମୁଖ କ୍ଷେତ୍ର ହେବ । ପ୍ରଧାନମନ୍ତ୍ରୀଙ୍କ ମତରେ ଗତ ଦଶନ୍ଧିରେ ବ୍ୟାଙ୍କିଂ ସେବାରୁ ବଞ୍ଚିତ ଲୋକଙ୍କୁ ଏହାର ପରିସରକୁ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆଗାମୀ ଦଶନ୍ଧିରେ ବ୍ୟାଙ୍କିଂ ସେବାକୁ ଅଧିକ ଦକ୍ଷ, ସୁରକ୍ଷିତ ଓ ଭରସାଯୋଗ୍ୟ କରିବା ହେବ ପ୍ରମୁଖ ଲକ୍ଷ୍ୟ
ଡିଜିଟାଲ୍ ବ୍ୟାଙ୍କିଂରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ
ଦେଶରେ ଡିଜିଟାଲ୍ ବ୍ୟାଙ୍କିଂ ଯୋଗୁଁ ଲୋକମାନେ ୨୪ ଘଣ୍ଟିଆ ବ୍ୟାଙ୍କିଂ ସେବା ପାଇପାରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଜନଧନ ଯୋଜନା ଅଧୀନରେ ପ୍ରାୟ ୬୦ କୋଟି ବ୍ୟାଙ୍କ ଖାତା ଖୋଲାଯିବା ଦ୍ୱାରା ସରକାରୀ ସହାୟତା ସିଧାସଳଖ ହିତାଧିକାରୀଙ୍କ ଖାତାରେ ପହଞ୍ଚାଇବାରେ ସହାୟତା ମିଳିଛି ବୋଲି ସେ ଉଲ୍ଲେଖ କରିଥିଲେ । ମୁଦ୍ରା ଯୋଜନା, ପିଏମ୍ ସ୍ୱନିଧି ଓ ପିଏମ୍ ବିଶ୍ୱକର୍ମା ଯୋଜନା ମାଧ୍ୟମରେ କ୍ଷୁଦ୍ର ଉଦ୍ୟୋଗୀ, ପାରମ୍ପରିକ କାରିଗର ଓ ରାସ୍ତାକଡ଼ ବ୍ୟବସାୟୀମାନେ ଆନୁଷ୍ଠାନିକ ଋଣ ସୁବିଧା ପାଇପାରୁଛନ୍ତି। ଗ୍ରାମାଞ୍ଚଳର ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ମଧ୍ୟ ବ୍ୟାଙ୍କିଂ ବ୍ୟବସ୍ଥା ସହ ଯୋଡ଼ାଯାଇଛି ବୋଲି ସେ କହିଥିଲେ । ଏଥିସହ ଅଟଳ ପେନ୍ସନ୍ ଯୋଜନାରେ ଦେଶର ପ୍ରାୟ ୯ କୋଟି ଲୋକ ସାମିଲ ହୋଇଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ପ୍ରାୟ ୩୮ ଲକ୍ଷ ବୋଲି ସେ ଉଲ୍ଲେଖ କରିଥିଲେ ।

‘ଖଣିଜ ସମ୍ପଦରୁ ମାଇକ୍ରୋଚିପ୍’—ଓଡ଼ିଶାର ଯୁବବର୍ଗ ଙ୍କ ପାଇଁ ନୂଆ ସମ୍ଭାବନା
ଓଡ଼ିଶାର ପାରମ୍ପରିକ ଖଣିଜ ଓ ଶିଳ୍ପଭିତ୍ତିକ ଅର୍ଥନୀତି ସହ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ, ଡାଟା ସେଣ୍ଟର ଓ ଉନ୍ନତ କମ୍ପ୍ୟୁଟିଂ ଭଳି ନୂତନ କ୍ଷେତ୍ରର ବିକାଶ ରାଜ୍ୟ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।ପୂର୍ବ ଭାରତକୁ ବିକଶିତ ଭାରତ ଗଠନର ଏକ ପ୍ରମୁଖ ବିକାଶ ଇଞ୍ଜିନ୍ ଭାବେ ଉଲ୍ଲେଖ କରି ସେ କହିଥିଲେ ଯେ, ନୂତନ ପ୍ରଯୁକ୍ତିଭିତ୍ତିକ କ୍ଷେତ୍ରଗୁଡ଼ିକ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି, ଦକ୍ଷତା ବିକାଶ ଓ ଉଦ୍ୟୋଗ ସ୍ଥାପନର ନୂତନ ସମ୍ଭାବନା ଖୋଲିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସ୍ମରଣ କରି ପ୍ରଧାନମନ୍ତ୍ରୀ ଏହି ନୂତନ ପ୍ରତିଷ୍ଠାନ ଓଡ଼ିଶା ସମେତ ସମଗ୍ର ଦେଶର ଲୋକଙ୍କ ପାଇଁ ଲାଭଦାୟକ ହେବ ବୋଲି କହିଥିଲେ । ଭୁବନେଶ୍ୱରରେ ଏହି ଦୁଇଟି ପ୍ରତିଷ୍ଠାନର ଉଦ୍ଘାଟନ ଭାରତର ଡିଜିଟାଲ୍ ଆର୍ଥିକ ଭିତ୍ତିଭୂମି ଓ ସାଇବର ସୁରକ୍ଷା କ୍ଷମତା ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚିତ ହେଉଛି ।
ଏହି ଅବସରରେ ଓଡିଶାର ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,ଉପ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଗଣ ଉପସ୍ଥିତ ରହି ସ୍ୱାଗତ କରିଥିଲେ । ପରେ ଭୁବନେଶ୍ୱରରେ ପିଏମ ମୋଦି ଏକ ରୋଡ଼ ସୋ କରିଥିଲେ । ରୋଡ଼ ସୋ ରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ପ୍ରଧାନମନ୍ତ୍ରୀଙ୍କ ସହ ଗାଡ଼ିରେ କୋକଙ୍କୁ ଅଭିବାଦନ ଜଣାଇଥିଲେ । ମୋଦିଙ୍କୁ ଦେଖିବାକୁ ରାସ୍ତାର ଦୁଇ ପାର୍ଶ୍ୱରେ ପ୍ରବଳ ଭିଡ଼ ଲାଗିଥିଲା ।
