କୋଟିଆକୁ ନେଇ ପୁଣି ରାଜନୈତିକ ରୁଟି ସେକା !
ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଉଦ୍ୟମରୁ ତେଜିଲା ବିବାଦ
କୋରାପୁଟ (ପ୍ରତିଫଳନ ମିଡ଼ିଆ )
କୋଟିଆକୁ ନେଇ ପୁଣି ତେଜିଲା ଓଡ଼ିଶାର ରାଜନୀତି। ଆନ୍ଧ୍ର ପ୍ରଦେଶ ସରକାର ପକ୍ଷରୁ କୋଟିଆ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ପାଇଁ ଉଦ୍ୟମ ଆରମ୍ଭ ହେବା ପରେ ଦୀର୍ଘଦିନର ସୀମା ବିବାଦ ପୁଣି ଚର୍ଚ୍ଚାକୁ ଆସିଛି। ଓଡ଼ିଶାର ଭୂଖଣ୍ଡ ଓ ଅଧିକାରକୁ ନେଇ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୈତିକ ବୟାନବାଜି ଜୋର୍ ଧରିଥିବା ବେଳେ ଅତୀତର ସରକାରଗୁଡ଼ିକର ଭୂମିକାକୁ ନେଇ ପ୍ରଶ୍ନ ଉଠୁଛି।

ବିଜେଡି-କଂଗ୍ରେସର ଅତୀତ ବିଫଳତା କୋଟିଆ ସମସ୍ୟା ସୃଷ୍ଟିର କାରଣ !
ଅଭିଯୋଗ ଅନୁଯାୟୀ ପୂର୍ବ ବିଜେଡି ସରକାର ଅମଳରେ 2021 ମସିହା ଫେବୃଆରୀ 13 ତାରିଖରେ ସ୍ଥାୟୀ ବୁଥ କରି ଆନ୍ଧ୍ର ପ୍ରଦେଶ କୋଟିଆ ଅଞ୍ଚଳର ନୂତନ ତିନିଟି ପଞ୍ଚାୟତ ଫଗୁଣସିନେରୀ, ଫାଟୁସିନେରୀ ଓ ଗଞ୍ଜେଇପଦର ଗଠନ କରି ପଞ୍ଚାୟତ ନିର୍ବାଚନ କରାଇଥିଲା । ଏହି ପଞ୍ଚାୟତଗୁଡ଼ିକରେ ଓଡ଼ିଶାର ୨୧ଟି ଗ୍ରାମ ସମେତ ଆନ୍ଧ୍ର ସହ ସମ୍ପୃକ୍ତ କେତେକ ଗ୍ରାମକୁ ନେଇ ଆନ୍ଧ୍ର ନିର୍ବାଚନ ପ୍ରକ୍ରିୟା କରିଥିଲା । ସେତେବେଳେ ଓଡ଼ିଶାର ବିଜେଡି ସରକାର ଏହାକୁ ରୋକିବାରେ ବିଫଳ ହୋଇଥିବା ନେଇ ରାଜନୈତିକ ମହଲରେ ଆଜି ପ୍ରଶ୍ନ ଉଠୁଛି । ୨୪ ବର୍ଷ ଧରି ଶାସନ କରିଥିବା ବିଜେଡି ଏବେ ପୁଣି କୋଟିଆ ଗସ୍ତ କରି ବର୍ତ୍ତମାନର ବିଜେପି ସରକାରଙ୍କୁ ଘେରିବାରେ ଲାଗିଛି। କିନ୍ତୁ ନିଜ ଶାସନ କାଳରେ ଆନ୍ଧ୍ରର ଏପରି ପଦକ୍ଷେପକୁ କାହିଁକି ଦୃଢ଼ତାର ସହ ମୁକାବିଲା କରାଯାଇପାରିଲା ନାହିଁ, ତାହାର ଉତ୍ତର ମଧ୍ୟ ଦଳକୁ ଦେବାକୁ ପଡ଼ିବ ଵୋଲି ବିଜେପି ପ୍ରଶ୍ନ ଉଠାଇଛି । କେବଳ ବିରୋଧୀ ଦଳରେ ଥିବାବେଳେ ସରକାରଙ୍କୁ ଦୋଷାରୋପ କରିବା ଯଥେଷ୍ଟ ନୁହେଁ; ନିଜ ଶାସନକାଳର କାର୍ଯ୍ୟର ହିସାବ କୋଟିଆବାସୀ ଓ ଓଡିଶାବାସୀଙ୍କୁ ଦେବା ମଧ୍ୟ ଜରୁରୀ ବୋଲି ବିଜେପି ଗୁରୁତ୍ୱାରୋପ କରିଛି ।
ସେହିପରି ଦୀର୍ଘବର୍ଷ ଧରି ରାଜ୍ୟ ଓ ଦେଶରେ କ୍ଷମତାରେ ରହିଥିବା କଂଗ୍ରେସର ଭୂମିକା ମଧ୍ୟ ପ୍ରଶ୍ନର ଊର୍ଦ୍ଧ୍ୱରେ ନୁହେଁ। କୋଟିଆ ବିବାଦ ଆଜି ଯେଉଁ ଗମ୍ଭୀର ସ୍ଥିତିରେ ପହଞ୍ଚିଛି, ସେଥିରେ ଅତୀତର ବିଭିନ୍ନ ସରକାରଙ୍କ ନୀତି, ପ୍ରଶାସନିକ ଆଭିମୁଖ୍ୟ ଓ ରାଜନୈତିକ ଆନ୍ତରିକତାର ସମୀକ୍ଷା ହେବା ଆବଶ୍ୟକ । ଏହି ବିବାଦକୁ କେବଳ ଦଳୀୟ ଆକ୍ଷେପର ବିଷୟ କରିଦେଲେ ଓଡ଼ିଶାର ସ୍ୱାର୍ଥ ସୁରକ୍ଷିତ ହେବ ନାହିଁ । ଅକ୍ଟୋବର 23ରେ ପୂର୍ବତନ ମନ୍ତ୍ରୀ ରବି ନନ୍ଦ ଓ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ବିଜେଡିର ଆଗଧାଡିର ନେତାମାନେ କୋଟିଆ ଅଞ୍ଚଳ ଗସ୍ତ କରି ରାଜନୀତି ଆରମ୍ଭ କରିଛନ୍ତି । ସେହିପରି ଖୁବଶୀଘ୍ର କଂଗ୍ରେସର ଏକ ପ୍ରତିନିଧି ଦଳ କୋଟିଆ ଗସ୍ତ କରିବେ ବୋଲି ସୂଚନା ମିଳିଛି । ତେବେ ଏଥିପୂର୍ବରୁ ଅକ୍ଟୋବର 19ରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟେଲାଲ ମହାନ୍ତ କୋଟିଆ ଗସ୍ତ କରି ଅଞ୍ଚଳର ସ୍ଥିତି ପରଖିଛନ୍ତି ।

ବିଜେଡି ସମୟରେ କୋଟିଆ ପୁଞ୍ଜରୁ ହଜିଗଲା ଦୁଇଟି ଗ୍ରାମର ପରିଚୟ
କୋଟିଆର ସମସ୍ୟା କେବଳ ସୀମା ବିବାଦରେ ସୀମିତ ନୁହେଁ। ଏହା ଗ୍ରାମଗୁଡ଼ିକର ଅସ୍ତିତ୍ୱ ଓ ସୀମାନ୍ତବାସୀଙ୍କ ଭବିଷ୍ୟତ ସହ ମଧ୍ୟ ଜଡ଼ିତ। ତଥ୍ୟ ଅନୁସାରେ କୋଟିଆ ଅଞ୍ଚଳରେ ୨୮ଟି ରାଜସ୍ୱ ଗ୍ରାମ ସମେତ ମୋଟ ୪୦ଟି ଗ୍ରାମ ରହିଛି। ସେଥିମଧ୍ୟରୁ ସିଡ଼ିବାଲାସା ଓ ମହିପାଣି ଗ୍ରାମ ଜନଶୂନ୍ୟ ହୋଇପଡ଼ିଥିବା ତଥ୍ୟ ଚିନ୍ତାର କାରଣ ହୋଇଛି। ଲୋକଙ୍କ ଆଶା ଓ ଭରଷାକୁ ସାକାର କରିବାରେ ଅତୀତର ରାଜ୍ୟ ସରକାର ବିଫଳ ହେବାରୁ ୨୦୧୮ରୁ ଏହି ଦୁଇଟି ଗ୍ରାମର ଜନବସତି ଲୋପ ପାଇବା ଓ ଗ୍ରାମର ବିଲୟ ଘଟିଥିବା ବିଜେପି ଅଭିଯୋଗ କରିଛି । ଦୁଇଟି ଗ୍ରାମର ଲୋକ ସୁବିଧା ସୁଯୋଗ ଅଭାବରୁ ଭିଟାମାଟି ଛାଡି ଅନ୍ୟତ୍ର ଆସିବାକୁ ବାଧ୍ୟ ହୋଇଥିଲେ । ଗୋଟିଏ ଗ୍ରାମରେ ଜନବସତି ନ ରହିବା କେବଳ ଜନସଂଖ୍ୟା ହ୍ରାସର ଘଟଣା ନୁହେଁ, ବରଂ ସୀମାନ୍ତ ଅଞ୍ଚଳରେ ଏହା ପ୍ରଶାସନିକ ଉପସ୍ଥିତି, ଜୀବନଜୀବିକା ଓ ଭୂଖଣ୍ଡର ସୁରକ୍ଷା ସହ ଜଡ଼ିତ ଏକ ଗୁରୁତର ସଙ୍କେତ ବୋଲି ବୁଦ୍ଧିଜୀବୀମାନେ ଇଙ୍ଗିତ କରିଛନ୍ତି । ତତ୍କାଳୀନ ସରକାରର ବିଫଳତା ଏଥିପାଇଁ ଦାୟୀ ବୋଲି ବିଜେପି କହିଛି । ସମ୍ପ୍ରତି ଏଥିପାଇଁ କୋଟିଆର ପ୍ରତ୍ୟେକ ଗ୍ରାମରେ ଲୋକଙ୍କୁ ରଖିବା, ମୌଳିକ ସୁବିଧା ଯୋଗାଇବା ଏବଂ ଓଡ଼ିଶା ସରକାରଙ୍କ ପ୍ରତି ସେମାନଙ୍କ ଆସ୍ଥା ବଢ଼ାଇବା ସରକାରଙ୍କ ପାଇଁ ଅତ୍ୟନ୍ତ ଜରୁରୀ ।

ବିଜେପି ସରକାରର ଉଦ୍ୟମ
ରାଜ୍ୟରେ ବିଜେପି ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ଉଦ୍ୟମ ଯୋଗୁଁ କୋଟିଆ ବିବାଦର ସମାଧାନ ଓ ଅଞ୍ଚଳର ବିକାଶ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ ଉଚ୍ଚସ୍ତରୀୟ କମିଟି ଗଠନ, ବାରମ୍ବାର ମନ୍ତ୍ରୀମାନଙ୍କ କୋଟିଆ ଗସ୍ତ ଏବଂ ବିକାଶମୂଳକ ପଦକ୍ଷେପ ମାଧ୍ୟମରେ ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି । ଏହା ସହ କୋଟିଆ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ । କୋଟିଆ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ କେବଳ ବୟାନରେ ସୀମିତ ନ ରହି ଭୂମିସ୍ତରରେ ଦୃଶ୍ୟମାନ ହେବା ଆବଶ୍ୟକ । ଆନ୍ଧ୍ରର ପ୍ରଶାସନିକ ଓ ନିର୍ବାଚନୀ ପଦକ୍ଷେପର ଦୃଢ଼ ମୁକାବିଲା ସହିତ କୋଟିଆବାସୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ପାନୀୟ ଜଳ, ରୋଜଗାର ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇବାକୁ ଆବଶ୍ୟକ । ଆଇନଗତ ଲଢ଼େଇ ଯେତିକି ଜରୁରୀ, ଲୋକଙ୍କ ହୃଦୟ ଜିଣିବା ମଧ୍ୟ ସେତିକି ଆବଶ୍ୟକ । ଆନ୍ଧ୍ର ପ୍ରଦେଶର ଏକାପାଖିଆ ନିଷ୍ପତି ବିରୋଧରେ ଓଡିଶା ସରକାର ସୁପ୍ରିମକୋର୍ଟ ଯାଇଛନ୍ତି । ତେବେ ନିକଟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟେଲାଲ ମହାନ୍ତ କୋଟିଆ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଲୋକଙ୍କ ସହ ସମସ୍ତ ବିଷୟରେ ଆଲୋଚନା କରିଛନ୍ତି । ଗସ୍ତର ସମସ୍ତ ତଥ୍ୟ ଓ ସ୍ଥିତି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ଶ୍ରୀ ମହାନ୍ତ ସୂଚନା ଦେଇଛନ୍ତି।
ରାଜନୀତି ନାହିଁ, କୂଟନୀତି ଲୋଡ଼ା
କୋଟିଆ ଆଉ ଦଳୀୟ ରାଜନୀତିର ଅସ୍ତ୍ର ହୋଇ ରହିବା ଉଚିତ ନୁହେଁ । ଅତୀତର ବିଫଳତାକୁ ନେଇ ଆରୋପ-ପ୍ରତ୍ୟାରୋପ ଅପେକ୍ଷା ମିଳିତ ଉଦ୍ୟମ ଆବଶ୍ୟକ । ରାଜନୀତି ଅପେକ୍ଷା ଓଡିଶା କୂଟନୀତିକୁ ଆପଣେଇବା ଲୋଡ଼ା । ସମସ୍ତେ ଏକ ହେବା ଆବଶ୍ୟକ । ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଉଦ୍ୟମ ଓଡ଼ିଶା ପାଇଁ ଏକ ସତର୍କ ଘଣ୍ଟି । ଏବେ ଆବଶ୍ୟକ ଦଳୀୟ ସ୍ୱାର୍ଥଠାରୁ ଊର୍ଦ୍ଧ୍ୱରେ ଉଠି ଏକ ସ୍ୱରରେ କୋଟିଆର ସୁରକ୍ଷା, ବିକାଶ ଓ ସ୍ଥାୟୀ ସମାଧାନ ପାଇଁ ଠୋସ୍ ପଦକ୍ଷେପ ନେବା ଆବଶ୍ୟକ ।କାରଣ କୋଟିଆର ପ୍ରତ୍ୟେକ ଗ୍ରାମର ଅସ୍ତିତ୍ୱ ହିଁ ଓଡ଼ିଶାର ସ୍ୱାର୍ଥ ସହ ଜଡ଼ିତ ।

ବୋରାମୁଠା ଭଳି କୋଟିଆକୁ ଆନ୍ଧ୍ର ହାତକୁ ଟେକି ଦିଆ ନଯାଉ : ଆମ କୋଟିଆ ସଂଗଠନ
କୋଟିଆର ସ୍ଥାୟୀ ସମାଧାନ ଦିଗରେ ରାଜ୍ୟ ସରକାର ପକ୍ଷରୁ ଉଦ୍ୟମ ହେବା ଆବଶ୍ୟକ ବୋଲି ଆମ କୋଟିଆ ସଂଗଠନର ଆବାହକ ତଥା ପୂର୍ବତନ କୋରାପୁଟ ଜିଲ୍ଲାପାଳ ଗଦାଧର ପରିଡା କହିଛନ୍ତି । ଅତୀତରେ 2010ରେ ଆମେ ବୋରାମୁଠାର 13ଟି ଗ୍ରାମ ହରାଇଲୁ । ଓଡିଶା ସରକାର ସମସ୍ତ ବଳିଷ୍ଠ ପ୍ରାମାଣିକ ତଥ୍ୟ ଥିବା ସତ୍ୱେ ସୁପ୍ରିମକୋର୍ଟରେ ଯୁକ୍ତିଯୁକ୍ତ ପକ୍ଷ ରଖିବାରେ ଓଡିଶା ବିଫଳ ହେବାରୁ କେଶ ନମ୍ବର 11/1968 ତାରିଖ 5.5.2010 ପ୍ରକାରେ ସୁପ୍ରିମକୋର୍ଟ ରାୟ ଆନ୍ଧ୍ର ସପକ୍ଷରେ ଗଲା । ସେହିଦିନଠାରୁ ଓଡିଶା ବୋରା ଗୁମ୍ଫା ସହ 13ଟି ଗ୍ରାମ କୋରାପୁଟ ଜିଲ୍ଲା ହରାଇଲା । ସେହିପରି 1956 ମସିହା ପର୍ଯ୍ୟନ୍ତ ଜୟପୁର ଜମିଦାରୀ ଅନ୍ତର୍ଗତ କୋଟିଆ ସୀମାନ୍ତ ଡେଙ୍କୀନିଏଙ୍ଗଵାଲାସା ଗ୍ରାମରେ କୋରାପୁଟ ରାଜସ୍ୱ କ୍ଷେତ୍ର ଭାବରେ ଜମି କିଣାବିକା ହେଇଥିବା ରାଜସ୍ୱ ନଥିପତ୍ର ରହିଛି । ମାଡ୍ରାସ ପ୍ରେସିଡେନ୍ସିରୁ 1936ରେ ଓଡିଶା ଜନ୍ମ ହୋଇଛି। ତେଣୁ ଜମିବିବାଦ ମୁଖ୍ୟତଃ ମାଡ୍ରାସ ପ୍ରେସିଡେନ୍ସି ସହ ହେବା କଥା । କିନ୍ତୁ ଆନ୍ଧ୍ର ଅଯଥା ଓଡିଶା ଭିତରେ ପଶି ବିବାଦ ସୃଷ୍ଟି କରୁଛି । ଏଇ ମୂଳ କଥାକୁ ଓଡିଶା ସରକାର ସୁପ୍ରିମ କୋର୍ଟକୁ ବୁଝାଇବା ସହ ପ୍ରାମାଣିକ ଦଲିଲ ଉପସ୍ଥାପନା କରିବା ଆବଶ୍ୟକ । ଅନ୍ୟଥା ବୋରା ମୁଠା ଭଳି କୋଟିଆର ଗ୍ରାମ ପୁଞ୍ଜ ଓ ଦେଓମାଳି ଆନ୍ଧ୍ର ହାତକୁ ଚାଲିଗଲେ ବିସ୍ମିତ ହେବାର କିଛି ନୁହେଁ ବୋଲି ଶ୍ରୀ ପରିଡା କହିଛନ୍ତି ।
