ରାୟଗଡା (ପ୍ରତିଫଳନ ମିଡ଼ିଆ )
ରାୟଗଡା ଜିଲ୍ଲାର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ବିଲେଷୁରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରକୃତି ରକ୍ଷା ନେଇ କୃତ୍ରିମ ବୁଦ୍ଧିମତାର ବିନମ୍ର ପ୍ରାର୍ଥନା ଆଧାରିତ ଏକ ଅଭିନଵ ବେତାର ରୂପକ ଏଇ ଆଇ ର ସବୁଜ ବିପ୍ଳବ କୁ ଉନ୍ମୋଚିତ କରାଯାଇଥିଲା।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀନିବାସ ରାଓ ଲାଡିଙ୍କ ନେତୃତ୍ୱରେ ବନପାଳ ଗୌରୀ ଶଙ୍କର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ପିଲାଙ୍କ ଦ୍ୱାରା କାଞ୍ଚିକାବାଲସା -ବିଲେଷୁ ମୁଖ୍ୟ ରାସ୍ତା ଏବଂ ବିଦ୍ୟାଳୟ ପ୍ରବେଶ ରାସ୍ତାର ଉଭୟ ପାର୍ଶ୍ୱରେ ଦେଢ଼ ଶହ ବୃକ୍ଷରୋପଣ କରାଯାଇଥିଲା। ଏଇ ଅବସରରେ ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା।

ଏଥିରେ ପିଲାମାନେ ବନ ମହୋତ୍ସବ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ପରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀ, ଅଭିଭାବକ ଓ ବନ କର୍ମଚାରୀଙ୍କ ଉପସ୍ଥିତିରେ ବେତାର ରୂପକର ସ୍କ୍ରିନିଂ କରାଯାଇଥିଲା। ଏଗାର ମିନିଟର ଏଇ ବେତାର ରୂପକରେ ଶିକ୍ଷର୍ଥୀମାନେ ପୋଡୁ ଚାଷର ଭୟାଭୟତା ଉପରେ ଆଲୋକପାତ କରିବା ସହ ଏଇ ଆଇ ମଧ୍ୟ ଆଜିର ମଣିଷକୁ ଚେତେଇ ଦେଉଛି ପ୍ରକୃତି ବିନା ପ୍ରଯୁକ୍ତି ବିଦ୍ୟା ହେଉ କି ଜୀବ ସତ୍ତା କୌଣସିମତେ ତିଷ୍ଠିବା ସମ୍ଭବ ନୁହେଁ। ଏଥିପାଇଁ ପ୍ରତ୍ୟେକ ପରିବାର ପାଞ୍ଚଟି ଗଛ ଲଗେଇ ବଞ୍ଚେଇବାକୁ ଆହ୍ବାନ ଦିଆଯାଇଛି। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼ ଦ୍ବିତୀ ଚନ୍ଦ୍ର ସାହୁଙ୍କ ରଚନା ଓ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ବେତାର ରୂପକକୁ ସୁନ୍ଦର ଭାବେ ଏଡିଟିଂ ସହ ଶବ୍ଦ ଗ୍ରହଣ କରିଛନ୍ତି ଶିକ୍ଷକ ସ୍ମୃତି ରଞ୍ଜନ ମହାରଣା। ଶିକ୍ଷକ ବିରାଟ ହିଆଲ, ଶିବରାମ ହରିଜନ ସମେତ ଶିକ୍ଷାର୍ଥୀ ଶ୍ରୀୟା, ସ୍ୱପ୍ନା, ମିତାଲି, ଭରତ, ଅର୍ଜୁନ, ରିଙ୍କୁ, ସିମାଞ୍ଚଳ ଓ ହିମାଂଶୁ ପ୍ରମୁଖ ଏଥିରେ ବିଭିନ୍ନ ଚରିତ୍ରର ସ୍ୱର ସଂଯୋଜନା କରିଛନ୍ତି। ସମସ୍ତେ ବେତାର ରୂପକର ବିଷୟବସ୍ତୁକୁ ପ୍ରଶଂସା କରିଥିବାବେଳେ ବନ ବିଭାଗ ଦ୍ୱାରା ଏହା ଓଡିଶାର ସମସ୍ତ ଅଞ୍ଚଳରେ ପ୍ରସାରିତ କରାଯିବ ବୋଲି ବନପାଳ ଶ୍ରୀ ସାହୁ କହିଛନ୍ତି। ଏହି ଅବସରରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସମେତ ବନ ରକ୍ଷକ ପ୍ରଦୀପ କୁମାର ସାହୁ, ମନସ୍ମିତା ପାଣିଗ୍ରାହୀ, ଶିବ ପ୍ରସାଦ ପାଣିଗ୍ରାହୀ ଓ ସ୍ମରଣିକା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

