ରାୟଗଡା (ପ୍ରତିଫଳନ ମିଡ଼ିଆ )
ପାରସ୍ପରିକ ସମ୍ପର୍କ ଓ ସଦଭାବନା ବଜାୟ ରଖିବା ଲାଗି ଗତ ରବିବାର ରାୟଗଡ଼ାସ୍ଥିତ ହୋଟେଲ ରାଜଭବନଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗରେ ୨୦୦୧ ମସିହାରେ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଚାକିରୀର ୨୫ ବର୍ଷ ପୂର୍ତ୍ତି ଅବସରରେ ରଜତ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଦୂରଦର୍ଶୀ ପ୍ରଶାସକ ଭାବେ ପରିଚିତ ତତ୍କାଳୀନ ରାୟଗଡା ଜିଲ୍ଲାପାଳ ବିଷ୍ଣୁପଦ ସେଠୀଙ୍କ ଅପାର କରୁଣା ଯୋଗୁଁ ଆର୍ଥିକ ଦୂରବସ୍ଥା ହେତୁ ରାଜ୍ୟରେ ନବ ନିଯୁକ୍ତି ଉପରେ ସରକାର କଟକଣା ଜାରି କରିଥିବା ସତ୍ୱେ ୨୦୦୧ରେ ୯୯ ଜଣଙ୍କୁ କଲ୍ୟାଣ ବିଭାଗରେ ନିୟମିତ ଶିକ୍ଷକ ଭାବେ ସ୍ୱଚ୍ଛ ପ୍ରଣାଳୀ ଅଵଲଂବନ ପୂର୍ବକ ନିଯୁକ୍ତି ମିଳିଥିଲା । ଅଗଷ୍ଟ 2026ରେ କର୍ମମୟ ଜୀବନର ପଚିଶ ବର୍ଷ ପୂରଣ ହୋଇଥିବାରୁ ବୈଠକରେ ପ୍ରଥମେ ଶ୍ରୀ ସେଠିଙ୍କ ଅବଦାନର ସ୍ମୃତି ଚାରଣ ସହ ସମସ୍ତ ୯୯ଜଣ ଶିକ୍ଷକ ପରିବାର ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଆଗାମୀ ଦିନରେ କମିଶନର ଶ୍ରୀ ସେଠୀଙ୍କୁ ନିମନ୍ତ୍ରଣ କରି ଏକ କୃତଜ୍ଞତା ସମାରୋହ ଆୟୋଜନ ଲାଗି ବୈଠକରେ ନିଷ୍ପତି ହୋଇଥିଲା ।

ପ୍ରଥମେ ମଙ୍ଗଳାଚରଣ କାର୍ଯ୍ୟକ୍ରମ ପରେ ବ୍ୟାଚର ଦିବାଙ୍ଗତ ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଭାଇ ଭଉଣୀଙ୍କୁ ଶ୍ରଦ୍ଧଞ୍ଜଳି ଜ୍ଞାପନ ପରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ରଜତ ଜୟନ୍ତୀ ଉପଲକ୍ଷେ କେକ୍ କାଟି ସମସ୍ତେ ସ୍ମରଣୀୟ ଦିବସକୁ ଉପଭୋଗ କରିଥିଲେ । ୨୫ ବର୍ଷ ଧରି ପରସ୍ପର ସଂପର୍କ ଥାଇ ମିଳନ ହେବା ଏକ ଆନନ୍ଦଦାୟକ ପରିବେଶ ସୃଷ୍ଟି ହୋଇଥିଲା । ଜିଲ୍ଲା ବାହାରେ ଚାକିରୀ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ । ରଜତ ଜୟନ୍ତୀ ଅବସରରେ ସମସ୍ତଙ୍କୁ ମାନପତ୍ର ପତ୍ର ପ୍ରଦାନ କରାଯାଇଥିଲା । ଶିକ୍ଷୟିତ୍ରୀ ଏଲ ମଧୁ କୁମାରୀ ଓ ସୁନୀତା ସାହୁ ନିଜ ତରଫରୁ ସମସ୍ତଙ୍କୁ ଉପହାର ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ରଶ୍ମିତା ପଟ୍ଟନାୟକଙ୍କ ଜନ୍ମଦିନ ମଧ୍ୟ କେକ୍ କାଟି ପାଳନ କରାଯାଇଥିଲା ।ସମସ୍ତେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ୨୫ ବର୍ଷର ଶିକ୍ଷକ ଅଭିଜ୍ଞତା ଅଭିଭାଷଣ ମାଧ୍ୟମରେ ପ୍ରଦାନ କରିଥିଲେ । ନୃତ୍ୟ ସଂଗୀତରେ ସମସ୍ତେ ମସଗୁଲ ହୋଇ ମନୋରଂଜନ କରିଥିଲେ । ଭବିଷ୍ୟତରେ ସମସ୍ତେ ପରସ୍ପରକୁ ସାହାଯ୍ୟ ଓ ସହଯୋଗର ହାତ ବଢାଇବା ତଥା ନିଜ ନିଜ ଦାୟିତ୍ଵ ଅଧିକରୁ ଅଧିକ ନିର୍ବାହ କରି ଜିଲ୍ଲାର ସୁନାମ ରଖିବା ପାଇଁ ଶପଥ କରିଥିଲେ ।

କାର୍ଯ୍ୟକ୍ରମକୁ ରାମଚନ୍ଦ୍ର ସେନାପତି , ସୁନନ୍ଦ ଜେନା , ଡ଼. ଦ୍ଵିତୀ ଚନ୍ଦ୍ର ସାହୁ, ଦିଲୀପ କୁମାର ଚୌଧୁରୀ, ମୋହନ ମାଝୀ, ସିଲା ଶ୍ରୀନିବାସ, ଗଣେଷ ମାଳୀ,ଏଲ ମଧୁ କୁମାରୀ ,ସୁଜାତା ଜେନା, ସୁନୀତା ସାହୁ, ସଂଗୀତ ପଟ୍ଟନାୟକ, ଶାନ୍ତି ମାଝୀ, ସୁଦେଷ୍ଣା ନାୟକ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆୟୋଜନ ନେଇ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଶ୍ରୀ ଦିଲୀପ କୁମାର ଚୌଧୁରୀ ଓ ଶ୍ରୀ ବିରାଟ ହିଆଲ ମଞ୍ଚ ପରିଚାଳନା କରିଥିଲେ । ପ୍ରଶାସନ ତରଫରୁ ଜିଲ୍ଲା ମଂଗଳ ଅଧିକାରୀ ମହୋଦୟା, ଜିଲ୍ଲା ଶିକ୍ଷାଧୀଶ ମହୋଦୟ ଓ ମଙ୍ଗଳ ସଂପ୍ରସାରଣ ଅଧିକାରୀ ବୃନ୍ଦ ତଥା ବରିଷ୍ଠ ଶିକ୍ଷକମାନେ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଥିଲେ ।

