“ନିଜସ୍ୱ ରାଜସ୍ୱ ସଂଗ୍ରହ ବୃଦ୍ଧିରେ ସ୍ୱାୟତ୍ତ ସଂସ୍ଥାର ପ୍ରଶଂସନୀୟ କାର୍ଯ୍ୟଦକ୍ଷତା”ପାଇଁ ମିଳିବ ସମ୍ନାନ, NACକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର ରାଶି।
ପ୍ରତିଫଳନ ମିଡ଼ିଆ
ରାୟଗଡା ଜିଲ୍ଲା ଗୁଡାରୀ ଏନଏସି ନିଜସ୍ୱ ରାଜସ୍ୱ (OSR) ସଂଗ୍ରହରେ ରାଜ୍ୟ ସ୍ତରରେ ସୁନାମ ଅର୍ଜନ କରିଛି। ଏନଏସି ପ୍ରଶାସନର ଶୃଙ୍ଖଳିତ ଶାସନ ବ୍ୟବସ୍ଥା, ପରିଚାଳନାଗତ ପରିଦର୍ଶିତା ଯୋଗୁଁ ରାଜସ୍ବ ଆଦାୟରେ 92% ପ୍ରତିଶତ ବୃଦ୍ଧି ଘଟିଛି। ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଗୁଡାରୀ ନଗର ଅଞ୍ଚଳ ପରିଷଦ (NAC) ରାଜ୍ୟସ୍ତରରେ ସମ୍ମାନିତ ହେବାକୁ ଯାଉଛି। ୨୦୧୫-୧୬ ଆର୍ଥିକ ବର୍ଷରେ NAC ପକ୍ଷରୁ ୩୬.୪୫ ଲକ୍ଷ ଟଙ୍କା OSR ସଂଗ୍ରହ ହୋଇଥିବା ବେଳେ ୨୦୨୪-୨୫ରେ ଏହା ବୃଦ୍ଧି ପାଇ ୭୦.୨୦ ଲକ୍ଷ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ୯ ବର୍ଷରେ OSR ସଂଗ୍ରହରେ ପ୍ରାୟ ୯୨ ପ୍ରତିଶତ ବୃଦ୍ଧି ଘଟିଛି।
ଏହି ଉଲ୍ଲେଖନୀୟ ସଫଳତା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁଡାରୀ NACକୁ ‘Commendable Local Body Performance in Growth of OSR Collection’ ସମ୍ମାନ ପ୍ରଦାନ କରାଯିବ।
ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଦିଗଦର୍ଶନ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥା ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ସହଯୋଗ,ଏନଏସି ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାଢ଼ୀଙ୍କ ଦୃଢ଼ ପରିଚାଳନା ଓ NACର କର୍ମଚାରୀଙ୍କ ନିଷ୍ଠାପର ନିରନ୍ତର ପ୍ରୟାସ ଯୋଗୁଁ ଏହି ସଫଳତା ମିଳିବା ସମ୍ଭବ ପର ହୋଇପାରିଛି।
ଆସନ୍ତା ୩୧ ଅଗଷ୍ଟ ୨୦୨୬ରେ ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱୟଂଶାସିତ ଦିବସ କାର୍ଯ୍ୟକ୍ରମରେ ଗୁଡାରୀ NACକୁ ଏହି ସମ୍ମାନ ପ୍ରଦାନ କରାଯିବ। ଏହା ସହିତ NACକୁ ୨ କୋଟି ଟଙ୍କାର ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯିବ।
ଗୁଡାରୀ NACର ଏହି ସଫଳତା ନଗରର ନିଜସ୍ୱ ରାଜସ୍ୱ ଆଧାରକୁ ଆହୁରି ମଜବୁତ କରିବା ସହ ବିକାଶମୂଳକ କାର୍ଯ୍ୟକୁ ନୂଆ ଗତି ଦେବ ବୋଲି ନିର୍ବାହୀ ଅଧିକାରୀ ଆଶା ପୋଷଣ କରିଛନ୍ତି ।

