ବ୍ରିକ୍ସରେ ଭାରତର ବଡ଼ କୂଟନୈତିକ ସଫଳତା

ରାତି ୪ଟା ପର୍ଯ୍ୟନ୍ତ ଆଲୋଚନା ପରେ ନୂଆଦିଲ୍ଲୀ ଘୋଷଣାନାମା ଉପରେ ସର୍ବସମ୍ମତି

ପ୍ରତି ଫଳନ ମିଡ଼ିଆ

ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ନୂଆଦିଲ୍ଲୀ ଘୋଷଣାନାମାକୁ ନେଇ ସର୍ବସମ୍ମତି ସୃଷ୍ଟି କରି ଭାରତ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି। ରାତି ପ୍ରାୟ ୪ଟା ପର୍ଯ୍ୟନ୍ତ ଚାଲିଥିବା ଦୀର୍ଘ ଆଲୋଚନା ପରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧିମାନେ ଘୋଷଣାନାମାର ଚୂଡ଼ାନ୍ତ ରୂପ ଦେଇଛନ୍ତି।

ବିଶ୍ୱର ବିଭିନ୍ନ ସଂଘର୍ଷର ସମାଧାନ ପାଇଁ ଆଲୋଚନା, ସଂଳାପ ଓ କୂଟନୈତିକ ପଦକ୍ଷେପକୁ ପ୍ରାଧାନ୍ୟ ଦେବା ଉପରେ ଘୋଷଣାନାମାରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ଅକାରଣ ଆକ୍ରମଣ ଓ ଏକତରଫା ସାମରିକ କାର୍ଯ୍ୟକୁ ନାପସନ୍ଦ କରିବା ଉପରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏକମତ ହୋଇଛନ୍ତି। ତେବେ ଏଥିରେ କୌଣସି ନିର୍ଦ୍ଦିଷ୍ଟ ଦେଶର ନାମ ଉଲ୍ଲେଖ କରାଯାଇନାହିଁ।

ବିଭିନ୍ନ ମତଭେଦ ଓ ଆଞ୍ଚଳିକ ସ୍ୱାର୍ଥ ମଧ୍ୟରେ ଭାରତର କୂଟନୈତିକ ପ୍ରୟାସ ସହମତିର ବାଟ ଖୋଲିଛି। ଏପରିକି ଇରାନ ଓ ସଂଯୁକ୍ତ ଆରବ ଏମିରେଟ୍ସ ଭଳି ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ରମାନେ ମଧ୍ୟ ଏକ ସାଧାରଣ ମତରେ ପହଞ୍ଚିଛନ୍ତି।

ବ୍ରିକ୍ସ ଶିଖର ସମ୍ମିଳନୀରେ ରାଷ୍ଟ୍ରମୁଖ୍ୟମାନେ ଏହି ଘୋଷଣାନାମାକୁ ଔପଚାରିକ ଭାବେ ଅନୁମୋଦନ କରିବେ ଏବଂ ପ୍ରକାଶ କରିବେ। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକଗୁଡ଼ିକ ନୂଆଦିଲ୍ଲୀ ବ୍ରିକ୍ସ ସମ୍ମିଳନୀର ଗୁରୁତ୍ୱକୁ ଆହୁରି ବଢ଼ାଇବ ବୋଲି ଆଶା କରାଯାଉଛି।

ନୂଆଦିଲ୍ଲୀରୁ ବିଜେନ୍ଦ୍ର ସିଂହଙ୍କ ରିପୋର୍ଟ

Spread the love