ପ୍ରତିଫଳନ ମିଡ଼ିଆ
ମାଲକାନଗିରି: ଲଘୁଚାପଜନିତ ପ୍ରବଳ ବର୍ଷାରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇଥିବାବେଳେ ଅନେକ ରାସ୍ତା ଓ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଛି।
ପଟେରୁ, କାଙ୍ଗୁରକୋଣ୍ଡା, କନ୍ୟାଶ୍ରମ ଓ ଏମ୍ଭି-୯୬ ନିକଟସ୍ଥ ୪ଟି ପୋଲ ଉପରେ ୨ରୁ ୩ ଫୁଟ୍ ପାଣି ଚାଲୁଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ NH-326ରେ ମଧ୍ୟ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି।
ଏହାର ପ୍ରଭାବରେ ଦୈନନ୍ଦିନ ଯାତାୟାତ ସହ ଆବଶ୍ୟକ ସାମଗ୍ରୀ ପରିବହନ ଓ ଅନ୍ୟାନ୍ୟ ଜରୁରୀ ସେବା ପ୍ରଭାବିତ ହୋଇଛି। ନଦୀ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳରେ ଜଳସ୍ତର ଆହୁରି ବଢ଼ିବାର ଆଶଙ୍କା ଥିବାରୁ ସମ୍ବେଦନଶୀଳ ଅଞ୍ଚଳରେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।
ସମ୍ବେଦନଶୀଳ ଅଞ୍ଚଳର ଲୋକଙ୍କ ପାଇଁ ସତର୍କତା ରହିବାକୁ ନିର୍ଦେଶ ଦିଆଯାଇଛି। ପ୍ରଶାସନ ପକ୍ଷରୁ ନଦୀ, ନାଳ ଓ ପାଣି ପ୍ରବାହିତ ହେଉଥିବା ପୋଲ ନିକଟକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ପାଣି ଚାଲୁଥିବା ରାସ୍ତା କିମ୍ବା ପୋଲ ଅତିକ୍ରମ ନକରିବା, ଶିଶୁ ଓ ବୟସ୍କଙ୍କୁ ଏଭଳି ସ୍ଥାନଠାରୁ ଦୂରେ ରଖିବା ଏବଂ ଜଳସ୍ତର ବୃଦ୍ଧି ସମ୍ପର୍କିତ ସୂଚନା ପ୍ରତି ସଚେତନ ରହିବାକୁ କୁହାଯାଇଛି।
ପରିସ୍ଥିତିକୁ ନଜରରେ ରଖି ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୋଲିସ ଓ ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି। ସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।



