ରାୟଗଡା (ପ୍ରତିଫଳନ ମିଡ଼ିଆ )
ତିନିଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତକ୍ରମରେ ବିଲେଷୁସ୍ଥିତ ପିଏମ୍ଶ୍ରୀ ସରକାରୀ ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟକୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକ ସରୋଜ କୁମାର ବେହେରା ପରିଦର୍ଶନ କରିଛନ୍ତି । ପରିଦର୍ଶନ କାଳରେ ରାୟଗଡା ଜିଲ୍ଲା ଶିକ୍ଷା ଅଧିକାରୀ ଭଜନଲାଲ ମାଝୀ ଉପସ୍ଥିତ ଥିଲେ । ଏହି ଅବସରରେ ସେ ବିଦ୍ୟାଳୟର ଶୈକ୍ଷିକ ପରିବେଶ, ଭିତ୍ତିଭୂମିର ବିକାଶ ଓ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରତିଭା ସମ୍ପର୍କରେ ଅବଗତ ହୋଇଥିଲେ ।

ଭିତ୍ତିଭୂମି ସୁଦୃଢ ନଥିବା ସତ୍ତ୍ୱେ ପରିଦର୍ଶନ ସମୟରେ ସମ୍ପାଦକ ଶ୍ରୀ ବେହେରା ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିବାକ୍ରମରେ ସେମାନଙ୍କର ଉତ୍ସାହ, ସୃଜନଶୀଳତା ଓ ଅନ୍ତର୍ନିହିତ ପ୍ରତିଭାକୁ ଅନୁଧ୍ୟାନ କରିଥିଲେ । ପିଏମଶ୍ରୀ ବିଦ୍ୟାଳୟ ସମୂହରେ ହୋଇଥିବା ସମସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଏଥିସହ ବିଦ୍ୟାଳୟର ଶିକ୍ଷକମାନଙ୍କ ନିଷ୍ଠା, କର୍ତ୍ତବ୍ୟ ପରାୟଣତା ଓ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଦିଗରେ ଚାଲିଥିବା ସମସ୍ତ ଶୈକ୍ଷିକ ଓ ସହ ଶୈକ୍ଷିକ ପ୍ରୟାସକୁ ସେ ପ୍ରଶଂସା କରିଥିଲେ । ବିଦ୍ୟାଳୟରେ ଚାଲିଥିବା ଅଭିନବ କାର୍ଯ୍ୟକ୍ରମଗୁଡିକ ସମ୍ପର୍କରେ ଶିକ୍ଷକ ଡ. ଦ୍ବିତୀ ଚନ୍ଦ୍ର ସାହୁ ଅବଗତ କରାଇଥିଲେ । ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାକ୍ରମରେ ଚାଲୁଥିବା ଇଲୋକ୍ଟ୍ରୋନିକ୍ସ ଓ ହାର୍ଡୱେର ଏବଂ ଟୁରିଜିମ ଓ ହସପିଟାଲିଟି ବିଭାଗରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପ୍ରକଳ୍ପଭିତ୍ତିକ ଶୈକ୍ଷିକ ଉପସ୍ଥାପନାରେ ସେ ଅଭିଭୂତ ହୋଇପଡ଼ିଥିଲେ ।

ବିଦ୍ୟାଳୟ ପରିଦର୍ଶନ ପରେ ପରିଦର୍ଶକ ପୁସ୍ତିକାରେ ସେ ନିଜର ମତାମତ ଓ ଉତ୍ସାହବର୍ଦ୍ଧକ ବାର୍ତ୍ତା ଲିପିବଦ୍ଧ କରିଥିଲେ । ଏହା ବିଦ୍ୟାଳୟର ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ଭିତ୍ତିଭୂମିର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପକୁ ଆହୁରି ଉତ୍ସାହିତ କରିଛି ବୋଲି ପ୍ରଧାନଶିକ୍ଷକ ଏସ ଆର ଲାଡି କହିଛନ୍ତି ।

ଏହି ପରିଦର୍ଶନ ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ ହୋଇଥିବାବେଳେ ଗସ୍ତକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିପିସି ପ୍ଲାନିଂ କୋଡିନେଟର ସୁରେନ୍ଦ୍ର କୁମାର ସାଥୁଆ ଏବଂ ପ୍ରୋଗ୍ରାମ କୋଡିନେଟର ଦିଲୀପ କୁମାର ସାବତ ସମେତ ବିଲେଷୁ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

