ଓଡିଶାରୁ ଭାରତର ଆକାଶକୁ ନୂଆ ଶକ୍ତି,୨୦୦୦ତମ ଇଞ୍ଜିନ୍ ବାୟୁସେନାକୁ ପ୍ରତୀକାତ୍ମକ ହସ୍ତାନ୍ତର,
ସୁନାବେଡ଼ା ( ପ୍ରତିଫଳନ ମିଡ଼ିଆ )
କୋରାପୁଟର ସୁନାବେଡ଼ା ଆଜି ଦେଶର ପ୍ରତିରକ୍ଷା ଉତ୍ପାଦନ ମାନଚିତ୍ରରେ ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡ଼ିଛି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL)ର ସୁନାବେଡ଼ା ମାନୁଫାକ୍ଚରିଙ୍ଗ୍ ୟୁନିଟ୍ରେ ଶକ୍ତି ଇଞ୍ଜିନ୍ର ଦ୍ୱିତୀୟ ମାନୁଫାକ୍ଚରିଙ୍ଗ୍ ଲାଇନ୍ ଉଦ୍ଘାଟିତ ହୋଇଛି। ଏଥିସହ ସୁନାବେଡ଼ାରେ ନିର୍ମିତ ୨୦୦୦ତମ ଇଞ୍ଜିନ୍କୁ ପ୍ରତୀକାତ୍ମକ ଭାବେ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରାଯାଇଛି।
କେନ୍ଦ୍ର ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଗୁରୁତ୍ୱପୂର୍ଣ୍ଣ ଉତ୍ସବରେ ଯୋଗଦେଇ ନୂଆ ମାନୁଫାକ୍ଚରିଙ୍ଗ୍ ଲାଇନ୍ର ଶୁଭାରମ୍ଭ କରିଥିଲେ। ‘ସୁନାବେଡ଼ା କେବଳ ଫ୍ୟାକ୍ଟ୍ରି ନୁହେଁ,ଏବେ ଏରୋସ୍ପେସ୍ ପ୍ରପଲସନ୍ର କେନ୍ଦ୍ରବିନ୍ଦୁ’ପାଲଟିଛି।
ଉତ୍ସବରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ , ସେ ସୁନାବେଡ଼ା HALରେ ଅତିଥି ଭାବେ ନୁହେଁ, ବରଂ HAL ପରିବାରର ଜଣେ ସଦସ୍ୟ ଭାବେ ଅନୁଭବ କରୁଛନ୍ତି। ୧୯୬୪ରୁ ଫ୍ରଣ୍ଟଲାଇନ୍ ବିମାନ ପାଇଁ ଇଞ୍ଜିନ୍ ନିର୍ମାଣ କରିଆସୁଥିବା HAL କୋରାପୁଟକୁ ଆଜି କେବଳ ଏକ କାରଖାନା ନୁହେଁ, ଦେଶର ଏରୋସ୍ପେସ୍ ପ୍ରପଲସନ୍ ଇକୋସିଷ୍ଟମ୍ର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିଛି ବୋଲି ସେ କହିଥିଲେ। କୋରାପୁଟର HAL କେନ୍ଦ୍ର ସହ ବିଶାଖାପାଟଣାର ଡିଫେନ୍ସ ଓ ନାଭାଲ୍ ଇକୋସିଷ୍ଟମ୍ର ସମନ୍ୱୟ ପୂର୍ବ ଭାରତକୁ ଏକ ନୂଆ ଶିଳ୍ପ ଓ ରଣନୈତିକ ପରିଚୟ ଦେଉଛି ବୋଲି ସେ କହିଥିଲେ। ଏଥିସହ ଓଡ଼ିଶାରେ ଆଉ ଏକ ଡିଫେନ୍ସ ମାନୁଫାକ୍ଚରିଙ୍ଗ୍ ୟୁନିଟ୍ ପାଇଁ ପ୍ରସ୍ତାବ ରହିଛି ବୋଲି ସୂଚନା ଦେଇଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ଓଡ଼ିଶାରେ ଶିଳ୍ପାୟନର ନୂଆ ସମ୍ଭାବନା ଉପରେ ଆଲୋକପାତ କରିବା ସହ ରାଜ୍ୟରେ ଆଉ ଏକ ପ୍ରତିରକ୍ଷା ନିର୍ମାଣ ୟୁନିଟ୍ ସ୍ଥାପନ ପାଇଁ ପ୍ରସ୍ତାବ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ। ମେଟାଲ୍ ଡାଉନଷ୍ଟ୍ରିମ୍, ସେମିକଣ୍ଡକ୍ଟର ଓ ଆଇଟି କ୍ଷେତ୍ରରେ ଓଡ଼ିଶାରେ ଦ୍ରୁତ ଅଭିବୃଦ୍ଧି ଘଟୁଥିବାରୁ ଏହା ପ୍ରତିରକ୍ଷା ଉତ୍ପାଦନ ପାଇଁ ଏକ ସୁଦୃଢ଼ ଇକୋସିଷ୍ଟମ୍ ଗଢ଼ିବାରେ ସହାୟକ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରି ଥିଲେ। ଦେଶର ପ୍ରମୁଖ ଶିଳ୍ପ ଓ ପ୍ରତିରକ୍ଷା ହବ୍ ଭାବେ ଓଡ଼ିଶାକୁ ବିକଶିତ କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ବାର୍ଷିକ ୧୦୦ ଶକ୍ତି ଇଞ୍ଜିନ୍, AL-31 FP ଉତ୍ପାଦନ ୫୦ ନୂଆ ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍ରେ ବାର୍ଷିକ ୧୦୦ଟି ଇଞ୍ଜିନ୍ ଉତ୍ପାଦନ କରାଯାଇପାରିବ। ଏଥିସହ HAL କୋରାପୁଟ ଡିଭିଜନ୍ର AL-31 FP ଇଞ୍ଜିନ୍ ଉତ୍ପାଦନ କ୍ଷମତା ବାର୍ଷିକ ୩୦ରୁ ୫୦କୁ ବୃଦ୍ଧି କରାଯାଉଛି। ବର୍ତ୍ତମାନ HAL କୋରାପୁଟ ଡିଭିଜନ୍ରେ ପ୍ରାୟ ୧,୬୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ମୁଖ୍ୟମନ୍ତ୍ରୀ ଏହାକୁ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଡବଲ୍ ଇଞ୍ଜିନ୍ ସରକାର ଆସିବା ପରଠାରୁ ଓଡ଼ିଶାରେ ପ୍ରାୟ ୨୨.୫ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରସ୍ତାବ ଆସିଥିବା ବେଳେ ୧୨.୫ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ୧୫୨ଟି ଶିଳ୍ପର ଗ୍ରାଉଣ୍ଡିଙ୍ଗ୍ ହୋଇଥିବା ଏବଂ ଏହା ଦ୍ୱାରା ପ୍ରାୟ ୨.୫୦ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଥିବା ସେ କହିଥିଲେ। ସେମିକଣ୍ଡକ୍ଟର କ୍ଷେତ୍ରରେ ନରାଜଠାରେ ୮୭୦ ଏକର ଜମିରେ ‘ଓଡ଼ିଶା ସିଲିକନ୍ ଭ୍ୟାଲି’ ପ୍ରତିଷ୍ଠା ସହ SiCSEM ଓ 3DGS ପରି ପ୍ରକଳ୍ପ ନିର୍ମାଣାଧୀନ ଥିବା ସେ ସୂଚନା ଦେଇଥିଲେ। ସୁନାବେଡ଼ାର HALରେ ଶକ୍ତି ଇଞ୍ଜିନ୍ର ଦ୍ୱିତୀୟ ଉତ୍ପାଦନ ଲାଇନ୍ ଏବଂ ୨୦୦୦ତମ ଇଞ୍ଜିନ୍ର ହସ୍ତାନ୍ତରଣ କେବଳ HAL କୋରାପୁଟର ଏକ ମାଇଲଖୁଣ୍ଟ ନୁହେଁ; ଏହା ଭାରତର ବଢ଼ୁଥିବା ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷମତାର ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

