କଥାକାର ବିମଳ ଚାନ୍ଦଙ୍କ ପୁସ୍ତକ ଓ୍ବାନ୍ ଟାଇମ୍ ପାସ୍ଓ୍ବାର୍ଡ ଉନ୍ମୋଚିତ

ରାୟଗଡା ( ପ୍ରତିଫଳନ ମିଡିଆ )

ପବିତ୍ର ଭାଗବତ ପୂର୍ଣ୍ଣିମାରେ ସଦର ରାୟଗଡ଼ା ଆଜାଦ୍ ହିନ୍ଦ୍ ଯୁବକ ସଂଘ ପରିସରରେ କଥାକାର ବିମଳ ଚାନ୍ଦ ପଟ୍ଟନାୟକଙ୍କ ଦ୍ବିତୀୟ ଗଳ୍ପ ସଂକଳନ ଓ୍ବାନ୍ ଟାଇମ୍ ପାସ୍ଓ୍ବାର୍ଡ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ ଡ଼ ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ନିରାଡମ୍ବର ଉତ୍ସବରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ, ମଣ୍ଡଳ ଶିକ୍ଷାଧୀଶ ଶ୍ୟାମଘନ ଭୂୟାଁ, ବିଶିଷ୍ଟ ସାହିତ୍ୟିକ ସୁଶାନ୍ତ କୁମାର ନାୟକ, ଦ୍ବିଭାଷୀ କବି ଦେବେନ୍ଦ୍ର ବାଉରୀ, ପ୍ରାବନ୍ଧିକ ନରସିଂହ ପଟ୍ଟନାୟକ ମଞ୍ଚାସୀନ ଥିଲେ । ଅତିଥିମାନେ ଗାଳ୍ପିକ ବିମଳଚାନ୍ଦଙ୍କ ସାହିତ୍ୟ ସାଧନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଭୂୟସୀ ପ୍ରଶଂସା କରିଥିଲେ। ଯୁବ କଥାକାର ତଥା ଜ୍ୟୋତିର୍ମୟ ପତ୍ରିକାର ସମ୍ପାଦକ ରୂପେଶ ସାହୁ ଗଳ୍ପ ସଂକଳନର ସୁନ୍ଦର ସମୀକ୍ଷା କରିଥିବା ବେଳେ ସସ୍ମିତା ପଣ୍ଡା ଓ ରାଧାକାନ୍ତ ରାଉତ ସଙ୍କଳନର ଗୋଟିଏ ଗୋଟିଏ ଗଳ୍ପ ପଠନ କରି ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । କବି ଶ୍ରୀଧର ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏଇ କାର୍ଯ୍ୟକ୍ରମର ଶେଷ ବିନ୍ଦୁରେ କବୟିତ୍ରୀ କଲ୍ୟାଣୀ ସାସମଲ ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସ୍ତମ୍ଭକାର ଡ଼ ଦ୍ବିତୀଚନ୍ଦ୍ର ସାହୁ, ଲୋକନାଥ ପଣ୍ଡା, କୃଷ୍ଣପ୍ରିୟା ସାହାଣୀ, ଶିବପ୍ରସାଦ ମିଶ୍ର, ଜଗଦୀଶ ଦୋରା, ନୀଳମଣି ପାଟ୍ଟଯୋଶୀ, ବିନୋଦ ପାତ୍ର, ହୃଷୀକେଶ ରଥ, ମହାଶ୍ୱେତା ପାଣିଗ୍ରାହୀ, ତ୍ରିବେଣୀ ମିଶ୍ର, ମନୋରଞ୍ଜନ ମିଶ୍ର, ପ୍ରଶାନ୍ତି ସାହୁ, ପ୍ରତିମା ମିଶ୍ର, ଲୋକନାଥ ରାଉତ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ । ଖୋଦ୍ ଗାଳ୍ପିକଙ୍କ ପୂଜନୀୟା ମାତା ଶ୍ରୀମତୀ ସୁବାଷିନୀ ପଟ୍ଟନାୟକ,ବଡ଼ଭାଇ ବାମଦେବ ପଟ୍ଟନାୟକ, ବଡ଼ଭଉଣୀ ବୈଜୟନ୍ତୀ ପଟ୍ଟନାୟକ, ଅନୁଜ କବି ପ୍ରଣବ କଳ୍ପ ପଟ୍ଟନାୟକ ସଂପୂର୍ଣ୍ଣ କାର୍ଯ୍ୟକ୍ରମର ବ୍ୟବସ୍ଥା ଓ ନିଷ୍ପାଦନ କରିଥିଲେ ।

Spread the love