ରାୟଗଡ଼ା, (ପ୍ରତିଫଳନ ମିଡ଼ିଆ ): ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଭାରତୀୟ ମଜଦୂର ସଂଘ ସମର୍ଥିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ସୋମବାର ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଥିଲା। ଏଥିସହ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।
ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ପଦ୍ମାଳୟା ସାହୁ ଓ ସମ୍ପାଦିକା ଉଷାରାଣୀ ଦାଶଙ୍କ ନେତୃତ୍ୱରେ ରେଳଷ୍ଟେସନ୍ ଛକରୁ ଏକ ପଦଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସଂଘର ସୂଚନା ଅନୁଯାୟୀ, ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ୫ ହଜାରରୁ ଊର୍ଦ୍ଧ୍ୱ କର୍ମୀ ଓ ସହାୟିକା ଏଥିରେ ସାମିଲ ହୋଇଥିଲେ।
ସଂଘର ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଯୋଗଦେଇ କର୍ମୀଙ୍କ ସମସ୍ୟା ଓ ଦୀର୍ଘଦିନର ଦାବି ସମ୍ପର୍କରେ ମତ ରଖିଥିଲେ।
ଦାବିଗୁଡ଼ିକ ମଧ୍ୟରେ ପୋଷଣ ଟ୍ରାକର୍ରେ ନେଟୱର୍କ ଓ ମୋବାଇଲ୍ ସମସ୍ୟାର ସମାଧାନ, ଅନଲାଇନ୍ କାର୍ଯ୍ୟର ପୁନରାବୃତ୍ତି ଭାବେ ଅଫଲାଇନ୍ ରେକର୍ଡ ବନ୍ଦ, ଖାଦ୍ୟ ସାମଗ୍ରୀର ଗୁଣବତ୍ତା ବୃଦ୍ଧି, ଅଙ୍ଗନୱାଡ଼ି କେନ୍ଦ୍ରରେ ପାନୀୟ ଜଳ ଓ ଉନ୍ନତ ଭିତ୍ତିଭୂମି, ମୃତ କର୍ମୀଙ୍କ ପରିବାରକୁ ସହାୟତା, ଅବସରକାଳୀନ ଅର୍ଥ ନିର୍ଦ୍ଧାରିତ ସମୟରେ ପ୍ରଦାନ ଏବଂ ନିର୍ବାଚନୀ ଇସ୍ତାହାରର ପ୍ରତିଶ୍ରୁତି ପୂରଣ କରିବା ପାଇଁ ଉଲ୍ଲେଖ ରହିଛି।
ଦାବିଗୁଡ଼ିକର ସମାଧାନ ପାଇଁ ସରକାର ଓ ପ୍ରଶାସନ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାଶ ସରକାରଙ୍କୁ ଚେତାବନୀ ଦେଇଛନ୍ତି।


