ମାନବାଧିକାର କର୍ମୀ ଅନୁପ କୁମାର ପାତ୍ରଙ୍କ ହସ୍ତକ୍ଷେପ; 18 ଜଣ ମୃତକଙ୍କ ପାଇଁ ୧.୮୦ କୋଟି,57ଜଣ ଆହତଙ୍କ ଚିକିତ୍ସା ପାଇଁ ୮୩.୫୦ ଲକ୍ଷ ଟଙ୍କା ଜମା।
ତାମିଲନାଡ଼ୁର ଶିଳ୍ପ ନିରାପତ୍ତା ଓ ସ୍ୱାସ୍ଥ୍ୟ ବିଭାଗର ଚିଠିରୁ ସୂଚନା
ଜୟପୁର, (ପ୍ରତିଫଳନ ମିଡ଼ିଆ ): ତାମିଲନାଡ଼ୁର ତିରୁଭାଲ୍ଲୁର ଜିଲ୍ଲାର ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍ ନିର୍ଗମନ ଯୋଗୁଁ ୧୮ ଜଣ ଓଡ଼ିଆ ଆଦିବାସୀ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ତାମିଲନାଡ଼ୁ ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି।ପ୍ରତି ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କା ଲେଖାଏଁ ଓ ଆହତ ଶ୍ରମିକଙ୍କ ସହାୟତା ପାଇଁ ମୋଟ ୨ କୋଟି ୬୩ ଲକ୍ଷ ୫୦ ହଜାର ଟଙ୍କା ଉତ୍ତୁକୋଟାଇ ନ୍ୟାୟିକ ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ଜମା କରାଯାଇଛି। ଚେନ୍ନାଇ-୧୯, ତିରୁଭୋତ୍ତିୟୁରସ୍ଥିତ ଶିଳ୍ପ ନିରାପତ୍ତା ଓ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କ ପକ୍ଷରୁ ଜୟପୁରର ମାନବାଧିକାର କର୍ମୀ ତଥା ଆଇନଜୀବୀ ଅନୁପ କୁମାର ପାତ୍ରଙ୍କୁ ଦିଆଯାଇଥିବା ଚିଠିରେ ଏହି ତଥ୍ୟ ଉଲ୍ଲେଖ ରହିଛି।

ବିଭାଗୀୟ ଚିଠି ଅନୁଯାୟୀ, ୧୮ ଜଣ ମୃତକଙ୍କ ପରିବାର ପାଇଁ ପ୍ରତ୍ୟେକଙ୍କ ପିଛା ୧୦ ଲକ୍ଷ ଟଙ୍କା ହିସାବରେ ମୋଟ ୧ କୋଟି ୮୦ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣାରେ ଆହତ ୫୭ ଜଣଙ୍କ ଚିକିତ୍ସା ପାଇଁ ୮୩ ଲକ୍ଷ ୫୦ ହଜାର ଟଙ୍କା ଜମା କରାଯାଇଛି। ତେବେ ଏହି ଅର୍ଥ ଅଦାଲତରେ ଜମା ହୋଇଥିବା ବେଳେ ପୀଡ଼ିତ ପରିବାରଙ୍କୁ ଏହାର ବଣ୍ଟନ ସମ୍ପର୍କିତ ସ୍ଥିତି ସ୍ପଷ୍ଟ ହେବା ଆବଶ୍ୟକ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆବେଦନ
ଏହି ମର୍ମନ୍ତୁଦ ଘଟଣା ପରେ ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା, ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା, ମୃତଦେହଗୁଡ଼ିକୁ ସମ୍ମାନର ସହ ନିଜ ଗାଁକୁ ପଠାଇବା ଏବଂ ଦୀର୍ଘକାଳୀନ ପୁନର୍ବାସ ବ୍ୟବସ୍ଥା କରିବା ଦାବିରେ ଅନୁପ କୁମାର ପାତ୍ର ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ଙ୍କ କାର୍ଯ୍ୟାଳୟକୁ ଆବେଦନ କରିଥିଲେ।
ମୃତକଙ୍କ ପରିବାର ପିଛା ୨୫ ଲକ୍ଷ ଟଙ୍କା ଅନ୍ତରୀଣ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବା ସହ ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ଓ ସଂସ୍ଥାଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ସେ ଦାବି ଜଣାଇଥିଲେ। କାରଖାନାରେ ଶ୍ରମିକ ସୁରକ୍ଷା ନିୟମର ଉଲ୍ଲଂଘନ ଏବଂ ନିୟନ୍ତ୍ରଣକାରୀ ବ୍ୟବସ୍ଥାର ତଦାରଖରେ ତ୍ରୁଟି ଥିବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ।
ବିଭାଗୀୟ ସୂଚନା ଅନୁଯାୟୀ, ଦୁର୍ଘଟଣା ପରେ ସମ୍ପୃକ୍ତ କାରଖାନାର ଉତ୍ପାଦନ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ, କାରଣ ଦର୍ଶାଅ ନୋଟିସ୍ ଏବଂ ଅଦାଲତରେ ଅଭିଯୋଗପତ୍ର ଦାଖଲ ଭଳି ପଦକ୍ଷେପ ନିଆଯାଇଛି। ଏହା ଶିଳ୍ପ ପ୍ରତିଷ୍ଠାନରେ ଶ୍ରମିକଙ୍କ ଜୀବନ ସୁରକ୍ଷା ଓ ନିରାପତ୍ତା ନିୟମର କଡ଼ାକଡ଼ି ଅନୁପାଳନର ଆବଶ୍ୟକତାକୁ ପୁଣିଥରେ ସାମ୍ନାକୁ ଆଣିଛି।
ମୃତକଙ୍କ ମଧ୍ୟରେ କେନ୍ଦୁଝର ଜିଲ୍ଲାର ୧୪ ଜଣ, ମୟୂରଭଞ୍ଜର ୨ ଜଣ ଏବଂ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଜଣେ ଲେଖାଏଁ ମହିଳା ଶ୍ରମିକ ଥିବା ସୂଚନା ଦିଆଯାଇଛି। ଜୀବିକା ଅନ୍ୱେଷଣରେ ଓଡ଼ିଶାରୁ ଦୂର ତାମିଲନାଡ଼ୁକୁ ଯାଇଥିବା ଏହି ମହିଳା ଶ୍ରମିକମାନଙ୍କ ମୃତ୍ୟୁ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି।
କ୍ଷତିପୂରଣ ସହ ସ୍ଥାୟୀ ନ୍ୟାୟ ଦାବି
ତାମିଲନାଡ଼ୁ ସରକାରଙ୍କ ପକ୍ଷରୁ ଅଦାଲତରେ ସହାୟତା ରାଶି ଜମା କରାଯାଇଥିବା ସୂଚନାକୁ ସ୍ୱାଗତ କରି ଅନୁପ କୁମାର ପାତ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ପୀଡ଼ିତ ପରିବାରଙ୍କୁ ନ୍ୟାୟ ମିଳିବା ପାଇଁ କେବଳ ଅନ୍ତରୀଣ ସହାୟତା ଯଥେଷ୍ଟ ନୁହେଁ; ଦୀର୍ଘକାଳୀନ ପୁନର୍ବାସ, ଆହତଙ୍କ ଉପଯୁକ୍ତ ଚିକିତ୍ସା ଏବଂ ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ସେ ମତ ଦେଇଛନ୍ତି।
ଏହି ଘଟଣା କେବଳ ଏକ ଶିଳ୍ପ ଦୁର୍ଘଟଣା ନୁହେଁ; ଏହା ଶ୍ରମିକଙ୍କ ଜୀବନ, ମାନବୀୟ ମର୍ଯ୍ୟାଦା ଓ ସୁରକ୍ଷିତ ଜୀବିକାର ଅଧିକାର ସହ ଜଡ଼ିତ ଏକ ଗମ୍ଭୀର ପ୍ରସଙ୍ଗ। ଭବିଷ୍ୟତରେ ଏଭଳି ଦୁର୍ଘଟଣାର ପୁନରାବୃତ୍ତି ରୋକିବା ଏବଂ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ଓ ତାମିଲନାଡ଼ୁ ସରକାରଙ୍କ ସମନ୍ୱିତ ପଦକ୍ଷେପ ଅତ୍ୟନ୍ତ ଆବଶ୍ୟକବୋଲି ଅନୁପ ପାତ୍ର କହିଛନ୍ତି ।

