୧୬ ପ୍ରସ୍ତାବକୁ ମଞ୍ଜୁରି, ସରକାରଙ୍କ ନିଷ୍ପତ୍ତିକୁ ବିଜେପିର ସ୍ୱାଗତ
ଭୁବନେଶ୍ୱର,(ପ୍ରତିଫଳନ ମିଡ଼ିଆ )
ରାଜ୍ୟ କ୍ୟାବିନେଟ୍ରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଶିକ୍ଷା, ନିଯୁକ୍ତି, କୃଷି ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେଇ ନିଆଯାଇଥିବା ଏହି ନିଷ୍ପତ୍ତିଗୁଡ଼ିକୁ ରାଜ୍ୟ ବିଜେପି ସ୍ୱାଗତ କରିଛି। ଦଳର ମୁଖପାତ୍ର ଦିଲୀପ ମଲ୍ଲିକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମନ୍ତ୍ରିମଣ୍ଡଳକୁ ଧନ୍ୟବାଦ ଜଣାଇଛନ୍ତି।
କ୍ୟାବିନେଟ୍ର ପ୍ରମୁଖ ନିଷ୍ପତ୍ତି:
* ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ବହି ଯୋଗାଣ।
* ଶିକ୍ଷକଙ୍କ ସମସ୍ୟାର ସମାଧାନ: ମାଧ୍ୟମିକ ଶିକ୍ଷକଙ୍କ ପାଇଁ ନୂତନ ସେବା ନିୟମାବଳୀ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ରାଜ୍ୟ କ୍ୟାଡର ମାନ୍ୟତା ଏବଂ ପ୍ରାଥମିକ ଶିକ୍ଷକଙ୍କ ବରିଷ୍ଠତା ବିବାଦର ସମାଧାନ।
* ଯୁବ ଦକ୍ଷତା ବିକାଶ: ୪.୨୦ ଲକ୍ଷ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ ୪୫୦ କୋଟି ଟଙ୍କାର ବ୍ୟୟବରାଦ।
* କୃଷି କ୍ଷେତ୍ରକୁ ସହାୟତା: ଚାଷୀଙ୍କୁ ସମୟୋଚିତ ସାର ଓ ବିହନ ଯୋଗାଣ ପାଇଁ ୧,୩୬୦ କୋଟି ଟଙ୍କାର କର୍ପସ ପାଣ୍ଠି।
* ଜଳବନ୍ଦୀ ସମସ୍ୟାର ସମାଧାନ: ସହରାଞ୍ଚଳର ଡ୍ରେନେଜ୍ ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ୫୦୦ କୋଟି ଟଙ୍କା।
* ଡାଟା ସେଣ୍ଟର ପ୍ରତିଷ୍ଠା: କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟରେ ୧୭୭ କୋଟି ଟଙ୍କା ବ୍ୟୟରେ ଡାଟା ସେଣ୍ଟର ପ୍ରତିଷ୍ଠା।
* ମହାନଦୀ ରିଭରଫ୍ରଣ୍ଟ୍ର ନବୀକରଣ: କଟକ ସହରର ସୌନ୍ଦର୍ଯ୍ୟବୃଦ୍ଧି ଓ ପର୍ଯ୍ୟଟନ ବିକାଶ ପାଇଁ ଯୋଜନାକୁ ଅନୁମୋଦନ।
* ଅଭିନନ୍ଦନ ସଂକଳ୍ପ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ନେତୃତ୍ୱ ଅବସରରେ କ୍ୟାବିନେଟ୍ରେ ସଂକଳ୍ପ ପାରିତ।
ଏହି ନିଷ୍ପତ୍ତିଗୁଡ଼ିକ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ବଢ଼ାଇବା ଓ ରାଜ୍ୟର ସାମଗ୍ରିକ ବିକାଶରେ ସହାୟକ ହେବ ବୋଲି ଦିଲୀପ ମଲ୍ଲିକ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ଉପସ୍ଥିତ ଥିଲେ।

