ପ୍ରଥମ ‘ବରେନ୍ଦ୍ରକୃଷ୍ଣ ଧଳ ପ୍ରବନ୍ଧ ସାହିତ୍ୟ ସମ୍ମାନ’ରେ ସମ୍ମାନିତ ହେଲେ ରାୟଗଡ଼ାର ଡ. ଦ୍ୱିତୀଚନ୍ଦ୍ର ସାହୁ
ରାୟଗଡ଼ା (ପ୍ରତିଫଳନ ମିଡ଼ିଆ )
ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଓ ଜନଜାତି ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାୟଗଡ଼ାର ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର ତଥା ଆଦର୍ଶ ଶିକ୍ଷକ ଡ. ଦ୍ୱିତୀଚନ୍ଦ୍ର ସାହୁ ପାଇଛନ୍ତି ପ୍ରଥମ ‘ବରେନ୍ଦ୍ରକୃଷ୍ଣ ଧଳ ପ୍ରବନ୍ଧ ସାହିତ୍ୟ ସମ୍ମାନ’। ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ସ୍ୱର୍ଗତ ବରେନ୍ଦ୍ରକୃଷ୍ଣ ଧଳଙ୍କ ସ୍ମୃତିରେ ଗଠିତ ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ନ୍ୟାସ ପକ୍ଷରୁ ଆୟୋଜିତ ନବମ ସ୍ମାରକୀ ବକ୍ତୃତାମାଳା ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ପ୍ରବନ୍ଧ ସାହିତ୍ୟରେ ଉତ୍କର୍ଷତା ଏବଂ ଜନଜାତି ସମାଜ, ସଂସ୍କୃତି ଓ ପରମ୍ପରା ସମ୍ପର୍କିତ ଗବେଷଣା କ୍ଷେତ୍ରରେ ତାଙ୍କର ନିରନ୍ତର ସାଧନାକୁ ସ୍ୱୀକୃତି ଦେଇ ନ୍ୟାସର ଚୟନ କମିଟି ସର୍ବସମ୍ମତିକ୍ରମେ ଡ. ସାହୁଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରିଥିଲେ।

ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ନ୍ୟାସର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଗରିମାମୟ ସମାରୋହରେ ମୁଖ୍ୟ ଅତିଥି ଭାବେ ପ୍ରସାର ଭାରତୀର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରାକ୍ତନ ସାଂସଦ ଜହର ସରକାର ଯୋଗ ଦେଇଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର ଓ ବିଶିଷ୍ଟ ସାହିତ୍ୟିକ ସୂର୍ଯ୍ୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଶ୍ରୀ ସରକାର ଡ. ସାହୁଙ୍କୁ ଉପଢ଼ୌକନ, ସମ୍ମାନପତ୍ର ଓ ପ୍ରୀତି ଉପହାର ପ୍ରଦାନ କରି ସମ୍ମାନିତ କରିଥିଲେ।

ଡ. ସାହୁ ଦୀର୍ଘଦିନ ଧରି ଓଡ଼ିଶାର ବିଭିନ୍ନ ସମ୍ବାଦପତ୍ରରେ ସମାଜ ସଂସ୍କାରମୂଳକ, ଚେତନାଧର୍ମୀ ଓ ସମସାମୟିକ ପ୍ରସଙ୍ଗଭିତ୍ତିକ ସ୍ତମ୍ଭ ଓ ପ୍ରବନ୍ଧ ଲେଖି ଆସୁଛନ୍ତି। ସାମାଜିକ ଜୀବନର ବିଭିନ୍ନ ଦିଗ, ମାନବୀୟ ମୂଲ୍ୟବୋଧ ଓ ସମାଜର ଅନେକ ଅନାଲୋଚିତ ପ୍ରସଙ୍ଗକୁ ନିଜ ଲେଖନୀରେ ସ୍ଥାନ ଦେଇ ସେ ପାଠକମହଲରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ନିୟମିତ ସ୍ତମ୍ଭଗୁଡ଼ିକ ପାଠକଙ୍କ ମଧ୍ୟରେ ବିଶେଷ ଆଦୃତ ହେବା ସହ ସାମାଜିକ ଚେତନା ଓ ଚିନ୍ତନକୁ ପ୍ରଭାବିତ କରିଆସୁଛି। ସାହିତ୍ୟ ସାଧନା ସହ ଜନଜାତି ଜୀବନ, କଳା, ସଂସ୍କୃତି ଓ ପରମ୍ପରାର ଅନୁସନ୍ଧାନ ଓ ଲିପିବଦ୍ଧକରଣ ପ୍ରତି ମଧ୍ୟ ତାଙ୍କର ଗଭୀର ଆଗ୍ରହ ରହିଛି। ସ୍ତମ୍ଭ, ଗଳ୍ପ, ଫିଚର, କବିତା ଓ ଶିଶୁ ସାହିତ୍ୟ ଆଦି ବିଭିନ୍ନ ବିଭାଗରେ ତାଙ୍କର ଲେଖା ନିୟମିତ ଭାବେ ପତ୍ରପତ୍ରିକାରେ ପ୍ରକାଶ ପାଉଛି। ଏଯାବତ୍ ସେ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ୩୬ଟି ପୁସ୍ତକ ରଚନା କରି ପାଠକୀୟ ମହଲରେ ପ୍ରଶଂସା ସାଉଁଟିଛନ୍ତି। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ନିଷ୍ଠାପର ଶିକ୍ଷକତା ପାଇଁ ସେ ରାଷ୍ଟ୍ରପତି ଶିକ୍ଷକ ସମ୍ମାନ ମଧ୍ୟ ହାସଲ କରିଛନ୍ତି।

ଡ. ସାହୁଙ୍କ ଏହି ସଫଳତାରେ ରାୟଗଡ଼ା ଜିଲ୍ଲା ସମେତ ସମଗ୍ର ଓଡ଼ିଶାର ସାହିତ୍ୟପ୍ରେମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ସେଠାରେ ଉପସ୍ଥିତ ଥିବା ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ, ଅବସରପ୍ରାପ୍ତ ପ୍ରଶାସକ ପ୍ରଦୀପ ଜେନା, ପ୍ରାକ୍ତନ ସାଂସଦ ତଥା ସାହିତ୍ୟିକ ପ୍ରସନ୍ନ ପାଟ୍ଟଶାଣୀ, ସମ୍ପାଦକ ପ୍ରଭୁ କଲ୍ୟାଣ ମହାପାତ୍ର, ସାହିତ୍ୟିକ ତଥା ସମ୍ପାଦକ ଦିଲୀପ ମିଶ୍ର, ପଶ୍ଚିମାର ପ୍ରକାଶକ ଅଶୋକ କୁମାର ମହାନ୍ତି, ମାଧବ ବେଉରିଆ, ବରିଷ୍ଠ ସାମ୍ବାଦିକ ବିବେକ ଜେନା, ଲିଙ୍ଗରାଜ ମିଶ୍ର, ତପନ ସ୍ଵାଇଁ, ପ୍ରବୀର କୁମାର ପ୍ରଧାନ, ଅମରେଶ ବିଶ୍ୱାଳ, ବରିଷ୍ଠ ନେତ୍ରୀ ତଥା ସମ୍ପାଦିକା ଲୋପାମୁଦ୍ରା ବକ୍ସିପାତ୍ର ପ୍ରମୁଖ ଅଭିନନ୍ଦନ ଜ୍ଞାପନ କରିଥଲେ। ସେହିପରି ରାୟଗଡ଼ା ସାହିତ୍ୟ ମହୋତ୍ସବ କମିଟିର ସଦସ୍ୟ ଓ ସଦସ୍ୟା, ବିକଳ୍ପ ପରିବାର, ଓଡ଼ିଶାର ବିଭିନ୍ନ ପ୍ରାନ୍ତରର ସାହିତ୍ୟିକ, ପାଠକ ଓ ଶୁଭେଚ୍ଛୁମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ସାହିତ୍ୟ ସାଧନାର ଉତ୍ତରୋତ୍ତର ସଫଳତା କାମନା କରିଛନ୍ତି।
