ବିକଶିତ ଭାରତ ଗଠନ ପାଇଁ ପ୍ରତ୍ୟେକ ନାଗରିକ ପାଞ୍ଚଟି ମହତ୍ତ୍ୱପୂର୍ଣ୍ଣ ଜୀବନମୂଲ୍ୟକୁ ଆପଣାଇବାକୁ RSS ର ଆହ୍ବାନ
ନାଗରିକ କର୍ତ୍ତବ୍ୟବୋଧ, ସ୍ୱବୋଧ,ସାମାଜିକ ସମରସତା ଓ ଜାତୀୟତାବୋଧ, କୁଟୁମ୍ବ ପ୍ରବୋଧନ, ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ
ରାୟଗଡ଼ାରେ ସାପ୍ତାହିକ ସ୍ୱୟଂସେବକଙ୍କ ସାପ୍ତାହିକ ଶାଖା ଏକତ୍ରୀକରଣ କାର୍ଯ୍ୟକ୍ରମରେ ସହ ସରକାର୍ଯ୍ୟବାହ ଆଲୋକ କୁମାରଙ୍କ ମାର୍ଗଦର୍ଶନ
ରାୟଗଡ଼ା( ପ୍ରତିଫଳନ ମିଡ଼ିଆ )
ବିକଶିତ ଭାରତ ଗଠନ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ।ଏଥିପାଇଁ ପ୍ରତ୍ୟେକ ନାଗରିକଙ୍କ ସକାରାତ୍ମକ ଚିନ୍ତାଧାରା, କର୍ତ୍ତବ୍ୟନିଷ୍ଠା ଓ ସକ୍ରିୟ ସହଯୋଗ ଅପରିହାର୍ଯ୍ୟ। ଦେଶର ଧର୍ମ, ସଂସ୍କୃତି, ପରମ୍ପରା ଓ ଜାତୀୟ ଚେତନାର ସୁରକ୍ଷା ସହିତ ସାମାଜିକ ସମରସତା, ସମାଜର ସର୍ବାଙ୍ଗୀଣ ବିକାଶ ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ପାଞ୍ଚଟି ମହତ୍ତ୍ୱପୂର୍ଣ୍ଣ ଜୀବନମୂଲ୍ୟକୁ ଆପଣାଇବା ଆବଶ୍ୟକ। ନାଗରିକ କର୍ତ୍ତବ୍ୟବୋଧ, ସ୍ୱବୋଧ, ଜାତୀୟତାବୋଧ, କୁଟୁମ୍ବ ପ୍ରବୋଧନ ଓ ପରିବେଶ ସୁରକ୍ଷା ହେଉଛି ଏକ ସୁସଂସ୍କୃତ, ସମୃଦ୍ଧ ଓ ସଶକ୍ତ ରାଷ୍ଟ୍ର ଗଠନର ପାଞ୍ଚଟି ମୂଳ ଆଧାର ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ ସରକାର୍ଯ୍ୟବାହ ତଥା ବରିଷ୍ଠ ଜାତୀୟ ନେତା ଆଲୋକ କୁମାର ମତବ୍ୟକ୍ତ କରିଛନ୍ତି। ଶତାବ୍ଦୀର ଏଇ ପାଞ୍ଚ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରକୁ ସମସ୍ତ ନାଗରିକ ବିଶେଷକରି ଯୁବ ଓ ଛାତ୍ର ସମାଜ ଆପଣେଇବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
ରାୟଗଡ଼ା ଜିଲ୍ଲା ଗସ୍ତରେ ଆସିଥିବା ଶ୍ରୀ ଆଲୋକ କୁମାର ସ୍ୱୟଂସେବକମାନଙ୍କ ସାପ୍ତାହିକ ଏକତ୍ରୀକରଣ କାର୍ଯ୍ୟକ୍ରମରେ ଯୋଗଦେଇ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଏହି ଅବସରରେ ସେ ବିକଶିତ ଭାରତ ଗଠନରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ଉପରୋକ୍ତ ପାଞ୍ଚଟି ଜୀବନମୂଲ୍ୟକୁ ନିଜ ଜୀବନରେ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ। ଏଥିପାଇଁ ଆମ ସମସ୍ତେ ସାମାଜିକ ସମରସତାକୁ ପାଳନ କରିବାକୁ ହେବ। ଅର୍ଥାତ ଆମେ ସମସ୍ତେ ସମାଜର ସଦସ୍ୟ, ପରସ୍ପର ମଧ୍ୟରେ ଭେଦଭାବ ନ ରଖିବା ବିଭେଦ ସୃଷ୍ଟି ନକରି ଭାଇଚାରା ଓ ଏକତା ବଜାଇ ରଖି ସମସ୍ତଙ୍କୁ ସମାନ ସମ୍ମାନ ଦେଇ ସଦ୍ଭାବର ସହିତ ଚଳିବାର ଶିଖିପାରିଲେ ହିଁ ସାମାଜିକ ସମରସତା ରହିପାରିବ ।

୧. ନାଗରିକ କର୍ତ୍ତବ୍ୟବୋଧ: ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶ ପ୍ରତି ଗଭୀର ଅନୁରାଗ, ଦାୟିତ୍ୱବୋଧ ଓ ସମର୍ପଣ ଭାବନା ରହିବା ଉଚିତ। ଦେଶ ଓ ସମାଜର ହିତକୁ ପ୍ରାଧାନ୍ୟ ଦେବା ସହିତ ଆବଶ୍ୟକ ସମୟରେ ଉଚିତ ପଦକ୍ଷେପ ଗ୍ରହଣ କରିବା ଦରକାର। କେବଳ ନିଜ ଅଧିକାର ପ୍ରତି ସଚେତନ ନ ରହି ନିଜ କର୍ତ୍ତବ୍ୟକୁ ମଧ୍ୟ ନିଷ୍ଠାର ସହ ପାଳନ କରିବା ଜଣେ ଆଦର୍ଶ ନାଗରିକର ପରିଚୟ।
୨. ସ୍ୱବୋଧ ଓ ଆତ୍ମଗୌରବ: ନିଜ ଦେଶ, ଇତିହାସ, ସଂସ୍କୃତି, ପରମ୍ପରା ଓ ମୌଳିକ ପରିଚୟ ପ୍ରତି ଗର୍ବ ଓ ଆତ୍ମବିଶ୍ୱାସ ରଖିବା ହେଉଛି ସ୍ୱବୋଧ। ଅନ୍ୟର ମତ, ବିଚାର, ଭାଷା ଓ ସଂସ୍କୃତିକୁ ଶ୍ରଦ୍ଧା ଓ ସମ୍ମାନ ଦେବା ସହିତ ବିଦେଶୀ ପ୍ରଭାବ ଓ ପରାଧୀନ ମାନସିକତାରୁ ମୁକ୍ତ ହୋଇ ନିଜ ଜାତୀୟ ଗୌରବକୁ ବଜାୟ ରଖିବା ଆବଶ୍ୟକ।
୩. ଜାତୀୟତାବୋଧ ଓ ସାମାଜିଜ ସମରସତା
ପ୍ରତ୍ୟେକ ଭାରତୀୟଙ୍କ ମନରେ ଦୃଢ଼ ଜାତୀୟତାବୋଧ ରହିବା ଆବଶ୍ୟକ।
ଜାତି, ଧର୍ମ,ଧନୀ, ଗରୀବ,ଭାଷା ଓ ଅଞ୍ଚଳଗତ ଭେଦଭାବରୁ ଊର୍ଦ୍ଧ୍ୱରେ ରହି ସମସ୍ତେ ଭାରତୀୟ ଭାବେ ଏକତାର ସୂତ୍ରରେ ବାନ୍ଧି ହେବା ଉଚିତ। ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱର ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ।
୪. କୁଟୁମ୍ବ ପ୍ରବୋଧନ ଓ ପାରିବାରିକ ସଂସ୍କାର: ପରିବାର ହେଉଛି ସମାଜ ଓ ରାଷ୍ଟ୍ର ଗଠନର ପ୍ରଥମ ପାଠଶାଳା। ମିଳିତ ପରିବାର ବ୍ୟବସ୍ଥା, ପରସ୍ପର ସ୍ନେହ, ସହଯୋଗ, ବୟୋଜ୍ୟେଷ୍ଠଙ୍କ ପ୍ରତି ଶ୍ରଦ୍ଧା ଓ କନିଷ୍ଠମାନଙ୍କ ପ୍ରତି ସ୍ନେହଶୀଳ ଆଚରଣ ଆମ ପାରିବାରିକ ପରମ୍ପରାର ଅମୂଲ୍ୟ ସମ୍ପଦ। ପରିବାରରେ ଧାର୍ମିକ ଚେତନା, ନୈତିକ ଶିକ୍ଷା, ଜ୍ଞାନ ଓ ସଂସ୍କାରର ବିକାଶ ହେଲେ ଏକ ସୁସ୍ଥ ଓ ସଂସ୍କାରିତ ସମାଜ ଗଠନ ହେବା ସମ୍ଭବ ପର ହୋଇପାରିବ ।
୫. ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା: ପ୍ରକୃତି ହେଉଛି ଜୀବଜଗତର ଆଧାର। ତେଣୁ ପରିବେଶର ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ ନୈତିକ ଦାୟିତ୍ୱ। ବୃକ୍ଷରୋପଣ, ଜଳ ସଂରକ୍ଷଣ, ପ୍ଲାଷ୍ଟିକ ବ୍ୟବହାର ହ୍ରାସ, ଆବର୍ଜନାର ସଠିକ୍ ପରିଚାଳନା ଏବଂ ନିଜ ଘରଠାରୁ ଆରମ୍ଭ କରି ସାହି, ଗାଁ ଓ ସହରକୁ ସ୍ୱଚ୍ଛ ରଖିବା ପାଇଁ ସମସ୍ତେ ଆଗେଇ ଆସିବା ଆବଶ୍ୟକ।
ବିକଶିତ ପରିବାରରୁ ବିକଶିତ ଭାରତ—ଏହି ଚିନ୍ତାଧାରାକୁ ଆଧାର କରି ପ୍ରତ୍ୟେକ ବ୍ୟକ୍ତି ନିଜ ଦାୟିତ୍ୱ ବୁଝିଲେ, ପରିବାର ସଂସ୍କାରିତ ହେଲେ, ପ୍ରତ୍ୟେକ ଘର ସ୍ୱଚ୍ଛ ଓ ସୁସଜ୍ଜିତ ହେଲେ ଏବଂ ପ୍ରତ୍ୟେକ ସାହି ଓ ଗାଁରେ ଏକତା, ସହଯୋଗ ଓ ବିକାଶର ବାତାବରଣ ସୃଷ୍ଟି ହେଲେ ଏକ ସମୃଦ୍ଧ, ସଶକ୍ତ ଓ ବିକଶିତ ଭାରତ ଗଠନର ସ୍ୱପ୍ନ ସାକାର ହୋଇପାରିବ।
ଏହି ପାଞ୍ଚଟି ସୂତ୍ରକୁ କେବଳ ଆଲୋଚନାରେ ସୀମିତ ନ ରଖି ଦୈନନ୍ଦିନ ଜୀବନରେ କାର୍ଯ୍ୟକାରୀ କରିବାପାଇଁ ସାମାଜିକ ସମରତା ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ପ୍ରତ୍ୟେକ ନାଗରିକ ଏଥିପାଇଁ ଦୃଢ଼ ସଂକଳ୍ପ ଗ୍ରହଣ କଲେ ବ୍ୟକ୍ତି ଗଠନ, ପରିବାର ଗଠନ, ସମାଜ ଗଠନ ଓ ଶେଷରେ ରାଷ୍ଟ୍ର ଗଠନର ଲକ୍ଷ୍ୟ ସଫଳ ହୋଇପାରିବ ବୋଲି ଶ୍ରୀ ଆଲୋକ କୁମାର ମାର୍ଗଦର୍ଶନ ଦେଇଥିଲେ।
