ଗଞ୍ଜାମ ବନ୍ୟାକୁ ନେଇ ରାଜନୈତିକ ତୁମ୍ବିତୋଫାନ
ଅତୀତର ବନ୍ୟା ଚିତ୍ର ଦେଖାଇ ବିଜେଡି ଓ ପୂର୍ବତନ ଆଇଏଏସ୍ଙ୍କୁ ଘେରିଲେ ସୋସିଆଲ ମିଡିଆ ବ୍ୟବହାରକାରୀ• ୨୪ ବର୍ଷର ଶାସନରେ ସ୍ଥାୟୀ ପ୍ରତିକାର କୁଆଡ଼େ ଗଲା ବୋଲି ପ୍ରଶ୍ନ
ବ୍ରହ୍ମପୁର (ପ୍ରତିଫଳନ ମିଡ଼ିଆ )
ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷର ବନ୍ୟାକୁ ନେଇ ଏବେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଜୋର ଧରିଛି। ବନ୍ୟା ପରିଚାଳନାରେ ବର୍ତ୍ତମାନ ସରକାରଙ୍କ ବିଫଳତା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ବିଜେଡି ଅଭିଯୋଗ କରୁଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ୟା ପରିଚାଳନା ଦକ୍ଷତାର ଗୁଣଗାନ କରୁଛି ଦଳ। ଅନ୍ୟପକ୍ଷରେ ଜଣେ ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀ ମଧ୍ୟ ପରୋକ୍ଷରେ ବର୍ତ୍ତମାନର ସରକାରୀ ବ୍ୟବସ୍ଥାକୁ ଦାୟୀ କରି ଅତୀତର ପ୍ରଶାସନିକ ପରିଚାଳନାର ପ୍ରଶଂସା କରିଥିବା ଚର୍ଚ୍ଚା ହେଉଛି। ଏହାକୁ ନେଇ ରାଜନୈତିକ ବାକ୍ଯୁଦ୍ଧ ତୀବ୍ର ହୋଇଛି।

ତେବେ ସୋସିଆଲ ମିଡିଆରେ ଅତୀତର ଆସିକା ବନ୍ୟାର ଫଟୋ ଓ ଭିଡିଓ ପ୍ରସାର କରି ଅନେକ ଲୋକ ବିଜେଡି ଏବଂ ସମ୍ପୃକ୍ତ ପୂର୍ବତନ ଅଧିକାରୀଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ୧୯୬୯, ୧୯୯୦, ୧୯୯୯, ୨୦୧୩, ୨୦୧୪, ୨୦୧୮ ଓ ୨୦୨୬ ମସିହାରେ ଆସିକା ତଥା ଗଞ୍ଜାମ ଅଞ୍ଚଳରେ ବିଭିନ୍ନ ସମୟରେ ଭୟାବହ ବନ୍ୟାର ସମ୍ମୁଖୀନ ହୋଇଥିବା ଦୃଶ୍ୟ ଏବେ ପୁଣି ଚର୍ଚ୍ଚାକୁ ଆସିଛି। ଅତୀତରେ ମଧ୍ୟ ବନ୍ୟା ଯୋଗୁଁ ଆସିକାର ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ସେହି ସମୟରେ ଶାସନ ଓ ପ୍ରଶାସନର ଦାୟିତ୍ୱ କାହା ହାତରେ ଥିଲା ବୋଲି ସୋସିଆଲ ମିଡିଆରେ ପ୍ରଶ୍ନ ଉଠୁଛି। ଏଠାରେ ଆମେ ଅତୀତର ବନ୍ୟାର କରାଳ ରୂପକୁ ଆପଣଙ୍କ ଉଦ୍ଦେଶ୍ୟରେ ରଖିଛୁ। ସତ ମିଛ ଆପଣ ବିଚାର କରିବେ।

ବିଶେଷକରି ୨୪ ବର୍ଷର ବିଜେଡି ଶାସନ କାଳରେ ଆସିକା ଓ ଗଞ୍ଜାମର ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେତେ ଉଦ୍ୟମ ହୋଇଥିଲା ତାହାକୁ ନେଇ ଆଲୋଚନା ଜୋର ଧରିଛି। ବାଘୁଆ, ବଡ଼ନଦୀ ଓ ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପ୍ରତିବର୍ଷ ବର୍ଷାଋତୁରେ ଆସିକା ପାଇଁ ବିପଦ ସୃଷ୍ଟି କରୁଥିବା ବେଳେ ଅନେକ ସ୍ଥାନରେ ନଦୀ ଓ ଜନବସତିର ଉଚ୍ଚତା ପ୍ରାୟ ସମାନ ରହିଛି। ସେହିପରି ଘୋଡ଼ାହାଡ଼ ନଦୀର ଜଳସ୍ତର ବୃଦ୍ଧି ହିଞ୍ଜିଳି ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରୁଥିବା ବେଳେ ବାହୁଦା ନଦୀ ଚିକିଟି ଓ ପାତ୍ରପୁର ଅଞ୍ଚଳବାସୀଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି।

ଏହି ନଦୀଗୁଡ଼ିକରେ ଜଳ ନିୟନ୍ତ୍ରଣ, ନଦୀବନ୍ଧ ସୁଦୃଢ଼ୀକରଣ, ପଥର ଆଡ଼ିବନ୍ଧ ନିର୍ମାଣ ଓ ନୂତନ ଜଳସେଚନ ପ୍ରକଳ୍ପ ଦିଗରେ ପୂର୍ବତନ ବିଜେଡି ସରକାର ଯଥେଷ୍ଟ ଆଗ୍ରହ ଦେଖାଇନଥିବା ଅଭିଯୋଗ ହେଉଛି। ହିଞ୍ଜିଳିର ବିଧାୟକ ଭାବେ ଦୀର୍ଘବର୍ଷ ଧରି ପ୍ରତିନିଧିତ୍ୱ କରିଥିବା ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ ବର୍ଷ ଦାୟିତ୍ୱ ନିର୍ବାହ କରିଥିବା ନବୀନ ପଟ୍ଟନାୟକ ମଧ୍ୟ ଏହି ଅଞ୍ଚଳର ବନ୍ୟା ସମସ୍ୟାର ସ୍ଥାୟୀ ପ୍ରତିକାର ଦିଗରେ କେତେ ଗୁରୁତ୍ୱ ଦେଇଥିଲେ, ତାହା ଏବେ ଆଲୋଚନାର ବିଷୟ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ୧୯୯୦ ମସିହାର ଭୟାବହ ବନ୍ୟା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆସିକାର ବିପର୍ଯ୍ୟସ୍ତ ଭୌଗୋଳିକ ଓ ଭିତ୍ତିଭୂମି ସ୍ଥିତିର ପୁନର୍ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା କୁହାଯାଏ। ତିନୋଟି ପ୍ରମୁଖ ନଦୀର ବନ୍ୟା ନିୟନ୍ତ୍ରଣ ସହ ନଦୀବନ୍ଧ ନିର୍ମାଣକୁ ନେଇ ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଥିବା ଦାବି କରାଯାଉଛି। କିନ୍ତୁ ବିଜୁ ପଟ୍ଟନାୟକଙ୍କ ପରବର୍ତ୍ତୀ ସମୟରେ ଏହି ଯୋଜନା କାର୍ଯ୍ୟକାରୀ ନହୋଇ ଶୀତଳଭଣ୍ଡାରକୁ ଚାଲିଯାଇଥିବା ଅଭିଯୋଗ ଉଠିଛି। ଏହାର ତଥ୍ୟଭିତ୍ତିକ ସମୀକ୍ଷା ଓ ମାଷ୍ଟରପ୍ଲାନ୍ର ବର୍ତ୍ତମାନ ସ୍ଥିତି ସ୍ପଷ୍ଟ କରିବାକୁ ମଧ୍ୟ ଦାବି ହେଉଛି। ବିଜୁ ବାବୁଙ୍କ ସ୍ବପ୍ନକୁ ସାକାର କରିବା ଲାଗି ବିଜେଡି ଗଠନ ସହ 24ବର୍ଷ କ୍ଷମତାରେ ରହିଲେ। ଅଥଚ ଗଞ୍ଜାମରେ ହିଁ ବିଜୁବାବୁଙ୍କ ସ୍ବପ୍ନକୁ ମୋଡାମୋଡ଼ି କରି କୁଆଡେ ଫିଙ୍ଗିଦେଲେ ବୋଲି ଏବେ ଲୋକେ ପ୍ରଶ୍ନ କରୁଛନ୍ତି।

ବିଜେଡି ସରକାରଙ୍କ ଅମଳରେ ବିଭିନ୍ନ ଲଘୁଚାପ ଓ ବାତ୍ୟାଜନିତ ବର୍ଷାରେ ଆସିକା ସହର ଏକାଧିକ ଥର ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ପ୍ରତିଥର ରିଲିଫ୍ ଓ ସହାୟତା ପ୍ରଦାନକୁ ସ୍ଥାୟୀ ସମାଧାନର ବିକଳ୍ପ ଭାବେ ଗ୍ରହଣ କରାଯାଇଛି। ନୂତନ ବିକଳ୍ପ ଚିନ୍ତା ନ କରିବା ଏବେ ବଡ଼ ପ୍ରଶ୍ନ। ବନ୍ୟା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବା ଜରୁରୀ ହୋଇଥିଲେ ମଧ୍ୟ ବନ୍ୟା ରୋକିବା ଓ କ୍ଷୟକ୍ଷତି କମାଇବା ପାଇଁ ଦୀର୍ଘମିଆଦି ଯୋଜନା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏଦିଗରେ ବିଜେଡି ନୀରବ।

ଅନ୍ୟପକ୍ଷରେ ଚଳିତ ବନ୍ୟା ପରେ ବିଜେଡିର ରାଜନୈତିକ ଆକ୍ରମଣକୁ ନେଇ ବିଜେପି ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ଆସିଛି। ଗଞ୍ଜାମର ବନ୍ୟା ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ବିଜେପି ସରକାର ପ୍ରତିବଦ୍ଧ ବୋଲି ଦଳ ପକ୍ଷରୁ କୁହାଯାଇଛି। ନଦୀ ଉପରେ ସୁଦୃଢ଼ ବନ୍ଧ ନିର୍ମାଣ ସହ ଉପରମୁଣ୍ଡରେ ଜଳଭଣ୍ଡାର ନିର୍ମାଣ ଭଳି ପ୍ରସ୍ତାବ ଉପରେ ବିଶେଷଜ୍ଞମାନେ ମତ ନିଆ ଯାଇଥିବା କହିଛି। ସରକାର ଏଦିଗରେ ଠୋସ୍ ପଦକ୍ଷେପ ନେବେ ବୋଲି ବିଜେପି ଆଶ୍ୱାସନା ଦେଇଛି।

ବିପର୍ଯ୍ୟୟ ସମୟରେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଅପେକ୍ଷା ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚିବା ଏବଂ ସ୍ଥାୟୀ ସମାଧାନର ରାସ୍ତା ଖୋଜିବା ଅଧିକ ଜରୁରୀ ବୋଲି ମତ ପ୍ରକାଶ ପାଉଛି। ଆସିକାର ବନ୍ୟା ସମସ୍ୟା ଆଜିର ନୁହେଁ ଏହା ଦୀର୍ଘଦିନର ଏକ ଭୌଗୋଳିକ ଓ ପ୍ରଶାସନିକ ଆହ୍ୱାନ। ତେଣୁ ଅତୀତର ଦୋଷାରୋପ ଓ ବର୍ତ୍ତମାନର ରାଜନୈତିକ ବୟାନବାଜି ମଧ୍ୟରେ ଆସିକାବାସୀଙ୍କ ମୂଳ ପ୍ରଶ୍ନଟି ହେଉଛି ବନ୍ୟାରୁ ମୁକ୍ତି ପାଇଁ ସ୍ଥାୟୀ ଯୋଜନା କେବେ କାର୍ଯ୍ୟକାରୀ ହେବ ସେଦିଗରେ ସମ୍ମିଳିତ ଉଦ୍ୟମ ଆବଶ୍ୟକ।

