(ପ୍ରତିଫଳନ ମିଡିଆ)
ଗ୍ରାହକଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନାହିଁ । ପାର୍କିଂ ବ୍ୟବସ୍ଥା ନାହିଁ । ହୋଟେଲ ଚଲେଇବା ଲାଗି କୌଣସି ପ୍ରକାର ମାନଦଣ୍ଡକୁ ପୂରଣ କରୁନି ହୋଟେଲ ମାଲିକ । ଏମିତିକି ଗ୍ରାହକମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ଆଵଶ୍ୟକୀୟ ଲାଇସେନ୍ସ ନଥାଇ ଚାଲିଥିଲା ବେଧଡ଼କ ରେଷ୍ଟୁରାଣ୍ଟ । ମିଳିତ ଯାଞ୍ଚ ପରେ ପ୍ରଶାସନ ସିଲ କରିଛି ହୋଟେଲ ସାଇରାମକୁ ।
ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟବର୍ତ୍ତୀ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ (ICDS)ଛକ ଉପରେ ମୁଖ୍ୟ ରାସ୍ତା କଡରେ ଥିବା ନିଉ ସାଇରାମ ରେଷ୍ଟୁରାଣ୍ଟକୁ ପ୍ରଶାସନ ସିଲ କରିଛି ।
ରାୟଗଡା ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରାଙ୍କ ନେତୃତ୍ୱରେ ପୋଲିସ, ରାୟଗଡ଼ା ପୋୖର ପରିଷଦ ନିର୍ବାହୀ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀଙ୍କ ମିଳିତ ଯାଞ୍ଚ ଦଳ ଚଢ଼ାଉ କରିଥିଲେ । ନିଉ ସାଇରାମ ରେଷ୍ଟୁରାଣ୍ଟ କୌଣସି ଲାଇସେନ୍ସ ନ ରଖି ଗ୍ରାହକ ସେବା ପାଇଁ ସାମାନ୍ୟତମ ମାନଦଣ୍ଡକୁ ପୂରଣ ନ କରି ଆଇନକୁ ଖୋଲାଖୋଲି ଉଲ୍ଲଘଂନ କରି ରେଷ୍ଟୁରାଣ୍ଟ ଚଲେଇଥିବା ଜାଣିବାକୁ ପାଇଲେ ଯାଞ୍ଚ ଦଳ । ରେଷ୍ଟୁରାଣ୍ଟରୁ ଦୁଇଟି ଘରୋଇ ବ୍ୟବହାର ଗ୍ୟାସ ହାଣ୍ଡି ଜବତ କରାଯାଇଛି। ରେଷ୍ଟୁରାଣ୍ଟ ଚଲାଇବା ପାଇଁ ଆବଶ୍ୟକ ଅନ୍ୟ କୌଣସି ଲାଇସେନ୍ସ ନ ଥିବା ଦେଖିବାକୁ ମିଳିଥିଲା । ରାସ୍ତା ଉପରେ ଖୋଲାରେ ଚାଲିଥିଲା ରୋଷେଇ । ରେଷ୍ଟୁରାଣ୍ଟକୁ ତୁରନ୍ତ ବନ୍ଦ କରିବାକୁ ଉପ ଜିଲ୍ଲା ପାଳଙ୍କ ନିର୍ଦେଶ ପରେ । ରେଷ୍ଟୁରାଣ୍ଟକୁ ସିଲ କରିଛି ରାୟଗଡ ପୌର ନିର୍ବାହୀ ଅଧିକାରୀ । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିଛନ୍ତି ରାୟଗଡା ପୌର ପରିଷଦ । ଶନିବାର ନିଉ ସାଇରାମ ରେଷ୍ଟୁରାଣ୍ଟକୁ ସିଲ କରିଦେଇଛି ପୌର ପ୍ରଶାସନ । ରାୟଗଡା ସହରରେ ଏଣିକି ଏଭଳି ବେଆଇନ ଢଙ୍ଗରେ ଚାଲୁଥିବା ହୋଟେଲ ଗୁଡିକ ଉପରେ ତୀକ୍ଷଣ ଦୃଷ୍ଟି ରଖାଯିବ ଏବଂ ବ୍ୟାପକ ଚଢ଼ାଉ କରାଯିବ । ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀମତି ସଂଘମିତ୍ରା କହିଛନ୍ତି । ଖାଉଟି ଓ ସାଧାରଣ ଲୋକଙ୍କ ସ୍ଵାର୍ଥକୁ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି ସେ ଗୁରୁତ୍ବାରୋପ କରିଛନ୍ତି । ଉପଜିଲ୍ଲାପାଳଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ କୁ ପ୍ରଂଶସା କରିଛନ୍ତି ସହର ର ବୁଦ୍ଧିଜୀବୀ ,ସମାଜସେବୀ, ବିଭିନ୍ନ ମହିଳା ସଂଗଠନ । ସହର ରେ ଅନେକ ହୋଟେଲ ଓ ଦୋକାନ ଗୁଡିକରେ ନିମ୍ମ ମାନର ଓ ରାସାୟନିକ ଦ୍ରବ୍ୟ ମିଶା କଲର ବ୍ୟବହାର କରି ଖାଦ୍ୟ ବିକ୍ରୟ କରାଯାଉଥୁବାରୁ ଫୁଡ ପୟଜନ ହେବା ଆଶଙ୍କା ରହିଛି ।ନିୟମିତ ଖାଦ୍ୟର ମାନ ଯାଂଚ କରି ବିକ୍ରୟ କରିବାକୁ ଅନୁମତି ଦେବାକୁ ସାଧାରଣରେ ଦାବି ହେଉଛି।
ପ୍ରଶାସନର ସ୍କାନର ରେ ବେଆଇନ ହୋଟେଲ ଚଲାଇବାକୁ ଭଡା ଦେଇଥିବା ଘର ମାଲିକ
ରାୟଗଡା ଜିଲ୍ଲାପାଳ ,ଏସପି,ଆରଟିଓ ଙ୍କ କାର୍ଯ୍ୟାଳକୟକୁ ଯିବା ରାସ୍ତାର ICDS ଅଫିସ ସମ୍ମୁଖ ମୁଖ୍ୟ ଛକ ଉପରେ ରେଷ୍ଟୁରାଣ୍ଟ ଖୋଲି କର୍ତ୍ତୃପକ୍ଷ ପାର୍କିଂର ବ୍ୟବସ୍ଥା କରି ନାହାନ୍ତି । ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଉଥିବା ଗ୍ରାହକ ମାନେ ବାଧ୍ୟ ହୋଇ ରାସ୍ତା ଉପରେ ଗାଡି ଗୁଡିକ ପାର୍କିଂ କରୁଛନ୍ତି । ଫଳରେ ରାଜ ରାସ୍ତା ଅବରୋଧ ହୋଇପଡୁଛି। ସେହି ରାସ୍ତା ଦେଇ ପ୍ରତିଦିନ ଯାତାୟତ କରୁଥିବା ସାଧାରଣ ଭଦ୍ର ମହିଳା, ଯୁବତୀ , ପୁରୁଷ ଓ ବାଇକ ଚାଳକ ସହ ଚାରିଚକିଆ ଯାନ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ରେଷ୍ଟୁରାଣ୍ଟଟି ସରକାରଙ୍କ ସମସ୍ତ ଆଇନକୁ ଉଲଘଂନ କରି ଚାଲିଥିବା ଜାଂଚବେଳେ ଜାଣିବାକୁ ମିଳିଛି । ହୋଟେଲ ଚଲାଇବାକୁ ହେଲେ ସରକାରୀ ନିୟମ ମୁତାବକ ସାଧାରଣତଃ ଗ୍ରାହକଙ୍କ ସୁରକ୍ଷା ଓ ସୁବିଧାକୁ ପ୍ରାଧାନ୍ୟ ଦିଆ ଯାଇଥାଏ । ହୋଟେଲ ପାଇଁ ଉର୍ଦ୍ଦିଷ୍ଟ କୋଠାର ପରମିଟ ରହିବା ସହ ପାର୍କିଂ ବ୍ୟବସ୍ଥା, ଅଗ୍ନି ନିରାପତା ସୁରକ୍ଷା ଲାଗି ଅଗ୍ନିଶମ ବିଭାଗର ସୁରକ୍ଷା ପ୍ରମାଣପତ୍ର, ଗୁଣବତ୍ତା ଖାଦ୍ୟ ପ୍ରଦାନର ପ୍ରତିଶ୍ରୁତି ଦେଇ ଫୁଡ ଲାଇସେନସ , ହୋଟେଲ ଭିତରେ ଲୋକେ ଆରାମରେ ବସି ଖାଇବା ପାଇଁ ଇଟିଂ ଲାଇସେନସ, ESI ରେଜିଷ୍ଟ୍ରେଶନ୍, କର୍ମଚାରୀଙ୍କ ପାଇଁ PF ରେଜିଷ୍ଟ୍ରେଶନ୍ , ପରିବେଶ ସୁରକ୍ଷା (ପଲ୍ୟୁସନ) ଲାଇସେନସ(FSSAI) , ହୋଟେଲରେ ବ୍ୟବସାୟିକ ଗ୍ୟାସ ସିଲଣ୍ଡରର ବ୍ୟବହାର ,ଶୌଚାଳୟର ବ୍ୟବସ୍ଥା, ଦିବ୍ୟାଙ୍ଗ ଜନଙ୍କ ପାଇଁ ସ୍ଵତନ୍ତ୍ର ସୁବିଧା , ସ୍ବଛତା ପାଳନ, ଧନଜନଙ୍କ ରକ୍ଷା ଲାଗି ଇଂସ୍ୟୁ ରେନ୍ସ, ହୋଟେଲ ଚଲାଇବା ପାଇଁ ପୋଲିସର ଅନୁମତି ପତ୍ର ଭଳି ଏକାଧିକ ପ୍ରମାଣପତ୍ର ସହ ବିଭିନ୍ନ ସରକାରୀ ନିୟମର ଅନୁପାଳନ କରିବା ଆବଶ୍ୟକ । ।
କୌଣସି ବି ଗୋଟିଏ ମାନଦଣ୍ଡକୁ ସାଇରାମ ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷ ପୂରଣ ନ କରି ରାୟଗଡା ସହରର ଅତି ଗୁରୁତ୍ବପୂର୍ଣ୍ଣ ଜନ ଗହଳି ଅଂଚଳରେ ବେଆଇନଭାବେ ବେଧଡ଼କ ରେଷ୍ଟୁରାଣ୍ଟ ଚଳେଇଥିଲେ । ଖାଦ୍ୟର ଗୁଣବତ୍ତାକୁ ନେଇ ବି ଏବେ ଅନେକ ଗ୍ରାହକ ପ୍ରଶ୍ନ ଉଠେଇଛନ୍ତି । ଏପରିକି ସାଇରାମ ରେଷ୍ଟୁରାଣ୍ଟ ଗ୍ରାହକଙ୍କୁ ଆଇନସିଦ୍ଧ ବିଲ ପ୍ରଦାନ କରୁନାହିଁ । ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଜିଏସଟି ଫାଙ୍କି ଚାଲିଛି । ଫଳରେ ସରକାର ବିପୁଳ ରାଜସ୍ବ ହରାଉଛନ୍ତି । ଅର୍ଥନୈତିକ ବିଭାଗବି ଏହି ହୋଟେଲର କାରବାର ହିସାବ ଯାଞ୍ଚ କରିବ ବୋଲି ଜଣା ପଡ଼ିଛି ।
ସହରରେ କେମିକାଲ ମିଶ୍ରିତ ରଂଗବୋଳା ଖାଦ୍ୟ ଅବାଧରେ ବିକ୍ରୟ କରାଯାଉଛି ।ଫୁଡ ଇନସପେକ୍ଟର (ଖାଦ୍ୟର ମାନ ନିରୀକ୍ଷଣ କରୁଥୁବା ନିରୀକ୍ଷକ) ଏଦିଗରେ ନିୟମିତ ଯାଂଚ କରିବାର ଆବଶ୍ୟକତା ରହିଛି ।ଅତୀତରେ ଏଠାରେ ଏକ କପଡା ଦୋକାନ ଥିବା ବେଳେ ହଠାତ ଏଠାରେ ରେଷ୍ଟୁରାଣ୍ଟ ଖୋଲାଯିବାନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।
ରାୟଗଡ଼ାର ସବୁ ହୋଟେଲକୁ ପର୍ଯ୍ୟାୟକ୍ରମେ ଯାଞ୍ଚ ସହ ପ୍ରଶାସନ ଏଭଳି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।