ମଲା ପରେ ବି ଜୀବିତ କୋରାପୁଟର ଦେବଦତ୍ତ

(ପ୍ରତିଫଳନ ମିଡିଆ)

ମଲା ପରେ ବି ଜୀବିତ । ଦୁନିଆକୁ ଦେଖୁଛନ୍ତି ଓ ଅନୁଭବ କରୁଛନ୍ତି । ଏସବୁ ପ୍ରତ୍ୟକ୍ଷ ନହୋଇ ପାରେ କିନ୍ତୁ ପରୋକ୍ଷରେ ସେ ମରି ବି ବଞ୍ଚିଛନ୍ତି । ମୃତ୍ୟୁ ପରେ ପରିବାର ଲୋକଙ୍କ ମହାନତା ପାଇଁ ଅନ୍ୟ ଲୋକଙ୍କ ହୃଦୟରେ ସେ ବଞ୍ଚିଛନ୍ତି ।  ମୃତ୍ୟୁ ପରେ ବି ୧୦ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି କୋରାପୁଟର ଦେବଦତ୍ତ ପାତ୍ର | ପରିବାର ନିଷ୍ପତ୍ତି କ୍ରମେ ଦେବଦତ୍ତଙ୍କ ହୃତ୍‌ପିଣ୍ଡ, ଯକୃତ, ବୃକକ୍, ଚକ୍ଷୁ ଗୁରୁତର ରୋଗୀଙ୍କୁ ଦାନ କରାଯାଇଛି |  ବାପା, ମା ଓ ଧର୍ମ ପତ୍ନୀଙ୍କ ଉଚିତ ନିଷ୍ପତ୍ତି ଓ ତ୍ୟାଗକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି |

 କୋରାପୁଟ ସହର ଗୌତମନଗର ଅଞ୍ଚଳର ପ୍ରଦୀପ ପାତ୍ର ଏବଂ ସୁପ୍ରଭା ନାୟକଙ୍କ ପୁଅ  ଦେବଦତ୍ତ ବେଙ୍ଗାଲୁରୁସ୍ଥି ଏକ କଂପାନିରେ ସଫ୍ଟୱେର ଇଞ୍ଜିନିୟର ଭାବେ ଚାକିରି କରୁଥିଲେ | ଗତମାସ ୨୯ ତାରିଖରେ ବ୍ରେନ୍‌ଷ୍ଟ୍ରୋକ୍ ଯୋଗୁ ନିକଟସ୍ଥ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ପତ୍ନୀ ଛନ୍ଦାମୟୀ ସାମଲ । ଚିକିତ୍ସିତ ଅବସ୍ଥାରେ ଚଳିତ ମାସ ୪ରେ ଦେବଦତ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ | ଯୁବ ଅବସ୍ଥାରେ ପୁଅକୁ ହରାଇ ବାପା, ମା’ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ | ପତ୍ନୀ ମଧ୍ୟ ଶକ୍ତ ମାନସିକ ଆଘାତ ପାଇଥିଲେ | ଏମିତି ସ୍ଥିତିରେ ଡାକ୍ତର ସୁନୀଲ କରାନ୍ଥ ପରିବାରକୁ ସମବେଦନା ଜଣାଇଥିଲେ। ପରିବାର ଚାହିଁଲେ ମୃତ୍ୟୁ ସହ ସଂଘର୍ଷ କରୁଥିବା ୧୦ଜଣ ରୋଗୀ ନୂଆ ଜୀବନ ପାଇବେ ବୋଲି ବୁଝାଇଥିଲେ | ଡାକ୍ତରଙ୍କ ପରାମର୍ଶକ୍ରମେ ଅଙ୍ଗଦାନ ପାଇଁ ରାଜି ହୋଇଥିଲେ ପରିବାର ସଦସ୍ୟ | ତୁରନ୍ତ ଡାକ୍ତର ଅସ୍ତ୍ରୋପଚାର କରି ମୂଲ୍ୟବାନ ଅଙ୍ଗ ବାହାର କରି ଗୁରୁତର ରୋଗୀଙ୍କ ଦେହରେ ପ୍ରତିରୋପଣ କରିଛନ୍ତି । । ମୃତ୍ୟୁ ପରେ ବି ଦେବଦତ୍ତ ପୁଣି ଦୁନିଆ ଦେଖୁଛନ୍ତି ଓ ଅନୁଭବ କରୁଛନ୍ତି । ଦେବଦତ୍ତଙ୍କ ଆକସ୍ମିକ ବିୟୋଗ ଯଦିଓ ତାଙ୍କ ପରିବାରକୁ ଗଭୀର ପୀଡ଼ା ଦେଇଛି, କିନ୍ତୁ ତାଙ୍କ ଅଙ୍ଗ ଅନ୍ୟ ୧୦ ପରିବାର ମୁହଁରେ ହସ ଫୁଟାଇଛି।

Spread the love