ଜନ୍ମମାଟି ପ୍ରତି ମୋହ ମହଙ୍ଗା ପଡିଲା◆ସୋହରିଆ ବିକେ ଏକାଡେମୀର ବିକାଶ ପାଇଁ ବିଷ୍ଣୁପଦ ସେଠୀ ଷଡ଼ଯନ୍ତ୍ରର ଚକ୍ରବ୍ୟୁହରେ !

(ପ୍ରତିଫଳନ ମିଡ଼ିଆ)

ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ନେଇ ଓଡିଶା ପ୍ରଶାସନିକ କଳରେ ହଠାତ୍ ଲାଗିଥିବା ହାଇଡ୍ରାମାର ସ୍ବରଶବ୍ଦ ଆଉ ନାହିଁ । ଥମି ଯାଇଛି । ଏଭଳି ତାଙ୍କ ନାମରେ କେବଳ ଅଭିଯୋଗ ପରେ ରାଜ୍ୟ ସରକାର ତାଙ୍କର ବିଭିନ୍ନ ବିଭାଗ ଅପସାରଣ କରିଛନ୍ତି । ଅନ୍ୟପକ୍ଷରେ ସିବିଆଇ ପକ୍ଷରୁ କଣ ଜବତ କରାଯାଇଛି ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ  କରିନାହିଁ।  ଏଥିପୂର୍ବରୁ ତାଙ୍କ ବିରୋଧରେ ମନ ଇଚ୍ଛା ଅଭିଯୋଗ ଆଣିବା ଅମୂଳକ ବୋଲି ଅନେକ ବୁଦ୍ଧିଜୀବୀ ଓ ପ୍ରଶାସକ ମତ ପ୍ରକାଶ କରିଛନ୍ତି ଓ ଚିନ୍ତା ପ୍ରକଟ କରିଛନ୍ତି । ସତରେ ବିଷ୍ଣୁପଦଙ୍କ ବିରୋଧରେ ଉଠିଥିବା ଅଭିଯୋଗ ସତ୍ୟ କି ? ନା ଏହା ପଛରେ କିଛି ଯୋଜନାବଦ୍ଧ ଷଡଯନ୍ତ୍ର ରହିଛି । ଷଡ଼ଯନ୍ତ୍ର ପଛରେ କାହାର ହାତ ରହିଛି । ତାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏଇକ୍ରମରେ ପ୍ରତିଫଳନ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା । ସବୁରି ମୂଳରେ ଅଛି ବାଲେଶ୍ଵର ସୋହରିଆ ବି କେ ଏକାଡେମୀର ସ୍ବର୍ଣ୍ଣ ଜୟନ୍ତୀ ସମାରୋହ ରହିଥିବା ସନ୍ଦେହ କରାଯାଉଛି ।  ପଛୁଆ କହି ଦିନେ ସାମାଜିକ ପ୍ରତିବନ୍ଧକର ଶିକାର ହୋଇଥିବା ବିଷ୍ଣୁପଦଙ୍କୁ ସାମାଜିକ ପ୍ରତିବନ୍ଧକ ସତ୍ବେ  “ସୋହରିଆର ବିଜୟ କୁମାର ଏକାଡେମୀ” କୋଳେଇ ନେଇଥିଲା । ସମାଜରେ ନିଜ ଗୋଡ଼ରେ ଠିଆ ହେବାକୁ ଏହି ଅନୁଷ୍ଠାନ ସାହସ , ସାମର୍ଥ୍ୟ ଓ ଉପଯୁକ୍ତ ଶିକ୍ଷା ଦେଇଥିଲା । ସେ ଆଇଏଏସ ପାଇବା ସହ ଏବେ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସକ । ପଚାଶ ବର୍ଷର ଏଇ ଅନୁଷ୍ଠାନକୁ ଏବେ ଅନେକ ଫେରାଇବାର ବେଳ ଥିଲା । ନିଜ ଗାଁ ମାଟିର ଏଇ ଅନୁଷ୍ଠାନକୁ ସର୍ବାଙ୍ଗ ସୁନ୍ଦର କରି ଗଢି ତୋଳିବାକୁ ସେ ଅଣ୍ଟା ଭିଡିଥିଲେ । ପୁରାତନ ଛାତ୍ର ପରିଷଦ ଓ ଅଭିଭାବକ ମଣ୍ଡଳୀ ତାଙ୍କୁ ସ୍ବର୍ଣ୍ଣ ଜୟନ୍ତୀ ସମାରୋହ କମିଟିର ସଭାପତି ମଧ୍ୟ ଚୟନ କରିଥିଲେ । ବିଷ୍ଣୁପଦ କମିଟିର ନିଷ୍ପତିକ୍ରମେ ଇତି ମଧ୍ୟରେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂସ୍ଥା ଠାରୁ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ସାଙ୍ଗକୁ ଉତ୍ସବ ପାଳନ ଲାଗି ଆର୍ଥିକ ସହାୟତା  ଲାଗି  କିଛି ସଂସ୍ଥା କୁ ମଧ୍ୟ ଚିଠି ପ୍ରଦାନ କରିଥିବା ଜଣାପଡିଛି । 

ସବୁ ମୂଳରେ ଏହି ଚିଠି !

ସିବିଆଇ ଦ୍ବାରା ଅଭିଯୁକ୍ତ ହୋଇଥିବା “ବ୍ରିଜ ଏଣ୍ଡ ରୁଫ୍ କୋ ଇଣ୍ଡିଆ ଲିମିଟେଡ” କୁ ମଧ୍ୟ ସହାୟତା ସକାଶେ ଚିଠି ପଠା ହୋଇଥିଲା  ।ସେହି ଚିଠି ଟି ପ୍ରତିଫଳନ ମିଡ଼ିଆର ହସ୍ତଗତ ହୋଇଛି । ଏହି ଚିଠି ହିଁ ସମସ୍ତ ଘଟଣାର ମୂଳ କାରଣ ହୋଇଥାଇପାରେ ବୋଲି ମନେ କରାଯାଉଛି । ଏହି ସଂସ୍ଥାର ବିଶ୍ଵାସନୀୟତା ଓ ସ୍ବଚ୍ଛତାକୁ ନେଇ ମଧ୍ୟ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି !

 ମାଟି ପ୍ରତି ଓ ଅନୁଷ୍ଠାନ ପ୍ରତି ମୋହ ରହିଥିବା ଯୋଗୁଁ ପଶ୍ଚିମବଙ୍ଗ ସୀମାନ୍ତକୁ ଲାଗି ରହିଥିବା ଓଡ଼ିଶାର ବାଲେଶ୍ବର ଜିଲ୍ଲାର ଭୋଗରାଇ ବ୍ଲକ ଅଞ୍ଚଳର ବିକାଶ ପାଇଁ ସଦା ସ୍ଵପ୍ନ ଦେଖି ଆସୁଥିବା ବିଷ୍ଣୁପଦଙ୍କ ନିଷ୍ଠାପର ଉଦ୍ୟମ କ୍ରମେ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଯାଇ ଥିବା  ବିଦ୍ୟାଳୟର କାୟାକଳ୍ପ ବଦଳି ଯାଇଛି । ପୁରାତନ ଟିଣ ଘର  ସ୍ଥାନରେ ଚାରିତଳ ବିଶିଷ୍ଟ ସୁରମ୍ୟ କୋଠା ଏବେ ଗଢି ଉଠିଛି । ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ସମସ୍ତ ପ୍ରକାର ଉଚ୍ଚ ସୁବିଧା ବ୍ୟବସ୍ଥା ମଧ୍ୟ ହୋଇଛି । ଏଥିପାଇଁ ପ୍ରଚୁର ଅର୍ଥ ଖର୍ଚ୍ଚ ହୋଇଥିବା ଗ୍ରାମବାସୀ କହିଛନ୍ତି । ବିଷ୍ଣୁପଦଙ୍କ ବ୍ୟକ୍ତିଗତ ଉଦ୍ୟମ ଓ ନିଷ୍ଠା ଯୋଗୁଁ ହିଁ ବିଦ୍ୟାଳୟର ଆଙ୍ଗିକ ପରିବର୍ତ୍ତନ ହୋଇପାରିଛି ଏବଂ ଏସବୁ ସେମାନଙ୍କୁ ସ୍ବପ୍ନ ଭଳି ଲାଗୁଛି ବୋଲି କହିଛନ୍ତି । ଅପରପକ୍ଷେ ବିକେ ଏକାଡେମୀର ପଚାଶ ବର୍ଷ ପୂର୍ତ୍ତି ଅବସରରେ ଡିସେମ୍ବର ୨୦ରୁ ଡିସେମ୍ବର ୨୪ ଯାଏଁ ମହା ସମାରୋହରେ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରାଯାଉଛି । ପାଞ୍ଚ ଦିନରେ ରାଜ୍ୟର ମନ୍ତ୍ରୀ ଠାରୁ ଉଭୟ ଓଡିଶା ଏବଂ ପଶ୍ଚିମବଙ୍ଗର ବହୁ ବିଶିଷ୍ଟ ଶିକ୍ଷାବିତ , ନିର୍ବାଚିତ ପ୍ରତିନିଧି, ପୁରାତନ ଛାତ୍ର, ଶିକ୍ଷକ ଓ ପ୍ରଧାନଶିକ୍ଷକମାନଙ୍କ ଉପସ୍ଥିତିରେ ଅନେକ କାର୍ଯ୍ୟକ୍ରମ ଚାଲିଛି । ଏଭଳି ମହା ଆୟୋଜନ ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଥିଲା । ଏଥିପାଇଁ ବହୁ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ସହଯୋଗ ଲାଗି ପ୍ରତିଶ୍ରୁତି ଦେଇଥିଲେ ।  ତେବେ ଟଙ୍କା ଜବତ କରିବା କଥା ବର୍ତ୍ତମାନ୍ ସୁଦ୍ଧା ସ୍ପଷ୍ଟ କରି ନାହିଁ ସିବିଆଇ ।ଏବେ ସାଧାରଣରେ ପ୍ରଶ୍ନ ଉଠିଛି ପ୍ରକୃତରେ ସିବିଆଇ ଟଙ୍କା ଜବତ କରିଛି କି ? ନା ଏହା ତଥାକଥିତ ଚକ୍ରାନ୍ତ ଗୋଷ୍ଠୀର ଭେଳିକି ! ଅବଶ୍ୟ ସିବିଆଇ ସବୁ ଦିଗକୁ ଦେଖି ତଦନ୍ତ କରୁଥାଇପାରେ ଏବଂ  ଅନେକଙ୍କ ଠାରୁ ତଥ୍ୟ ସଂଗ୍ରହ କରୁଛି ବୋଲି ଶୁଣିବାକୁ ମିଳୁଛି । ଆଗକୁ ସିବିଆଇ କଣ ତଥ୍ୟ ରଖୁଛି ତାକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି ।

ସରକାର ପରିବର୍ତ୍ତନ ପରେ କୋଣଠେସା ବିଷ୍ଣୁପଦଙ୍କ ହଠାତ୍ ପ୍ରତିଷ୍ଠା ,ଖାତିର ଓ କ୍ଷମତା ବୃଦ୍ଧି ପାଇଥିଲା । ରାଜ୍ୟ ସରକାର ତାଙ୍କ ନିଷ୍ଠା ଓ ଏକାଗ୍ରତାକୁ  ଭରସା କରି ଏକାଧିକ ବିଭାଗର ଦାୟିତ୍ବ ଦେଇଥିଲେ । ବିଷ୍ଣୁପଦଙ୍କ ଶକ୍ତି ବୃଦ୍ଧିରେ କିଛି  ପ୍ରଭାବୀ ଗୋଷ୍ଠୀ ଭିତରେ ଛନକା ପଶି ଯାଇଥିଲା କି ବୋଲି ଜୋର୍ ଚର୍ଚା ହେଉଛି । ବିଷ୍ଣୁପଦଙ୍କ ପ୍ରତିଷ୍ଠା ବୃଦ୍ଧି ହେତୁ କିଛି ବିରାଦରୀ ଲୋକଙ୍କ  ପଦବୀ ପ୍ରତି ବିପଦର ଛାୟା ଘେରି ହୋଇ ରହିଥିଲା କି ବୋଲି କୁହାଯାଉଛି । ଏଥିପାଇଁ ତଥାକଥିତ  ଗୋଷ୍ଠୀର ଚକ୍ରବ୍ୟୁହ ଭିତରେ ତାଙ୍କୁ ଷଡ଼ଯନ୍ତ୍ର କରି ଫଶେଇ ଦିଆଯାଇଛି କି ଏହାକୁ ନେଇ ରାଜ୍ୟବ୍ୟାପୀ ଆଲୋଚନା ଜୋର ଧରିଛି । ଆଉ ସିଧା ସଳଖ ତାଙ୍କ କର୍ମଚାରୀଙ୍କୁ ଅସ୍ତ୍ର କରାଯାଇଛି ? ବୋଲି ବାଟଘାଟରେ ଆଲୋଚନା ଚାଲିଛି ।

ଏଇ ଘଟଣାରେ ରାଜ୍ୟ ସରକାର ବି ବଡ଼ ପରିପକ୍ବତା ପ୍ରଦର୍ଶନ କରିଛନ୍ତି । କିଛି କାର୍ଯ୍ୟାନୁଷ୍ଠାନ ଅପେକ୍ଷା ସାମୟିକ ଭାବେ ବିଭାଗରୁ ତାଙ୍କୁ ଅନ୍ତର କରାଯାଇଛି । ସିବିଆଇର ପରବର୍ତ୍ତୀ ପଦକ୍ଷେପ ପରେ ତଦନୁଯାୟୀ ପଦକ୍ଷେପ ନେଇପାରନ୍ତି ସରକାର। ମୋହନ ସରକାରଙ୍କ ଏଭଳି ସନ୍ଦେଶକୁ ସାଧାରଣରେ ସ୍ଵାଗତ କରାଯାଇଛି । ଦୋଷୀକୁ ଦଣ୍ଡ ଦେବା ପାଇଁ ମୋହନ ସରକାର ପ୍ରତିଶ୍ରୁତିବଦ୍ଧ କିନ୍ତୁ ନିର୍ଦ୍ଦୋଷ ଦଣ୍ଡ ନ ପାଉ ବୋଲି ଏଇ ଘଟଣା ଜରିଆରେ ସରକାର ସିଧାସଳଖ ବାର୍ତ୍ତା ଦେଇଛନ୍ତି ସମଗ୍ର ରାଜ୍ୟବାସୀଙ୍କୁ । ସିବିଆଇ ସବୁ ଦିଗ ପ୍ରତି ଧ୍ୟାନ ଦେଇ ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହେଉଛି । ସତ୍ କଣ ନିଶ୍ଚିତ ପରି ପ୍ରକାଶ ହେବ ବୋଲି ଅପେକ୍ଷାରେ ରାଜ୍ୟବାସୀ।

Spread the love