(ପ୍ରତିଫଳନ ମିଡ଼ିଆ)
ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଦକ୍ଷିଣ ଓଡିଶା । ଅଳ୍ପଦିନର ବ୍ୟବଧାନରେ ପୁଣି ରାୟଗଡ଼ା ଜିଲ୍ଲାକୁ ଅଗ୍ରାଧିକାର ଦେଇ ସମୟ ଦେଉଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମେ ରାୟଗଡ଼ା ରେଳ ଡିଭିଜନର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଏବଂ ବର୍ତ୍ତମାନ ସ୍ଵାମୀତ୍ବ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରିବେ । ଓଡିଶା ସମେତ ଅନ୍ୟ ୧୦ ରାଜ୍ୟରେ ସ୍ଵାମୀତ୍ବ କାର୍ଯ୍ୟକ୍ରମର ସେ ଆଜି ଶୁଭାରମ୍ଭ କରିବେ । ତେବେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ରାଜ୍ୟ ବିଜେପି ମଧ୍ୟ ରାୟଗଡା ଜିଲ୍ଲାକୁ ପ୍ରାଧାନ୍ୟ ଦେଇଛି । ରାୟଗଡ଼ରୁ ଶୁଭାରମ୍ଭ କରାଇବା ନେଇ ନିଷ୍ପତ୍ତି ନେଇ ଦେଶକୁ ରାୟଗଡାର ଫୋକସରେ ରଖିବାକୁ ଆଗ୍ରହ ଦେଖାଇଛି । ଓଡ଼ିଶାରେ ୬୪ ପ୍ରକାର ଜନଜାତି ମଧ୍ୟରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ହିଁ ୫୪ ପ୍ରକାର ଜନଜାତି ଗୋଷ୍ଠୀର ଲୋକ ବସବାସ କରନ୍ତି । ତେଣୁ ଜନଜାତି ବହୁଳ ଏଇ ଅଞ୍ଚଳକୁ ଗୁରୁତ୍ବ ଦେବାକୁ ପ୍ରଧାନମନ୍ତ୍ରୀ ତଥା ଓଡିଶା ବିଜେପି ଯୋଜନା ପ୍ରସ୍ତୁତ କରିଛନ୍ତି ।
ଗତ ସାଧାରଣ ନିର୍ବାଚନରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ନବରଙ୍ଗପୁର ଜିଲ୍ଲାରେ ବିଜେପି ଆଶାତୀତ ସଫଳତା ପାଇଛି। ମାଲକାନଗିରି ଜିଲ୍ଲା ଓ କୋରାପୁଟ ଜିଲ୍ଲାରେ ଆଂଶିକ ସଫଳତା ହାସଲ କରିଛି ।ହେଲେ ରାୟଗଡ଼ା ଓ ଗଜପତି ଜିଲ୍ଲାର ବିଜେପିକୁ ସଫଳତା ମିଳି ନାହିଁ। ବିଶେଷ କରି ଆଦିବାସୀ ବହୁଳ କୋରାପୁଟ ଲୋକସଭା ଆସନରେ ଦଳକୁ ସଶକ୍ତ କରିବାକୁ ମିଶନ ଅପରେସନ ଆରମ୍ଭ କରିଛି । ଶିଳ୍ପାୟନର ଦ୍ଵାର ସାଜିଥିବା ରାୟଗଡ଼ା ଜିଲ୍ଲାରେ ଦୁର୍ବଳ ଥିବା ସଂଗଠନକୁ ସୁଦୃଢ କରିବାକୁ ବିଜେପି ବର୍ତ୍ତମାନ୍ ଠାରୁ ପ୍ରୟାସ ଆରମ୍ଭ କରିଛି। ରାୟଗଡ଼ା ଜିଲ୍ଲା ରେ ବିଜେପିକୁ ସଫଳତା ନଥିବାବେଳେ ଦଳର ସଙ୍ଗଠନ ମଧ୍ୟ ସେତେ ସୁଦୃଢ଼ ନୁହେଁ । ଅସଜଡ଼ା ସଙ୍ଗଠନକୁ ସୁଦୃଢ଼ କରିବା ସହ ଦଳୀୟ କର୍ମୀ ମଧ୍ୟରେ ଉତ୍ସାହ ଭରିବା ଲାଗି ବିଜେପି ଦଳୀୟ ସଙ୍ଗଠନ ପୁନଃ ସଂରଚନା ପାଇଁ ଯୋଜନା ପ୍ରସ୍ତୁତ କରିଛି । କ୍ରମାଗତ ଭାବେ ବିଭିନ୍ନ ମନ୍ତ୍ରୀ ରାୟଗଡା ଜିଲ୍ଲାକୁ ଗସ୍ତ କରୁଛନ୍ତି । ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ , ରାଜସ୍ବ ମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରୀ, ପରିବହନ ମନ୍ତ୍ରୀ ସମେତ ଅନ୍ୟ ମନ୍ତ୍ରୀ ଓ ଖୋଦ ରାଜ୍ୟ ସଭାପତି ମନମୋହନ ସାମଲ ଇତି ମଧ୍ୟରେ ରାୟଗଡ଼ା ଜିଲ୍ଲା ଗସ୍ତ କରି ଦଳୀୟ ସଙ୍ଗଠନକୁ ମଜବୁତ କରିବା କାମରେ ଲାଗି ରହିଛନ୍ତି । କର୍ମୀଙ୍କୁ ମନ୍ତ୍ର ଦେଉଛନ୍ତି । ଖୁବ ନିକଟରେ ଜିଲ୍ଲା ସାଙ୍ଗଠନିକ ପରିବର୍ତ୍ତନ ହେବ ଏବଂ ନୂଆ ସଭାପତି ଜିଲ୍ଲାକୁ ମିଳିବ । ବୁଥ ସ୍ତରରୁ ସଂଗଠନକୁ ସଜାଡିବା ପ୍ରକିୟା ଆରମ୍ଭ ହୋଇଛି। ଏହା ପରେ ଅନେକ ନୂତନ ପଦକ୍ଷେପ ଦଳ ଗ୍ରହଣ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଗତ ନିର୍ବାଚନରେ ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁରରୁ ନିର୍ବାଚନ ପ୍ରଚାର ବିଗୁଲ ବଜେଇଥିଲେ । ଏହାର ପ୍ରଭାବ ସମଗ୍ର ନିର୍ବାଚନରେ ଏଭଳି ଅନୁଭୂତ ହେଲା ଯେ ୨୪ ବର୍ଷର ବିଜେଡି ସରକାରର ଚେର ଉପୁଡି ପଡିଥିଲା । ଓଡ଼ିଶା ଲୋକଙ୍କ ମନୋଭାବକୁ ପରଖି ଦୀର୍ଘ ମିଆଦି ସୂତ୍ରରେ ବାନ୍ଧି ରଖିବାକୁ ଉଦ୍ୟମ ଚଳାଇଛନ୍ତି। ଏହାକୁ ପ୍ରଧାନମନ୍ତ୍ରୀ ଗୁରୁତର ସହ ଗ୍ରହଣ କରୁଛନ୍ତି । କେନ୍ଦ୍ର ସରକାର ଗୋପାଳପୁର-ଜୟପୁର ପ୍ରଶସ୍ତ ରାଜପଥ ନିର୍ମାଣ, ଗୋପାଳପୁର-ଥେରୁବାଲି ରେଳପଥ, ରାୟଗଡା ରେଳ ଡିଭିଜନ, ରାୟଗଡାରେ ଆମ୍ବାନୀ ଗ୍ରୁପ ଦ୍ଵାରା ମେଗା ପ୍ରକଳ୍ପର ଶୁଭାରମ୍ଭ ଭଳି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ରାଜ୍ୟ ବିଜେପି ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ଯୋଜନା ରାୟଗଡ଼ା ସମେତ ଦକ୍ଷିଣ ଓଡିଶାରେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଦକ୍ଷିଣ ଓଡିଶା ବିକାଶ ସୂଚୀରେ ଆଗାମୀ ଦିନରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ବିଜେପି ରାଜନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଭିତିରି ମହଲରୁ ଖବର ପ୍ରାପ୍ତ ହୋଇଛି । ପାଣିଗ୍ରାହୀଙ୍କ ନାମରେ ମିଥ୍ୟା କେଶ କରି ବିଜେଡି ଯେଉଁ ପ୍ରୟାସ କରିଥିଲା ସେଥିନେଇ ପାଣିଗ୍ରାହୀଙ୍କ ବାଟରେ କଣ୍ଟା ରହିଥିଲା । କେଶର ରାୟକୁ ବିଜେପି ମହଲ ଅପେକ୍ଷାରେ ଥିଲେ । ଏବେ ପ୍ରଦୀପ କୋର୍ଟ ଦ୍ଵାରା ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ଆଗକୁ ତାଙ୍କ ପଥ ପରିଷ୍କାର ରହିଛି । ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଦୀପଙ୍କୁ ନିକଟ ଭବିଷ୍ୟତରେ ଭେଟିବାକୁ ସମୟ ଦେଇଥିବା ଖବର ହସ୍ତଗତ ହୋଇଛି । ଏଥିସହ ରାଜ୍ୟ ବିଜେପି ମଧ୍ୟ ଦକ୍ଷିଣ ଓଡିଶାକୁ ପ୍ରାଧାନ୍ୟ ଦେଉଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ । ବିଜେଡିର ମୁଖ୍ୟ ଶକ୍ତି କେନ୍ଦ୍ର ହେଉଛି ଗଞ୍ଜାମ । କିନ୍ତୁ ଗତ ନିର୍ବାଚନରେ ବିଜେଡ଼ିର ଗଞ୍ଜାମ ଗଡକୁ ଧୂଳିସାତ କରିଛି ବିଜେପି । ଗଞ୍ଜାମରେ ଧରାଶାୟୀ ହୋଇପଡିଛି ବିଜେଡି । ଗଞ୍ଜାମବାସୀ ଆଖି ବୁଜି ବିଜେପିକୁ ସମର୍ଥନ ଦେଇଛନ୍ତି । ତେଣୁ ପ୍ରତିବଦଳରେ ବିଜେପି ମଧ୍ୟ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାର ବିକାଶ ଲାଗି ନକ୍ସା ପ୍ରସ୍ତୁତ କରିଛି ।
ହିତାଧିକାରୀଙ୍କୁ ଜମିର ସତ୍ଵାଧିକାର ସମ୍ପତିପତ୍ର ଅଧିକାର ଦେବ ବିଜେପି ସରକାର
ଏହିକ୍ରମରେ ଏକମାସ ମଧରେ ମୁଖ୍ୟମନ୍ତ୍ରୀ ମାଝୀ ପୁଣି ରାୟଗଡ ଆସୁଛନ୍ତି । ଏହା ତାଙ୍କର ଦ୍ବିତୀୟ ଗସ୍ତ । ଶନିବାର ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ସ୍ଵାମୀତ୍ବ’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଜିଲାରୁ ଆରମ୍ଭ କରିବେ । ସକାଳ ଏହାର ୧୧ଟାବେଳେ ଜିସିଡି ହେଲିପ୍ୟାଡରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ସେଠାରୁ ସିଧା ବିଜୁ ପଟ୍ଟନାୟକ ଷ୍ଟାଡିୟମକୁ ଯିବେ । ଅଡିଟୋରିୟମରେ ‘ସ୍ବାମୀତ୍ବ’କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବ ମୁଖ୍ୟମନ୍ତ୍ରୀ । ଏହି ଗସ୍ତରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ରହିବେ । ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବ । ସେ ହିତାଧିକାରୀଙ୍କୁ ଜମିର ସତ୍ଵାଧିକାର ସମ୍ପତିପତ୍ର ବଣ୍ଟନ କରିବା ସହ ଦେଶର ୫ ହିତାଧିକାରୀଙ୍କ ସହ ଆଭାସୀରେ ବର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି । ସ୍ଵାମୀତ୍ବ’ ଯୋଜନାରେ ପ୍ରଧାନମନ୍ତ୍ରୀ ସମ୍ପତି କାର୍ଡ ଓଡ଼ିଶା ସମେତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ହିମାଚଳପ୍ରଦେଶ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀର, ଲଦାଖରେ ଆଭାସୀ ମାଧ୍ୟମରେ ବଣ୍ଟନ କରିବେ ।