(ପ୍ରତିଫଳନ ମିଡିଆ)
ଗ୍ରାମ ସଭାର ବିନା ଅନୁମତିରେ କରାଯାଇଥିବା ଖଣି ନିଲାମ ବାଡିଲ କରାଯିବା ସହ କୋଡିଙ୍ଗାମାଲିରୁ ବକ୍ସାଇଟ ଖନନ ଓ ପରିବହନ କୁ ତୁରନ୍ତ ବନ୍ଦ କରିବାକୁ ଦାବିକରିଛନ୍ତି ଲୋକ ଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା । କୋରାପୁଟ ଜନ ସାମୁଖ୍ୟର ନେତୃମଣ୍ଡଳୀଙ୍କ ଦ୍ଵାରା ଆହୁତ ସମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି। ଜିଲ୍ଲାରୁ ବେଆଇନ ଭାବେ ରଜ୍ୟ ବାହାରକୁ ବକ୍ସାଇଟ ପରିବହନ କରାଯାଉଛି । ଏଥିପାଇଁ ଅନୁମତି ରହିଛି କି ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରି ବେଆଇନ ଭାବେ ହସ୍ତାନ୍ତର ହୋଇଥିବା ବିପୁଳ ଖଣିଜ ଦ୍ରବ୍ୟର ମୂଲ୍ୟ ଆଦାୟ କରାଯାଇ ଅପରାଧୀକୁ ଦଣ୍ଡ ଦେବାକୁ ଶ୍ରୀ ସାମନ୍ତରା ଦାବୀ କରିଛନ୍ତି ।
ପୂର୍ବ ସରକାର ଭଳି ଏବର ରାଜ୍ୟ ସରକାର ଖଣି ଖନନ ଓ ପରିବହନକୁ ପ୍ରଶୟ ଦେଉଛନ୍ତି। କମ୍ପାନୀ ମାନଙ୍କ ହାତରେ ବିଭିନ୍ନ ଖଣି ଗୁଡ଼ିକୁ ଟେକି ଦେବାକୁ ଯୋଜନା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରଫୁଲ୍ଲ ସାମନ୍ତରା । ଏହା କରାଗଲେ କୋରାପୁଟର ପ୍ରାକୃତିକ ସମ୍ପଦ ଶେଷ ହୋଇଯିବ ଓ ହଜାର ହଜାର ଆଦିବାସୀ ଦଳିତ ପରିବାର ଜୀବିକା ହରାଇବା ସହ ବଞ୍ଚିବାର ଅଧିକାରରୁ ବଞ୍ଚିତ ହେବେ । ଗ୍ରାମସଭାର ବିନା ଅନୁମତିରେ ଖଣିଲିଜ୍ ପାଇଁ ହୋଇଥିବା ନିଲାମ ବେଆଇନ ଓ ଜଙ୍ଗଲ ଅଧିକାର ଆଇନ ଭଲଂଘନ କରୁଛି ବୋଲି ସିଏଜି ରିପୋର୍ଟ ଦେଇଛି । ଏହି ବେଆଇନ ଲିଜ ଗୁଡ଼ିକ ମଧ୍ୟରେ ନନ୍ଦପୁରର ବାଲଦା ସେମିଳିଗୁଡ଼ାର ମାଲିପର୍ବତ ଅନ୍ତର୍ଭୁକ୍ତ। ପଟାଙ୍ଗିର ସେରୁବନ୍ଧ ଖଣିପାଇଁ ହୋଇଥିବା ଗ୍ରାମସଭାରେ ପୋଲିସ ଭୟରେ ଖଣି କୁ ବିରୋଧ କରୁଥିବା ଲୋକମାନେ ଉପସ୍ଥିତ ନଥିଲେ I
ବାଳଦା ନାଗେଶ୍ବରୀ ପୀଠ ଓ ଜଲାପୁଟ ଜଳଭଣ୍ଡାରର ସୁରକ୍ଷା ପାଇଁ ଖଣି ଖନନ ନ କରିବାକୁ ଲୋକେ ଦାବି କରୁଥିବା ବେଳେ ଆଦାନୀ କମ୍ପାନୀ ପାଇଁ ଜବରଦସ୍ତ ରେଳାଇନ ନିର୍ମାଣ ପାଇଁ ଉଦ୍ୟମ କରାଯାଉଛି। ତାକୁ ବିରୋଧ କରି ପ୍ରତିବାଦ କରିଥିବା ଲୋକଙ୍କୁ ପୋଲିସ ଗିରଫ କରୁଛି। ପରିବେଶ ଓ ଜୀବନ ଜୀବିକା ପାଇଁ ସଚେତନ ଥିବା ଜଣେ ଛାତ୍ର ଲାଠି ମାଡ଼ରେ ଆହତ ହୋଇଥିବା ବେଳେ ସେହି ଛାତ୍ରକୁ ପୋଲିସ ଗିରଫ କରି ଜେଲରେ ରଖିଛି ।ଏହା ବଡ ନିନ୍ଦନୀୟ ଓ ଅଗଣତାନ୍ତ୍ରିକ ବୋଲି ପ୍ରଫୁଲ୍ଲ ସାମନ୍ତରା ଦାବି କରିଛନ୍ତି। ସରକାର ତୁରନ୍ତ ଏହି ଖଣି ଲିଜଗୁଡ଼ିକୁ ପ୍ରତ୍ୟାହାର କରି କୋରାପୁଟ ଜିଲ୍ଲାର ପ୍ରାକୃତିକ ସମ୍ପଦକୁ ସୁରକ୍ଷିତ ରଖିବାକୁ ସାମନ୍ତରା ନିବେଦନ କରିଛନ୍ତି ରାଜ୍ୟର ଅନ୍ୟତମ ବଡ ସମ୍ପଦ ଦେଓମାଳୀ କୁ ତୁରନ୍ତ ଜଙ୍ଗଲ ବିଭାଗରେ ଅନ୍ତର୍ଭୁକ୍ତ କରିବାକୁ ସେ ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଆଇନଜୀବୀ ଗୁପ୍ତ ପାଣିଗ୍ରାହୀ, ନାରାୟଣପାଟଣା ଆଦିବାସୀ ଚାଷୀମୂଲିଆ ସଂଘ ନେତା
ନାଚିକା ଲିଙ୍ଗା, ବିଜୟ ଖିଲ,ନିରଞ୍ଜନ ଖିଲ, ଦାସୀ ନନ୍ଦୀବାଲି,ପ୍ରଦୀପ କୁମାର ବାଘ ,ତ୍ରିଲୋଚନ ମୁଦୁଲି ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।